ଭୁବନେଶ୍ୱର ୨୫/୦୨: ଅସତ ଧନ ବଢ଼େ ବହୁତ, ଗଲା ବେଳେ ଯାଏ ମୂଳ ସହିତ । ଶେଷରେ ସେୟା ଘଟିଛି । ଅନ୍ୟାୟ ଟଙ୍କା ସାମ୍ରାଜ୍ୟରେ ପଡିଛି ଯବନିକା । ବନ୍ଧା ହୋଇଛନ୍ତି କୁବେର ଖଣି ଅଧିକାରୀ ତଥା କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ।

ଅସତ ଟଙ୍କାରେ ଛିଡା କରିଥିଲେ ଟଙ୍କାର ପାହାଡ । ଆଉ ସେହି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଖଣି ଅଧିକାରୀ ଗିରଫ ନେଇ ଭିଜିଲାନ୍ସ ଏସ୍ପିଙ୍କ ସୂଚନା ଦେଇଛନ୍ତି । ଏସ୍ପି କହିଛନ୍ତି ଏପର୍ଯ୍ୟନ୍ତ ଭିଜିଲାନ୍ସ ରେଡ୍‌ରେ ନଗଦ ଟଙ୍କା ଜବତରେ ସର୍ବାଧିକ । କଟକ ଖଣି ଉପ-ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଗିରଫ, ଘରୁ ୪ କୋଟି ୨୭ ଲକ୍ଷ ୧୮ ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ ଟିମ୍ । 

ଏହା ବ୍ୟତୀତ, ଏପର୍ଯ୍ୟନ୍ତ ଠାବ ହୋଇଥିବା ଅନ୍ୟ ସମ୍ପତ୍ତିଗୁଡ଼ିକ ମଧ୍ୟରେ ଭୁବନେଶ୍ୱରର ପାହାଳରେ ପ୍ରାୟ ୨୪୦୦ ବର୍ଗଫୁଟ କ୍ଷେତ୍ରଫଳ ସହିତ ଏକ ବିଳାସମୟ ଦ୍ୱିମହଲା କୋଠା ଓ ପ୍ରାୟ ୧୩୦ ଗ୍ରାମ ସୁନା। ଖଣି ଅଧିକାରୀଙ୍କର ଅମାପ ସମ୍ପତ୍ତି । ଭିଜିଲାନ୍ସ ଜାଲରେ ପଡ଼ିଥିବା କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ୪ କୋଟି ଟଙ୍କା ଜବତ କରାଯାଇଛି ।

also read..

ଡବଲ ଇଞ୍ଜିନ ସରକାର କେବେ ବି ଦୁର୍ନୀତିକୁ ପ୍ରଶ୍ରୟ ଦେବନାହିଁ, ଯେତେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିଲେ ବି ଛଡ଼ାଯିବ ନାହିଁ

ଏଥିସହ ତାଙ୍କ ଅଫିସ୍ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି । ଖାଲି ଟଙ୍କା ନୁହେଁ ବିପୁଳ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ପାଖାପାଖି ୧୩୦ ଗ୍ରାମ୍‌ ସୁନା ମିଳିଛି ବାବୁଙ୍କ ଘରୁ । ଭୁବନେଶ୍ବର ପାହାଳରେ ୨୪ ଶହ ବର୍ଗଫୁଟର ଏକ ଦୁଇ ମହଲା ଘର ମଧ୍ୟ ରହିଛି । 

ଏବେବି ବାବୁଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ରେଡ୍ ଚାଲିଥିବାରୁ ଆହୁରି ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇପାରେ । ଜଣେ ବାବୁଙ୍କ ଘରୁ ୪ କୋଟିରୁ ଅଧିକ ଟଙ୍କା ମିଳିବା ଘଟଣା ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ ବୋଲି କୁହାଯାଉଛି । ଜଣେ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ।