ନୂଆଦିଲ୍ଲୀ: ଡେଙ୍ଗୁ ଆତଙ୍କ ମଧ୍ୟରେ ଭାରତ ପାଇଁ ଆସିଲା ବଡ଼ ଖବର। ଡେଙ୍ଗୁ ବିରୋଧରେ ଭାରତ ପାଇବ ନିଜର ପ୍ରଥମ ଟିକା। ୨୦୨୭ର ପ୍ରଥମାର୍ଦ୍ଧରେ ଭାରତୀୟ ବଜାରକୁ ଆସିପାରେ କ୍ୟୁଡେଙ୍ଗା। ଏଥିପାଇଁ ଜାପାନର ଔଷଧ କମ୍ପାନୀ ଟାକେଡା ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଲିମିଟେଡ୍ ସହିତ ଚୁକ୍ତି କରିଛି ଡକ୍ଟର ରେଡ୍ଡୀଜ୍ ଲାବୋରେଟୋରିଜ୍ l ଡେଙ୍ଗୁ ଏବେ ଭାରତରେ ଏକ ବଡ଼ ସ୍ୱାସ୍ଥ୍ୟ ଚିନ୍ତାର କାରଣ। ବିଶେଷକରି ବର୍ଷା ଓ ବର୍ଷା ପରବର୍ତ୍ତୀ ସମୟରେ ଡେଙ୍ଗୁ ମାମଲା ବଢ଼ିଥାଏ। ଜମା ପାଣିରେ ବଂଶବୃଦ୍ଧି କରୁଥିବା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଏହି ଭାଇରସ୍ ମଣିଷଙ୍କ ଶରୀରକୁ ପ୍ରବେଶ କରେ।

କ’ଣ ଏହି କ୍ୟୁଡେଙ୍ଗା ? କ୍ୟୁଡେଙ୍ଗା ହେଉଛି ଟାକେଡା ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଦ୍ୱାରା ବିକଶିତ ଏକ ଡେଙ୍ଗୁ ଟିକା। ଡେଙ୍ଗୁ ଭାଇରସ୍ର ଚାରିଟି ପ୍ରମୁଖ ସେରୋଟାଇପ୍—DENV-1, DENV-2, DENV-3 ଓ DENV-୪ ବିରୋଧରେ ଏହା ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଟିକା ୪ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ରିପୋର୍ଟରେ କୁହାଯାଇଛି। ଟିକାର ଦୁଇଟି ଡୋଜ୍ ଦିଆଯିବ। ପ୍ରଥମ ଡୋଜ୍ ପରେ ତିନି ମାସ ବ୍ୟବଧାନରେ ଦ୍ୱିତୀୟ ଡୋଜ୍ ଦିଆଯିବ। ପ୍ରତ୍ୟେକ ଡୋଜ୍ର ପରିମାଣ ୦.୫ ମିଲିଲିଟର। କେବେ ମିଳିବ ଭାରତରେ?ଭାରତରେ କ୍ୟୁଡେଙ୍ଗା ବ୍ୟବହାର ପାଇଁ ଜୁଲାଇ ୨୦୨୬ରେ ଔଷଧ ନିୟନ୍ତ୍ରକଙ୍କ ଅନୁମୋଦନ ମିଳିଥିବା ରିପୋର୍ଟରେ କୁହାଯାଇଛି। ଏବେ ବଜାର ଅନୁମତି ଓ ଅନ୍ୟାନ୍ୟ ନିୟାମକୀୟ ପ୍ରକ୍ରିୟା ପରେ ୨୦୨୭ର ପ୍ରଥମ ୬ ମାସ ମଧ୍ୟରେ ଏହା ଭାରତରେ ଉପଲବ୍ଧ ହେବାର ଆଶା ରହିଛି।

କେତେ ପ୍ରଭାବଶାଳୀ କ୍ୟୁଡେଙ୍ଗା ? କ୍ଲିନିକାଲ୍ ଟ୍ରାଏଲ୍ରେ କ୍ୟୁଡେଙ୍ଗା ଡେଙ୍ଗୁ ସଂକ୍ରମଣ ବିରୋଧରେ ଉଲ୍ଲେଖନୀୟ ସୁରକ୍ଷା ଦେଖାଇଥିବା ରିପୋର୍ଟରେ କୁହାଯାଇଛି।ଦ୍ୱିତୀୟ ଡୋଜ୍ ନେବାର ଏକ ବର୍ଷ ପରେ ନିଶ୍ଚିତ ଡେଙ୍ଗୁ ସଂକ୍ରମଣ ବିରୋଧରେ ଟିକାର ୮୦.୨ ପ୍ରତିଶତ ପ୍ରଭାବଶୀଳତା ଦେଖାଯାଇଥିଲା। ସେହିପରି, ୧୮ ମାସ ପରେ ଡେଙ୍ଗୁ କାରଣରୁ ହସ୍ପିଟାଲ୍ରେ ଭର୍ତ୍ତି ହେବା ବିରୋଧରେ ୯୦.୪ ପ୍ରତିଶତ ପ୍ରଭାବଶୀଳତା ଦେଖାଯାଇଥିବା ତଥ୍ୟ ରହିଛି। ତେବେ ଏହି ପ୍ରତିଶତଗୁଡ଼ିକ କ୍ଲିନିକାଲ୍ ଟ୍ରାଏଲ୍ରେ ଦେଖାଯାଇଥିବା ଫଳାଫଳ। ବାସ୍ତବ ଜୀବନରେ ଟିକାର ପ୍ରଭାବ ବ୍ୟକ୍ତି ଓ ପରିସ୍ଥିତି ଅନୁସାରେ ଭିନ୍ନ ହୋଇପାରେ।

read also - ଭଲ ସମ୍ପର୍କର ଫର୍ମୁଲା ସୋସିଆଲ ମିଡ଼ିଆରୁ ନୁହେଁ ,ବାସ୍ତବ ଜୀବନରୁ ମିଳିଥାଏ

କାହିଁକି ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ? ବର୍ଷା ଋତୁରେ ରାସ୍ତାଘାଟ, ଘର ଆଖପାଖ ଓ ବିଭିନ୍ନ ସ୍ଥାନରେ ପାଣି ଜମିବା ଯୋଗୁଁ Aedes ମଶାର ବଂଶବୃଦ୍ଧି ପାଇଁ ପରିବେଶ ସୃଷ୍ଟି ହୁଏ। ଫଳରେ ଡେଙ୍ଗୁ ମାମଲା ବଢ଼ିଥାଏ। ରିପୋର୍ଟ ଅନୁସାରେ, ୨୦୨୫ରେ ଭାରତରେ ୧,୧୩,୪୫୦ ଡେଙ୍ଗୁ ମାମଲା ଓ ୯୫ ମୃତ୍ୟୁ ରେକର୍ଡ ହୋଇଥିଲା। ଏହି ତଥ୍ୟ ଡେଙ୍ଗୁର ଗୁରୁତ୍ୱକୁ ଦର୍ଶାଉଛି। ଟିକା ଆସିଲେ କ’ଣ ଡେଙ୍ଗୁ ଶେଷ ହୋଇଯିବ?କ୍ୟୁଡେଙ୍ଗା ଆସିଲେ ଡେଙ୍ଗୁ ବିରୋଧରେ ଆଉ ଏକ ପ୍ରତିରୋଧକ ବ୍ୟବସ୍ଥା ଯୋଡ଼ି ହେବ। କିନ୍ତୁ ମଶା ନିୟନ୍ତ୍ରଣର ଗୁରୁତ୍ୱ କମିବ ନାହିଁ। ଘର ଆଖପାଖରେ ପାଣି ଜମିବାକୁ ନଦେବା, ମଶାର ପ୍ରଜନନ ସ୍ଥାନ ନଷ୍ଟ କରିବା, ମଶା କାମୁଡ଼ାରୁ ନିଜକୁ ସୁରକ୍ଷିତ ରଖିବା ଓ ସରକାରୀ ସ୍ୱାସ୍ଥ୍ୟ ପରାମର୍ଶ ପାଳନ କରିବା ଏବେ ବି ଡେଙ୍ଗୁ ନିୟନ୍ତ୍ରଣର ମୁଖ୍ୟ ଉପାୟ ରହିବ।

ଅର୍ଥାତ୍, ୨୦୨୭ରେ କ୍ୟୁଡେଙ୍ଗା ଭାରତକୁ ଆସିଲେ ଡେଙ୍ଗୁ ବିରୋଧୀ ଲଢ଼େଇରେ ଏକ ନୂଆ ପ୍ରତିରୋଧକ ଅସ୍ତ୍ର ଯୋଡ଼ି ହେବ। ଚାରି ପ୍ରକାର ଡେଙ୍ଗୁ ଭାଇରସ୍ ବିରୋଧରେ ସୁରକ୍ଷା ଦେବାକୁ ଉଦ୍ଦିଷ୍ଟ ଏହି ଟିକାକୁ ନେଇ ଏବେ ଭାରତରେ ଆଶା ବଢ଼ିଛି।