କଟକ : ଦୁର୍ଗାପୂଜା କେବଳ ମା’ ଦୁର୍ଗାଙ୍କ ଆରାଧନା ନୁହେଁ, ଏହା ଭାରତୀୟ ସଂସ୍କୃତି, ପରମ୍ପରା ଓ ଲୋକବିଶ୍ୱାସର ଏକ ଅନନ୍ୟ ପର୍ବ। ଦେଶର ବିଭିନ୍ନ ପ୍ରାନ୍ତରେ ଦୁର୍ଗାପୂଜା ପାଳନର ରହିଛି ଭିନ୍ନ ଭିନ୍ନ ରୀତିନୀତି। ତେବେ ଏମିତି କିଛି ପରମ୍ପରା ରହିଛି, ଯାହା ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। କଟକର ଦୁର୍ଗାପୂଜା କେବଳ ବଡ଼ ବଡ଼ ମେଢ଼ ଓ ରୁପା ତାରକସି ସାଜସଜ୍ଜା ପାଇଁ ପ୍ରସିଦ୍ଧ ନୁହେଁ, ଏଠାକାର ଅନନ୍ୟ ପରମ୍ପରା ଓ ସ୍ୱତନ୍ତ୍ର ପୂଜାବିଧି ମଧ୍ୟ ଏହାର ବିଶେଷ ପରିଚୟ। ସେଭଳି ସହରର ବିଭିନ୍ନ ସାହିରେ ଆଜି ବି ପାଳିତ ହେଉଛି ଅନେକ ପୁରାତନ ରୀତିନୀତି ଓ ନିଆରା ଉପାସନା ପରମ୍ପରା। ଟେଲେଙ୍ଗା ବଜାରର ପିତ୍ତଳ ମହାଦେବ ମୂର୍ତ୍ତିଠାରୁ ଆରମ୍ଭ କରି ଭଗତପୁରର ଦୁଇ ହାତ ବିଶିଷ୍ଟ ମା’ ବଗଳାମୁଖୀ ଏବଂ ଟାଉନ୍ ହଲ୍ ରୋଡ୍ର ବୃଷଭ ବାହନ ରୂପରେ ପୂଜିତ ମା’ଙ୍କ ପର୍ଯ୍ୟନ୍ତ ଏହି ସବୁ ପୂଜା କଟକର ସମୃଦ୍ଧ ଲୋକପରମ୍ପରା, ଆସ୍ଥା ଓ ସାଂସ୍କୃତିକ ବିବିଧତାର ଅନନ୍ୟ ଝଲକ ପ୍ରଦାନ କରେ।

୧) ତେଲେଙ୍ଗା ବଜାର ପୂଜା : ଯେଉଁଠି ୪୦ ବର୍ଷର ପରମ୍ପରା ସହ ଜଡି଼ତ ମହାଦେବଙ୍କ ପିତଳ ମୂର୍ତ୍ତି । ତେଲେଙ୍ଗା ବଜାର ପୂଜା କମିଟି ଏହାର ନିଆରା ପିତଳ ମୂର୍ତ୍ତି ଓ ପରମ୍ପରା ପାଇଁ ବେଶ୍ ପରିଚିତ। ଏଠାରେ ୫ ଦଶନ୍ଧିରୁ ଅଧିକ ସମୟ ଧରି ଦୁର୍ଗାପୂଜା ଆୟୋଜିତ ହୋଇଆସୁଛି। ଏଠାରେ ମୁଖ୍ୟ ଦେବତା ଭାବେ ମହାଦେବଙ୍କୁ ପୂଜା କରାଯାଏ। ୨୦୨୨ ମସିହାରେ ୧୫୦ କିଲୋଗ୍ରାମରୁ ଅଧିକ ଓଜନର ପିତଳ ମହାଦେବଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା। କଟକ ବଙ୍ଗାଳିସାହିର କାରିଗର ଏହି ମୂର୍ତ୍ତି ତିଆରି କରିଥିଲେ। ତେବେ ଚଳିତବର୍ଷ କିନ୍ତୁ ପୂଜାକୁ ସରଳ ଭାବେ ଆୟୋଜନ କରାଯାଉଛି। ବିସର୍ଜନ ଦିନ ଏଠାରେ ଏକ ନିଆରା ପରମ୍ପରା ପାଳନ କରାଯାଏ। ଦେବୀଗଡ଼ା ନିକଟରେ ସ୍ୱତନ୍ତ୍ର ମଞ୍ଚ ପ୍ରସ୍ତୁତ କରାଯାଇ ସେଠାରେ ମହାଦେବଙ୍କ ମୂର୍ତ୍ତି ରଖାଯାଏ। ବିସର୍ଜନ ଶୋଭାଯାତ୍ରାରେ ସାମିଲ ହେଉଥିବା ପ୍ରତ୍ୟେକ ପୂଜା କମିଟିକୁ ଭୋଗ ହାଣ୍ଡି ଓ ଫୁଲମାଳ ଦେଇ ସମ୍ମାନିତ କରାଯାଏ।

୨) ଭଗତପୁରର ଦୁଇ ହାତରେ ପୂଜା ପାଉଥିବା ମା’ ଦୁର୍ଗା : ଭଗତପୁରରେ ଦୁର୍ଗାପୂଜା ସମୟରେ ଅଧିଷ୍ଠାତ୍ରୀ ଦେବୀ ମା’ ବଗଳାମୁଖୀଙ୍କୁ ଏକ ନିଆରା ରୂପରେ ପୂଜା କରାଯାଏ। ସାଧାରଣତଃ ଦଶଭୁଜା ରୂପରେ ମା’ ଦୁର୍ଗାଙ୍କୁ ପୂଜା କରାଯାଉଥିବାବେଳେ ଏଠାରେ ଦେବୀଙ୍କୁ ଦୁଇ ହାତ ବିଶିଷ୍ଟ ରୂପରେ ଦର୍ଶାଯାଏ। ଗୋଟିଏ ହାତରେ ଗଦା ଏବଂ ଅନ୍ୟ ହାତରେ ଅସୁରର ଜିଭ ଧରିଥିବା ରୂପରେ ମା’ଙ୍କୁ ଦର୍ଶନ କରାଯାଏ। ଏଠାକାର ପୂଜାର ଆଉ ଏକ ବିଶେଷତ୍ୱ ହେଉଛି ହଳଦିଆ ରଙ୍ଗ। ପୂଜାର ପ୍ରାୟ ପ୍ରତ୍ୟେକ ଦିଗରେ ହଳଦିଆ ରଙ୍ଗକୁ ପ୍ରାଧାନ୍ୟ ଦିଆଯାଏ। ମା’ଙ୍କୁ ହଳଦିଆ ବସ୍ତ୍ର ପିନ୍ଧାଯାଏ, ହଳଦିଆ ଫୁଲ ଅର୍ପଣ କରାଯାଏ। ଏପରିକି ସିନ୍ଦୂର, ଅନ୍ନଭୋଗ ଓ ପୂଜା ମଣ୍ଡପର ସାଜସଜ୍ଜାରେ ମଧ୍ୟ ହଳଦିଆ ରଙ୍ଗର ବ୍ୟବହାର ହୁଏ। ଏଠାରେ ମା’ଙ୍କ ମୂର୍ତ୍ତି ସିଂହ ଉପରେ ନୁହେଁ, ବରଂ ଜଣେ ଅସୁର ଉପରେ ଦଣ୍ଡାୟମାନ ରୂପରେ ରହିଥାଏ। ଅନ୍ୟ ଜଣେ ଅସୁରଙ୍କୁ ମଧ୍ୟ ମା’ଙ୍କ ପାଖରେ ଦର୍ଶାଯାଇଥାଏ। ମା’ ଓ ଅନ୍ୟ ଦେବଦେବୀଙ୍କୁ ରୁପା ଅଳଙ୍କାରରେ ସଜାଯାଏ। ମଣ୍ଡପର ସାଜସଜ୍ଜାରେ ତିନୋଟି ଆଲୋକିତ ତୋରଣ ରହିବ। ବିସର୍ଜନ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟଯନ୍ତ୍ରର ବ୍ୟବହାର କରାଯିବ।

୩) ଟାଉନ୍ ହଲ୍ ରୋଡ୍: ନିଆରା ବୃଷଭ ବାହନ ରୂପରେ ମା’ଙ୍କ ଦର୍ଶନଟାଉନ୍ ହଲ୍ ରୋଡ୍ରେ ଥିବା ସ୍ଥାନୀୟ ମନ୍ଦିରରେ ଦୀର୍ଘଦିନ ଧରି ମା’ ଗୋଶାମଣୀଙ୍କ ପୂଜା କରାଯାଉଛି। ୧୯୫୦ ମସିହାରେ ଏଠାରେ ଦୁର୍ଗାପୂଜାର ପରମ୍ପରା ଆରମ୍ଭ ହୋଇଥିଲା। ସେତେବେଳେ ଦଶହରା ଅବସରରେ ପ୍ରଥମଥର ପାଇଁ ହର-ପାର୍ବତୀଙ୍କ ମୂର୍ତ୍ତି ପୂଜା କରାଯାଇଥିଲା। ୧୯୭୮ ମସିହାରେ ସ୍ଥାୟୀ ମଣ୍ଡପ ନିର୍ମାଣ ହେବା ପରେ ଏଠାରେ ପୂଜା ପରମ୍ପରା ଆହୁରି ଦୃଢ଼ ହୋଇଥିଲା।ପ୍ରତିବର୍ଷ ଏଠାକାର ପୂଜା କମିଟି ନିଆରା ଥିମ୍ ମାଧ୍ୟମରେ ଭକ୍ତଙ୍କୁ ଆକର୍ଷିତ କରିଆସୁଛି। ଗତବର୍ଷ ନେପାଳର ସିଦ୍ଧିଲକ୍ଷ୍ମୀଙ୍କ ରୂପକୁ ଆଧାର କରି ମୂର୍ତ୍ତି ନିର୍ମାଣ କରାଯାଇଥିଲା। ଚଳିତବର୍ଷ ଭକ୍ତମାନେ ମା’ଙ୍କ ବୃଷଭ ବାହନ ରୂପ ଦର୍ଶନ କରିବେ। ଏହି ରୂପ ଭଗବାନ ଶିବଙ୍କ ବାହନ ଓ ଦ୍ୱାରପାଳ ଭାବେ ପରିଚିତ ପବିତ୍ର ଧଳା ବୃଷଭ ନନ୍ଦୀଙ୍କ ସହ ଜଡ଼ିତ। ହିନ୍ଦୁ ପରମ୍ପରାରେ ନନ୍ଦୀ ଶକ୍ତି, ବିଶ୍ୱସ୍ତତା ଓ ଅଟଳ ଭକ୍ତିର ପ୍ରତୀକ ଭାବେ ପରିଚିତ। ତେବେ ଏହି ତିନି ନିଆରା ପୂଜାର ପରମ୍ପରାକୁ ନେଇ କଟକର ଦୁର୍ଗାପୂଜା ଆଜି ବି ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି। କେଉଁଠି ପିତଳର ମହାଦେବ, କେଉଁଠି ଦୁଇ ହାତରେ ମା’ ବଗଳାମୁଖୀ, ତ ଆଉ କେଉଁଠି ବୃଷଭ ବାହନ ରୂପରେ ମା’ଙ୍କ ଦର୍ଶନ। ପରମ୍ପରା ସହ ନୂଆ ଚିନ୍ତାଧାରାର ଏହି ଅପୂର୍ବ ସମନ୍ୱୟ ହିଁ କଟକର ଦୁର୍ଗାପୂଜାକୁ କରିଛି ସ୍ୱତନ୍ତ୍ର।