ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଗରକର ନିଜର ଚୁକ୍ତି ଅବଧି ଆଉ ବଢ଼ାଇବାକୁ ଚାହୁଁନାହାନ୍ତି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) କୁ ଜଣାଇ ଦେଇଛନ୍ତି। ଏହା ସହ ଆସନ୍ତା ଅକ୍ଟୋବର ୪ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ, ଭାରତୀୟ ଦଳ ପାଇଁ ନୂଆ ମୁଖ୍ୟ ଚୟନକର୍ତ୍ତା ଖୋଜିବା ପ୍ରକ୍ରିୟା BCCI ଆରମ୍ଭ କରିବ ବୋଲି ଜଣାପଡ଼ିଛି।

ରୋହିତ ଶର୍ମାଙ୍କ ଭବିଷ୍ୟତ ଓ ମତଭେଦ ପାଲଟିଲା କାରଣ ?

ମିଳିଥିବା ସୂଚନା ଅନୁଯାୟୀ, ଚୟନ କମିଟି ନେଉଥିବା କିଛି ନିଷ୍ପତ୍ତି ଏବଂ ଦଳର ଆଗାମୀ ଯୋଜନାକୁ ନେଇ ବୋର୍ଡର ଶୀର୍ଷ ଅଧିକାରୀଙ୍କ ସହ ଅଗରକରଙ୍କ ମତଭେଦ ଦେଖାଦେଇଥିଲା। ବିଶେଷ କରି ୨୦୨୭ ଦିନିକିଆ ବିଶ୍ୱକପକୁ ଆଖିଆଗରେ ରଖି ରୋହିତ ଶର୍ମାଙ୍କ ପରବର୍ତ୍ତୀ ବିକଳ୍ପ ପ୍ରସ୍ତୁତ କରିବାକୁ ଚୟନକର୍ତ୍ତାମାନେ ଚାହୁଁଥିଲେ। କିନ୍ତୁ ବୋର୍ଡ ନେତୃତ୍ୱ ରୋହିତଙ୍କ ସପକ୍ଷରେ ଥିବା ଏବଂ ଚୟନ କମିଟିର ସମ୍ପୂର୍ଣ୍ଣ ରୋଡମ୍ୟାପ୍ କାର୍ଯ୍ୟକାରୀ ହୋଇନପାରିବାରୁ ଅଗରକର କ୍ଷୁବ୍ଧ ଥିବା କୁହାଯାଉଛି।

Also Read: ଆଜିର ଦିନରେ ଯୁବରାଜ ମାରିଥିଲେ ୬ ଛକା, କାହିଁକି ରାଗିଥିଲେ ଯୁବି; ଏହା ପଛର କାହାଣୀ କ’ଣ ଥିଲା ?

ଟ୍ରଫିରେ ଭରା ସଫଳ କାର୍ଯ୍ୟକାଳ

ଜୁଲାଇ ୨୦୨୩ରେ ଅଜିତ ଅଗରକର ଚୟନ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ରହିଥିଲା। ତାଙ୍କ ଚୟନକର୍ତ୍ତା ସମୟରେ ଭାରତ ୨୦୨୪ ଓ ୨୦୨୬ T20 ବିଶ୍ୱକପ୍ ଚାମ୍ପିଅନ ହୋଇଛି। ପୁଣି ୨୦୨୫ ICC ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ରୋହିତ ବାହିନୀ। ୨୦୨୩ ଓ ୨୦୨୫ ଏସିଆ କପରେ ଭାରତ ଟ୍ରଫି ଉଠାଇଥିଲା। ଏହା ସହ ୨୦୨୩ ବିଶ୍ଵକପରେ ଫାଇନାଲରେ ପ୍ରବେଶ କରିଥିଲା।

କିନ୍ତୁ ତାଙ୍କର ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟକାଳରେ ଭାରତ ୨୦୧୨ ପରେ ପ୍ରଥମ ଥର ଘରୋଇ ମାଟିରେ ଟେଷ୍ଟ ସିରିଜ୍ ହାରିବାର ଅପକୀର୍ତ୍ତି ଅର୍ଜିଛି। ୨୦୨୪ରେ ଭାରତ ଘରୋଇ ମାଟିରେ ନ୍ୟୁଜିଲାଣ୍ଡଠୁ ୦-୩ରେ ସିରିଜ୍ ହାରିଥିଲା। ଏହା ପରେ ପୁଣି ୨୦୨୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ୦-୨ରେ ପରାଜିତ ହୋଇଥିଲା। ଏହା ପରେ ରୋହିତ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ଏବଂ ଶୁଭମନ ଗିଲ୍ ଦଳର ନେତୃତ୍ଵ ଭାର ସମ୍ଭାଳିଥିଲେ।

Also Read: ଏସିଆନ୍ ଗେମ୍ସରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ପାଇଁ ରହିବାର ଅଲଗା ବ୍ୟବସ୍ଥା କଲା ବିସିସିଆଇ

ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି

ଏନେଇ BCCI ସମ୍ପାଦକ ଦେବଜୀତ ସାଇକିଆ ସୂଚନା ଦେଇଛନ୍ତି ଯେ, ଅଗରକରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ପ୍ରାୟ ୧୫ ଦିନ ବାକି ଅଛି। ଆଗାମୀ ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଦଳ ଚୟନ ଶେଷ ହେବା ପରେ, ବୋର୍ଡ ଆନୁଷ୍ଠାନିକ ଭାବେ ନୂଆ ଚୟନକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ଶେଷ କରିବ।