ନୂଆଦିଲ୍ଲୀ-;ସାଧାରଣତଃ ୩୦ ବର୍ଷ ବୟସରେ ଲୋକେ ନିଜକୁ ସୁସ୍ଥ ଭାବନ୍ତି। ଛାତିରେ ଯନ୍ତ୍ରଣା ନାହିଁ, ଶ୍ୱାସକଷ୍ଟ ନାହିଁ, ତେଣୁ ହୃଦୟକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ଅନେକେ ଭାବନ୍ତି। କିନ୍ତୁ ବିଶେଷଜ୍ଞଙ୍କ କହିବା କଥା ହେଉଛି, ହୃଦରୋଗ କେବଳ ବୟସ୍କ ଲୋକଙ୍କ ମଧ୍ୟରେ ସୀମିତ ନୁହେଁ। ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ, ରକ୍ତରେ ଶର୍କରା, ଓଜନ ଏବଂ ରକ୍ତନଳୀର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ୩୦ ବର୍ଷରୁ ଧୀରେଧୀରେ ଆରମ୍ଭ ହୋଇପାରେ।ବେଙ୍ଗାଲୁରୁର ଆପୋଲୋ ହସ୍ପିଟାଲର ସିନିୟର କନସଲଟାଣ୍ଟ ଇଣ୍ଟରଭେନସନାଲ କାର୍ଡିଓଲୋଜିଷ୍ଟ ଡା. ଗିରିଶ ବି. ନାଭାସୁଣ୍ଡିଙ୍କ ଅନୁସାରେ, ୩୦ ବର୍ଷ ବୟସ ହେଉଛି ହୃଦୟର ଭବିଷ୍ୟତ ସ୍ୱାସ୍ଥ୍ୟ ପାଇଁ ଭଲ ଅଭ୍ୟାସ ଗଢ଼ିବାର ସମୟ। ଏଥିପାଇଁ ଚାରିଟି ମୁଖ୍ୟ ଦିଗ ଉପରେ ଧ୍ୟାନ ଦେବା ଦରକାର।

୧. ନିୟମିତ ଶାରୀରିକ ପରିଶ୍ରମହୃଦୟକୁ ସୁସ୍ଥ ରଖିବା ପାଇଁ ଜିମ୍ରେ ଘଣ୍ଟା ଘଣ୍ଟା ସମୟ ବିତାଇବା ଜରୁରୀ ନୁହେଁ। ଦ୍ରୁତ ଗତିରେ ଚାଲିବା, ସାଇକେଲ ଚଳାଇବା, ପହଁରିବା, ଦୌଡ଼ିବା, ନାଚିବା କିମ୍ବା କୌଣସି ଖେଳ ଖେଳିବା ମଧ୍ୟ ଉପକାରୀ। ନିୟମିତ ଭାବେ ଶାରୀରିକ ଭାବେ ସକ୍ରିୟ ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ସମୟ ଧରି ବସି ରହିବା ଅଭ୍ୟାସକୁ ମଧ୍ୟ କମାଇବା ଦରକାର।

୨. ଖାଦ୍ୟପାନୀୟ ଉପରେ ନଜରହୃଦୟ ପାଇଁ ଭଲ ଖାଦ୍ୟ ମାନେ କେବଳ ‘ଡାଏଟ୍ ଫୁଡ୍’ ନୁହେଁ। ଦୈନନ୍ଦିନ ଖାଦ୍ୟରେ ପରିବା, ଫଳ, ସମ୍ପୂର୍ଣ୍ଣ ଶସ୍ୟ, ଡାଲି, ବିନ୍ସ, ବାଦାମ ଓ ମଞ୍ଜି ଭଳି ଖାଦ୍ୟକୁ ସାମିଲ କରିବା ଉଚିତ। ଅଧିକ ପ୍ରୋସେସ୍ଡ ଫୁଡ୍, ଭଜା ଖାଦ୍ୟ, ଅଧିକ ଲୁଣ, ଚିନି ଥିବା ପାନୀୟ ଏବଂ ପ୍ୟାକେଜ୍ଡ ସ୍ନାକ୍ସ କମାଇବା ଭଲ।

୩ .ସୁସ୍ଥ ଅନୁଭବ କରିବା ଓ ଭିତରୁ ସୁସ୍ଥ ରହିବା ଗୋଟିଏ କଥା ନୁହେଁ। ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ରକ୍ତରେ ଅଧିକ ଶର୍କରା ଅନେକ ସମୟରେ କୌଣସି ଲକ୍ଷଣ ବିନା ରହିପାରେ। ତେଣୁ ସମୟ ସମୟରେ ବ୍ଲଡ୍ ପ୍ରେସର, କୋଲେଷ୍ଟ୍ରଲ, ବ୍ଲଡ୍ ସୁଗାର ଏବଂ ଓଜନ ଯାଞ୍ଚ କରିବା ଜରୁରୀ। ପରିବାରରେ କମ୍ ବୟସରେ ହୃଦରୋଗ, ଡାଇବେଟିସ୍ କିମ୍ବା ଉଚ୍ଚ ରକ୍ତଚାପର ଇତିହାସ ଥିଲେ ଆହୁରି ସଚେତନ ହେବା ଆବଶ୍ୟକ।

୪. ଧୂମପାନ ଛାଡ଼ନ୍ତୁ, ନିଦ ଓ ଷ୍ଟ୍ରେସ୍କୁ ଗୁରୁତ୍ୱ ଦିଅନ୍ତୁ

ହୃଦୟର ଯତ୍ନ କେବଳ ବ୍ୟାୟାମ ଓ ଖାଦ୍ୟରେ ସୀମିତ ନୁହେଁ। ଧୂମପାନ ରକ୍ତନଳୀ ଉପରେ ଖରାପ ପ୍ରଭାବ ପକାଇ ହୃଦରୋଗର ଝୁମ୍ପ ବଢ଼ାଇପାରେ। ଏହା ସହ ଅଧିକ ଷ୍ଟ୍ରେସ୍ ଏବଂ ଅପର୍ଯ୍ୟାପ୍ତ ନିଦ ମଧ୍ୟ ଦୀର୍ଘମିଆଦିରେ ହୃଦୟ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ବୟସ୍କମାନଙ୍କ ପାଇଁ ସାଧାରଣତଃ ୭ରୁ ୯ ଘଣ୍ଟା ନିଦକୁ ହୃଦୟ ସ୍ୱାସ୍ଥ୍ୟର ଏକ ଅଂଶ ଭାବେ ଗୁରୁତ୍ୱ ଦିଆଯାଏ।

ତେଣୁ ୩୦ ବର୍ଷ ବୟସରେ ହୃଦୟକୁ ନେଇ ଭୟଭୀତ ହେବା ନୁହେଁ, ବରଂ ଆଗୁଆ ସଚେତନ ହେବା ଆବଶ୍ୟକ। ଆଜିର ଛୋଟ ଛୋଟ ଅଭ୍ୟାସ ଅଧିକ ଚାଲିବା, ସୁସ୍ଥ ଖାଦ୍ୟ ଖାଇବା, ନିଜର ବ୍ଲଡ୍ ପ୍ରେସର ଓ କୋଲେଷ୍ଟ୍ରଲ ଜାଣିବା, ଧୂମପାନରୁ ଦୂରେଇବା ଏବଂ ଭଲ ନିଦ ନେବା ଆଗାମୀ ଦଶନ୍ଧିରେ ହୃଦୟ ସ୍ୱାସ୍ଥ୍ୟ ପାଇଁ ଭଲ ଭିତ୍ତି ତିଆରି କରିପାରେ।