ଅକଲାଣ୍ଡ: ଭାରତ ବିପକ୍ଷ ଆଗାମୀ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଲାଗିଛି ବଡ଼ ଝଟକା। ଦଳର ଷ୍ଟାର୍ ଅଲରାଉଣ୍ଡର ରାଚିନ ରବୀନ୍ଦ୍ର ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିବା ପରେ ଭାରତ ବିପକ୍ଷ ସିରିଜ୍‌ରେ ତାଙ୍କ ଖେଳିବା ନେଇ ଅନିଶ୍ଚିତତା ଦେଖାଦେଇଛି।

ଅକଲାଣ୍ଡରେ ଏକ ପ୍ରମୋସନାଲ୍ ଶୁଟ୍ ସମୟରେ ରଚିନ ଆହତ ହୋଇଥିଲେ। ବୁଧବାର ଶୁଟିଂ ବେଳେ ଏକ କ୍ୟାଚ୍ ଧରିବାକୁ ଡାଇଭ୍ ମାରୁଥିବା ସମୟରେ ଅସାବଧାନତାବଶତଃ ସେଫ୍ଟି ମ୍ୟାଟ୍ ଉପରେ ବେତାଳିଆ ଭାବେ ପଡ଼ି ଯାଇଥିଲେ। ଏହାପରେ ତାଙ୍କ ଡାହାଣ କାନ୍ଧର ହାଡ଼ ଖସିଯାଇଥିବା ସୂଚନା ମିଳିଛି।

ଏହି ଘଟଣା ପରେ ଶୁକ୍ରବାର ନ୍ୟୁଜିଲାଣ୍ଡ ମେଡିକାଲ୍ ବିଶେଷଜ୍ଞ ରଚିନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିରେ ତାଙ୍କର କାନ୍ଧରେ କୌଣସି ବଡ଼ ଷ୍ଟ୍ରକ୍ଚରାଲ ଡ୍ୟାମେଜ୍ ହୋଇନଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ସେ ଯେତେଶୀଘ୍ର ସୁସ୍ଥ ହେବେ ଭାରତ ବିପକ୍ଷ ଟିମ୍ରେ ସାମିଲ ହେବେ ବୋଲି ସୂଚନା ମିଳିଛି। ତେଣୁ ଭାରତ ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ରେ ତାଙ୍କ ଉପଲବ୍ଧତା ଏବେ ଅନିଶ୍ଚିତତା ଭିତରେ ରହିଛି।

Also Read- ଅଷ୍ଟ୍ରେଲିଆକୁ ୭ ରନ୍ରେ ହରାଇଲା ଭାରତୀୟ ଅଣ୍ଡର-୧୯ ଟିମ୍: ଜୁନିଅର ଦ୍ରାବିଡ଼ ଓ ସେହୱାଗଙ୍କ କମାଲ

ନ୍ୟୁଜିଲାଣ୍ଡର ପରଫର୍ମାନ୍ସ ମ୍ୟାନେଜର ମାଇକ୍ ସାଣ୍ଡଲ୍ ଘଟଣାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି। ରଚିନ ଶୀଘ୍ର ସୁସ୍ଥ ହୋଇ ମଇଦାନକୁ ଫେରନ୍ତୁ, ଏହା ଦଳର ପ୍ରାଥମିକତା ବୋଲି ସେ କହିଛନ୍ତି। ସାଣ୍ଡଲଙ୍କ ଅନୁସାରେ, ଖେଳାଳିମାନଙ୍କ ସହ ସମସ୍ତ କମର୍ସିଆଲ ଶୁଟ ପୂର୍ବରୁ ଆଲୋଚନା କରାଯାଇଥାଏ ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଥାଏ। ରଚିନଙ୍କ ଆଘାତ ଏକ ଅପ୍ରତ୍ୟାଶିତ ଘଟଣା ଥିଲା ଏବଂ ଭବିଷ୍ୟତରେ ଏଭଳି କାର୍ଯ୍ୟକ୍ରମ ପାଇଁ ପ୍ରକ୍ରିୟାକୁ ପୁଣିଥରେ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ଭାରତ ବିପକ୍ଷ ସିରିଜ୍‌ରେ ରଚିନଙ୍କୁ ନେଇ ନ୍ୟୁଜିଲାଣ୍ଡ ସତର୍କ

ନ୍ୟୁଜିଲାଣ୍ଡର ହ୍ୱାଇଟ ବଲ୍ କ୍ରିକେଟ୍‌ରେ ରଚିନ ରବୀନ୍ଦ୍ର ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ବ୍ୟାଟିଂ ସହ ବୋଲିଂରେ ମଧ୍ୟ ସେ ଦଳକୁ ଯୋଗଦାନ କରନ୍ତି। ୨୬ ବର୍ଷୀୟ ରଚିନ ଏପର୍ଯ୍ୟନ୍ତ ୫୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୭୫୯ ରନ୍ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ତାଙ୍କ ସର୍ବାଧିକ ସ୍କୋର ୬୯ ରନ୍। ସେହିଭଳି ବୋଲିଂରେ ତାଙ୍କ ନାଁରେ ୨୬ଟି ୱିକେଟ୍ ରହିଥିବା ବେଳେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୪/୨୭ ରହିଛି। ଯଦି ରଚିନ ଭାରତ ବିପକ୍ଷ ସିରିଜ୍ରୁ ବାଦ୍ ପଡ଼ନ୍ତି, ତେବେ ନ୍ୟୁଜିଲାଣ୍ଡ ଦଳ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଅଲରାଉଣ୍ଡ ବିକଳ୍ପ ମଧ୍ୟରୁ ଜଣଙ୍କୁ ହରାଇବ।

ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍ ରବ୍ ୱାଲ୍ଟର ମଧ୍ୟ ରଚିନଙ୍କୁ ନେଇ ସତର୍କ ରହିବା ସଙ୍କେତ ଦେଇଛନ୍ତି। ଆଗାମୀ ୬ ମାସରେ ଦଳର ବ୍ୟସ୍ତ ଟେଷ୍ଟ କ୍ରିକେଟ୍ କାର୍ଯ୍ୟସୂଚୀ ଥିବାରୁ ରଚିନଙ୍କୁ ତରବରିଆ ଭାବେ ମଇଦାନକୁ ଫେରାଇବାକୁ ଚାହୁଁନଥିବା ସେ କହିଛନ୍ତି। ରଚିନ ଭଲ ରିହାବିଲିଟେସନ୍ ଟିମ୍ର ତତ୍ତ୍ୱାବଧାନରେ ଅଛନ୍ତି ଏବଂ ସୁସ୍ଥ ହୋଇ ଶୀଘ୍ର ଫେରିବେ ବୋଲି ଦଳ ଆଶା ରଖିଥିବା ସେ କହିଛନ୍ତି।

ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଆସନ୍ତା ମାସରୁ ଆରମ୍ଭ ହେବ। ଅକ୍ଟୋବର ୨୨ରେ ଦୁଇ ଦଳ ମଧ୍ୟରେ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏହାପରେ ଆଉ ୪ଟି ମ୍ୟାଚ୍ ହେବ। ଟି-୨୦ ସିରିଜ୍ ପରେ ଉଭୟ ଦଳ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ମଧ୍ୟ ଖେଳିବେ। ନ୍ୟୁଜିଲାଣ୍ଡ ଆସନ୍ତା ସପ୍ତାହରେ ଭାରତ ବିପକ୍ଷ ସିରିଜ୍ ପାଇଁ ଦଳ ଘୋଷଣା କରିବାକୁ ଯାଉଛି।