• ଗତବର୍ଷ ଏପ୍ରିଲ ମାସରେ ପାକିସ୍ତାନ ଭାରତ ନିମନ୍ତେ ନିଜ ଏୟାରସ୍ପେସ୍ ବନ୍ଦ କରିଥିଲା
  • ଇରାକ୍ ର ଏୟାରସ୍ପେସ୍ ଖୋଲିବା ଏୟାର ଇଣ୍ଡିଆକୁ ବିକଳ୍ପ ଓ ସଂକ୍ଷିପ୍ତ ମାର୍ଗ ମିଳିଛି
  • ଦିଲ୍ଲୀରୁ ଜେଏଫକେ ଓ ନେଭାର୍କ ଉଡାଣ ଲାଗି ଏୟାର ଇଣ୍ଡିଆ ତାର ଏୟାରବସ୍ ଏ-୩୫୦-୯୦୦ ବିମାନ ଉପଯୋଗ କରୁଛି
  • ମୁମ୍ବାଇରୁ ଜେଏଫକେ ଓ ନେଭାର୍କ ଲାଗି ବୋଇଂ-୭୭୭-୩୦୦ଇଆର ମାଧ୍ୟମରେ ବିମାନ ସେବା ସଞ୍ଚାଳନ କରାଯାଉଛି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଦିଲ୍ଲୀ ଓ ମୁମ୍ବାଇରୁ ନ୍ୟୁୟର୍କକୁ ପୁଣି ଥରେ ନନଷ୍ଟପ ଉଡାଣ ଆରମ୍ଭ କରିଛି। କେତେକ ଅନ୍ତର୍ଜାତୀୟ ଏୟାର ସ୍ପେସ୍ ଉପରେ ଜାରି କଟକଣା ହଟିବା ପରେ ଏୟାରଲାଇନ କୁ ଏବେ ରାସ୍ତାରେ ଇନ୍ଧନ ଭରିବା ପାଇଁ ଆଉ ଇଟାଲୀ ଅଥବା ରୋମରେ ଟେକ୍ନିକାଲ ଷ୍ଟପର ଆବଶ୍ୟକତା ପଡିବନି। ନଭେମ୍ବର ୧୫ ତାରିଖରେ ଏୟାର ଇଣ୍ଡିଆ ଏକ ଅଧିକାରୀକ ବୟାନ ଜାରି କରି ଭାରତ-ନ୍ୟୁୟର୍କ ମଧ୍ୟରେ ସମସ୍ତ ୪ ପ୍ରମୁଖ ରୁଟରେ ସିଧା ସେବା ପୁଣି ଆରମ୍ଭ ହୋଇଥିବା ସୂଚିତ କରିଛି। ଏହି ନିଷ୍ପତ୍ତି ଯୋଗୁ ଯାତ୍ରୀଙ୍କୁ ସେମାନଙ୍କ ଯାତ୍ରାରେ ୫ ଘଣ୍ଟା କମ ପଡିବ। ପୂର୍ବରୁ ଯେଉଁ ଉଡାଣ ୨୨ ଘଣ୍ଟା ଲାଗୁଥିଲା ତାହା ଏବେ ୧୭ ଘଣ୍ଟାରେ ଶେଷ ହେବ।

ଗତବର୍ଷ ଏପ୍ରିଲ ମାସରେ ପାକିସ୍ତାନ ଭାରତ ନିମନ୍ତେ ନିଜ ଏୟାରସ୍ପେସ୍ ବନ୍ଦ କରିଥିଲା। ଏହା ପରେ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା କାରଣରୁ ମଧ୍ୟପ୍ରାଚ୍ୟର କିଛି ଅଂଶରେ ମଧ୍ୟ କଟକଣା ଲାଗୁ ହୋଇଥିଲା। ଏହିସବୁ ପରିସ୍ଥିତି ଯୋଗୁ ଭାରତ ଏବଂ ଉତ୍ତର ଆମେରିକା ମଧ୍ୟରେ ଉଡାଣ ରୁଟ ପ୍ରଭାବିତ ହୋଇଥିଲା। ଏଣୁ ଦିଲ୍ଲୀ ଓ ମୁମ୍ବାଇରୁ ନ୍ୟୁୟର୍କର ଜନ ଏଫ. କେନେଡି ଓ ନେଭାର୍କ ଲିବର୍ଟି ଏୟାରପୋର୍ଟ ଯାଉଥିବା ଉଡାଣ ଲାଗି ଇନ୍ଧନ ଭରିବାକୁ ରୋମରେ ଅଟକିବାକୁ ପଡୁଥିଲା।

ମିଡିଆ ରିପୋର୍ଟସ୍ ଅନୁସାରେ ଭାରତ ନିମନ୍ତେ ପାକିସ୍ତାନ ଏୟାରସ୍ପେସ୍ ଏବେବି ବନ୍ଦ ଥିବା ବେଳେ ଇରାକ୍ ର ଏୟାରସ୍ପେସ୍ ଖୋଲିବା ଏୟାର ଇଣ୍ଡିଆକୁ ବିକଳ୍ପ ଓ ସଂକ୍ଷିପ୍ତ ମାର୍ଗ ମିଳିଛି, ଏଣୁ ଯାତ୍ରା ସମୟ ହ୍ରାସ ହୋଇଛି। ବର୍ତ୍ତମାନ ଏୟାର ଇଣ୍ଡିଆ ଦିଲ୍ଲୀ ଓ ମୁମ୍ବାଇରୁ ଜେଏଫକେ ଏୟାରପୋର୍ଟକୁ ଦୈନିକ ଗୋଟିଏ ଗୋଟିଏ ଉଡାଣ ସଞ୍ଚାଳିତ କରୁଛି। ଏହା ଛଡା ଦିଲ୍ଲୀ-ନେଭାର୍କ ରୁଟରେ ସପ୍ତାହକୁ ୪ ଓ ମୁମ୍ବାଇ ନେଭାର୍କ ରୁଟରେ ସପ୍ତାହକୁ ୩ ଉଡାଣ ସଞ୍ଚାଳିତ ହେଉଛି। ଏୟାର ଇଣ୍ଡିଆର ଏହି ନନଷ୍ଟପ ସେବା ଏପରି ସମୟରେ ଆରମ୍ଭ ହୋଇଛି ଯେତେବେଳେ ଆମେରିକାର ଏଭିଏସନ ସେକ୍ଚର ଏକ ବଡ଼ ସଂକଟରୁ ମୁକୁଳିଛି।

ଦିଲ୍ଲୀରୁ ଜେଏଫକେ ଓ ନେଭାର୍କ ଉଡାଣ ଲାଗି ଏୟାର ଇଣ୍ଡିଆ ତାର ଏୟାରବସ୍ ଏ-୩୫୦-୯୦୦ ବିମାନ ଉପଯୋଗ କରୁଛି। ଏଥିରେ ଫୁଲ ଫ୍ଲାଟବେଡ୍ ୨୮ ବିଜନେସ କ୍ଲାସ୍ ସୁଇଟ୍ ସହିତ ୨୪ ପ୍ରିମିୟମ ଇକୋନମୀ ସିଟ୍ ଓ ୨୬୪ଟି ଇକୋନମୀ କ୍ଲାସ୍ ସିଟ୍ ରହିଛି। ସେହିପରି ମୁମ୍ବାଇରୁ ଜେଏଫକେ ଓ ନେଭାର୍କ ଲାଗି ବୋଇଂ-୭୭୭-୩୦୦ଇଆର ମାଧ୍ୟମରେ ବିମାନ ସେବା ସଞ୍ଚାଳନ କରାଯାଉଛି। ଏଥିରେ ପ୍ରାଇଭେସି ଲାଗି ସ୍ଲାଇଡିଂ ଦ୍ୱାର ଥିବା ୮ ଫାଷ୍ଟକ୍ଲାସ୍ ସୁଇଟ୍ ସମେତ ୪୦ ଫ୍ଲାଟବେଡ୍ ବିଜନେସ୍ କ୍ଲାସ୍ ସିଟ୍ ଓ ୨୮୦ ବିଜନେସ୍ କ୍ଲାସ୍ ସିଟ୍ ରହିଛି। ଏୟାର ଇଣ୍ଡିଆ କହିଛି ଯେ ନନଷ୍ଟପ ବିମାନ ସେବା ଆରମ୍ଭ ଯୋଗୁ ଉନ୍ନତ ବିମାନ ଓ କ୍ୟାବିନ ସୁବିଧା ଯୋଗୁ ଭାରତ-ଆମେରିକା ବଜାରରେ ବ୍ୟବସାୟ ଅଧିକ ମଜଭୁତ ହେବା ସହ ଯାତ୍ରୀଙ୍କୁ ଅଧିକ ସୁବିଧା ଓ କନେକ୍ଟିଭିଟି ମିଳିବ।