• ଏହି ନୋଟିସ୍ ‘ଅନ ମ୍ୟାପଡ ୱିଥ ଲାଷ୍ଟ ଏସଆଇଆର’ ଶ୍ରେଣୀରେ ଦିଆଯାଇଛି
  • ଇନୁମେରେସନ ଫର୍ମରେ ପିଛିଲା ଭୋଟର ଲିଷ୍ଟ ସହ ଲିଂକ କରାଇବା ପାଇଁ ଜରୁରୀ ସୂଚନା ସମ୍ପୂର୍ଣ୍ଣ ନଥିଲା
  • ନୋଟିସ୍ ମିଳିବା ପରେ ସମ୍ବଦ୍ଧିତ ଭୋଟରଙ୍କୁ ଜରୁରି ଡକ୍ୟୁମେଣ୍ଟ ଇଆରଓଙ୍କ ନିକଟରେ ଜମା କରିବାକୁ ପଡିବ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାରି ଭୋଟର ଲିଷ୍ଟ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର)ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ)ର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ପରିବାରକୁ ନିର୍ବାଚନ ଅଧିକାରୀ ନୋଟିସ୍ ଜାରି କରିଛନ୍ତି। ଏହି ନୋଟିସ୍ ‘ଅନ ମ୍ୟାପଡ ୱିଥ ଲାଷ୍ଟ ଏସଆଇଆର’ ଶ୍ରେଣୀରେ ଦିଆଯାଇଛି। ଏହି ନୋଟିସ୍ ମିଳିବା ପରେ ଆପ ନିର୍ବାଚନ ଆୟୋଗଙ୍କ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି।

ଏହି ନୋଟିସ୍ ରେ ଅରବିନ୍ଦ କେଜରିୱାଲ, ତାଙ୍କ ପତ୍ନୀ ସୁନୀତା କେଜରିୱାଲ, ପିତା ଗୋବିନ୍ଦ ରାମ କେଜରିୱାଲ, ମା ଗୀତା ଦେବୀ ଓ ପୁଅ ପୁଲକିତ କେଜରିୱାଲଙ୍କ ନାମରେ ଜାରି ହୋଇଛି। ଏମାନେ ସମସ୍ତେ ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ରର ଏକ ଅଞ୍ଚଳରେ ସେହି ୧୧୦ ଭୋଟରଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନଙ୍କୁ ଏହି ଶ୍ରେଣୀରେ ନୋଟିସ୍ ଜାରି ହୋଇଛି।

ପୁରା ମାମଲା କ’ଣ?
ଏସଆଇଆର କାଳରେ କେଜରିୱାଲ ଓ ତାଙ୍କ ପରିବାର ସଦସ୍ୟଙ୍କ ଭୋଟର ଏଣ୍ଟ୍ରି ଯାଞ୍ଚ କରାଯାଇଛି। ଏହି ଯାଞ୍ଚରେ ସେମାନଙ୍କ ସୂଚନା ପିଛିଲା ଏସଆଇଆର ସହ ଲିଂକ ହୋଇପାରି ନାହିଁ। ଇଆରଓଙ୍କ ଅନୁସାରେ ସେମାନଙ୍କ ଦ୍ୱାରା ଜମା କରାଯାଇଥିବା ଇନୁମେରେସନ ଫର୍ମରେ ପିଛିଲା ଭୋଟର ଲିଷ୍ଟ ସହ ଲିଂକ କରାଇବା ପାଇଁ ଜରୁରୀ ସୂଚନା ସମ୍ପୂର୍ଣ୍ଣ ନଥିଲା। ଏହି ପ୍ରକ୍ରିୟାରେ ଏପରି ଭୋଟରଙ୍କୁ ନୋଟିସ୍ ଜାରି କରାଯାଏ। ନୋଟିସ୍ ମିଳିବା ପରେ ସମ୍ବଦ୍ଧିତ ଭୋଟରଙ୍କୁ ଜରୁରି ଡକ୍ୟୁମେଣ୍ଟ ଇଆରଓଙ୍କ ନିକଟରେ ଜମା କରିବାକୁ ପଡିବ। ଏହି ନୋଟିସ୍ ୨୯ ଅକ୍ଟୋବର ୨୦୨୬ ସୁଧା ସମାଧାନ ହେବା ଆବଶ୍ୟକ। ଡକ୍ୟୁମେଣ୍ଟ ଯାଞ୍ଚ ପରେ କେଜରିୱାଲ ଓ ତାଙ୍କ ପରିବାରଙ୍କ ନାମ ଚୂଡ଼ାନ୍ତ ଭୋଟର ଲିଷ୍ଟରେ ସାମିଲ କରିବା ପାଇଁ ଭେଲିଡେଟ୍ ଓ ମାର୍କ କରାଯିବ।

ଇଆରଓ କହୁଛନ୍ତି କ’ଣ?
ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଏହି ପ୍ରକ୍ରିୟା ନିୟମାନୁସାରେ ହେଉଛି। ନୋଟିସ୍ ଜାରି ହେବାର ଅର୍ଥ ଭୋଟର ଲିଷ୍ଟରୁ ନାମ କଟିବା ନୁହେଁ। ଡକ୍ୟୁମେଣ୍ଟ ଓ ସୂଚନା ଯାଞ୍ଚ ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ କରାଯିବ। ଇଆରଓଙ୍କ କହିବା କଥା ହେଉଛି କୌଣସି ଯୋଗ୍ୟ ଭୋଟର ଯେପରି ଭୋଟର ଲିଷ୍ଟରୁ ବାଦ ନ ପଡନ୍ତି ଓ ଯେପରି କୌଣସି ଅଯୋଗ୍ୟ ବ୍ୟକ୍ତି ଏଥିରେ ସାମିଲ ନ ହୁଅନ୍ତି।

କେଜରିଲାଙ୍କ ନାମ କିପରି ହେଲା ‘ଅନମ୍ୟାପଡ୍’?
ଅରବିନ୍ଦ କେଜରିୱାଲ ଓ ତାଙ୍କ ପରିବାରକୁ ନୋଟିସ୍ ମିଳିବା ପରେ ଆମ ଆଦମୀ ପାର୍ଟି ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିଛି। ପାର୍ଟି ଦିଲ୍ଲୀର ୩ ଥର ମୁଖ୍ୟମନ୍ତ୍ରୀ ଥିବା ଅରବିନ୍ଦ କେଜରିୱାଲ ଓ ତାଙ୍କ ପରିବାର ପିଛିଲା ଏସଆଇଆର ସୂଚୀ ସହ ମ୍ୟାପ ହୋଇ ପାରିଲାନି କିପରି ବୋଲି ପ୍ରଶ୍ନ କରିଛି। ଆପ ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ ସ୍ଥିତି ସ୍ପଷ୍ଟ କରିବାକୁ ଦାବି କରିଛି।

ଦିଲ୍ଲୀ ଏସଆଇଆରରେ ୪୭ ଲକ୍ଷ ଭୋଟର ଡ୍ରାଫ୍ଟରୁ ଆଉଟ୍
ଦିଲ୍ଲୀ ଏସଆଇଆରରେ ଅଗଷ୍ଟ ୩୧ ତାରିଖ ଦିନ ଡ୍ରାଫ୍ଟ ଭୋଟର ଲିଷ୍ଟ ଜାରି କରାଯାଇଥିଲା। ରିପୋର୍ଟ ଅନୁସାରେ ପିଛିଲା ତୁଳନାରେ ପାଖାପାଖି ୪୭.୬ ଲକ୍ଷ ନାମ ଡ୍ରାଫ୍ଟ ରୋଲରେ ସାମିଲ ହୋଇ ନାହିଁ। ଏହା ପରେ ବହୁ ସଂଖ୍ୟକ ଭୋଟରଙ୍କୁ ସତ୍ୟାପନ ଓ ଦାବି ଆପତ୍ତି ପ୍ରକ୍ରିୟା ଦେଇ ଗତି କରିବାକୁ ପଡୁଛି। ନିର୍ବାଚନ ଅଧିକାରୀଙ୍କ ଅନୁସାରେ ଯେଉଁ ପାତ୍ର ଭୋଟରଙ୍କ ନାମ ଡ୍ରାଫ୍ଟ ସୂଚୀରେ ନାହିଁ, ସେମାନେ ସେପ୍ଚେମ୍ବର ୩୦ ତାରିଖ ସୁଦ୍ଧା ଫର୍ମ-୬ ମାଧ୍ୟମରେ ନାମ ସାମିଲ କରିବାକୁ ଦାବି ଉପସ୍ଥାପନ କରିପାରିବେ।