ମୁମ୍ବାଇ: ଭାରତର କେତେକ ଫାଷ୍ଟ ଗ୍ରୋଇଙ୍ଗ ଫୁଟୱେର ବ୍ରାଣ୍ଡ ଆଜିକାଲି ସୋସିଆଲ ମିଡିଆକୁ ସେମାନଙ୍କର ଦୋକାନ ଭଳି ଉପଯୋଗ କରିବା ଆରମ୍ଭ କରିଦେଲେଣି। ଯେତେବେଳେ କୌଣସି ଗ୍ରାହକ ପୋଷ୍ଟ ତଳେ ଜୋତାର ଆକାର ଓ ଆରାମକୁ ନେଇ କିଛି କମେଣ୍ଟ କରନ୍ତି, ବ୍ରାଣ୍ଡର ଟିମ୍ ମାତ୍ର କିଛି ମିନିଟ୍ ରେ ସିଧାସଳଖ ଲିଂକ ସହିତ ରିପ୍ଲାଇ କରିଦେଉଛନ୍ତି। ଏକ ଛୋଟିଆ କମେଣ୍ଟର ଦ୍ରୁତ ଜବାବ ଗ୍ରାହକଙ୍କ ଭରସା ଜିତି ନେଉଛି ଓ ପୋଷ୍ଟ ତୁରନ୍ତ ଅର୍ଡରରେ ବଦଳି ଯାଉଛି।

ସୋସିଆଲ ମିଡିଆ ମ୍ୟାନଜ କରୁଥିବା ତଥା ଗ୍ରାହକଙ୍କୁ ଯୋଡିବାରେ ସହାୟତା କରୁଥିବା ପ୍ଲାଟଫର୍ମ ସ୍ପ୍ରାଉଟ୍ ସୋସାଲ ରିପୋର୍ଟ ଅନୁସାରେ ୭୩%ଗ୍ରାହକ ସେହି ସବୁ କମ୍ପାନୀରୁ ସପିଙ୍ଗ ବନ୍ଦ କରି ଦେଉଛନ୍ତି, ଯେଉଁମାନେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି। ସେହିପରି ୮୧% ଲୋକେ କହନ୍ତି ସେମାନେ ସୋସିଆଲ ମିଡିଆ ପୋଷ୍ଟ ଦେଖି ଅଚାନକ କିଣିବା ପାଇଁ ମନ କରୁଛନ୍ତି। ମାର୍କେଟିଂ ଓ କଷ୍ଟମର ସର୍ଭିସ ସହିତ ଜଡିତ ସଫ୍ଟୱେର ନିର୍ମାତା କମ୍ପାନୀ ହବସ୍ପଟର ୨୦୨୬ ରିପୋର୍ଟ ଅନୁସାରେ ଏବେ ସୋସିଆଲ ମିଡିଆରେ ଗ୍ରାହକଙ୍କ ସହ କଥା ହେବା ଓ ଯୋଡି ହେବା ବିଜନେସ୍ ର ଏକ ଜରୁରି ଅଂଶ ହୋଇପଡିଛି।

ବିଶ୍ୱର ତମାମ ବଜାର ଉପରେ ଗବେଷଣା କରୁଥିବା ଅର୍ଗାନାଇଜେସନ ଆଇଏମଏଆରସି ଗ୍ରୁପର ଏକ ରିପୋର୍ଟ ଅନୁସାରେ ଭାରତର ସୋସିଆଲ କମର୍ସ ମାର୍କେଟ୍ ୨୦୨୫ରେ ୮.୯ ବିଲିୟନ ଡଲାରର ଥିଲା, ଯାହା ୨୦୨୬ରେ ୧୦.୯ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। ପୂର୍ବରୁ କମ୍ପାନୀମାନେ ସେମାନଙ୍କ ସଫଳତା ସୋସିଆଲ ମିଡିଆ ‘ଲାଇକ୍’, ‘ସେୟାର’ ଓ ଫଲୋଅର୍ସ କାଉଣ୍ଟିଂରୁ ନିର୍ଦ୍ଧାରଣ କରୁଥିଲେ, ହେଲେ ଏବେ ପରିଦୃଶ୍ୟ ବଦଳି ଯାଇଛି। କଷ୍ଚମର ଏବେ କେବଳ ବିଜ୍ଞାପନ ଦେଖି ଜିନିଷ କିଣୁ ନାହାନ୍ତି, ସେମାନେ ପୋଷ୍ଟ ତଳେ କମେଣ୍ଟରେ ଜୋତାର ଆକାର, ପ୍ରାଇସ, ଡେଲିଭରି ଓ ରିଟର୍ଣ୍ଣ ପଲିସିକୁ ନେଇ ପ୍ରଶ୍ନ କରୁଛନ୍ତି। ଯଦି କମ୍ପାନୀର ଟିମ୍ କିଛି ମିନିଟ୍ ମଧ୍ୟରେ ଗ୍ରାହକର ସନ୍ଦେହ ଦୂର କରିପାରୁଛନ୍ତି ତେବେ ତେବେ ତାଙ୍କ ପାଇଁ କିଣିବା ସହଜ ହେଉଛି।

ଏଥିରେ ଯଦି କଷ୍ଟମରଙ୍କ କମେଣ୍ଟକୁ ଇଗ୍ନୋର କରିଦିଆଯାଏ ଅଥବା ରିପ୍ଲାଇ ବିଳମ୍ବ ହୁଏ ତେବେ ଗ୍ରାହକ ତୁରନ୍ତ ଅନ୍ୟ ବ୍ରାଣ୍ଡ ନିକଟକୁ ଚାଲି ଯାଉଛନ୍ତି। କମେଣ୍ଟ ଓ ରିପ୍ଲାଏ କେତେ ଶୀଘ୍ର ଦିଆଯିବ ତାହା ତ ଜରୁରି ତେବେ ରିପ୍ଲାଇର ଉପାୟ ମଧ୍ୟ ଏଥିରେ ଅନେକ ମହତ୍ୱ ରଖୁଛି। ଗ୍ରାହକଙ୍କୁ କପିପେଷ୍ଟ ଜବାବ ବଦଳେ ଆବଶ୍ୟକତା ବୁଝି ଉଚିତ ସୂଚନା ଦେବା କମ୍ପାନୀର ଇମେଜକୁ ଗ୍ରାହକ ନଜରରେ ମଜଭୁତ କରୁଛି। ଏହି ରିପ୍ଲାଏ ଓ କମେଣ୍ଟ ପଢୁଥିବା ଅନ୍ୟ ଲୋକଙ୍କର ମଧ୍ୟ କମ୍ପାନୀ ଉପରେ ଭରସା ବଢୁଛି।

ତେବେ ଯେଉଁସବୁ ବ୍ରାଣ୍ଡର ଲକ୍ଷଲକ୍ଷ ଫଲୋଅର୍ସ ଅଛନ୍ତି ସେମାନଙ୍କ ଲାଗି ସବୁ କମେଣ୍ଟର ଜବାବ ଦେବା ସମ୍ଭବ ନୁହେଁ। ଏଣୁ ଏବେ କମ୍ପାନୀମାନେ ସାଧାରଣ ପ୍ରଶ୍ନ ପାଇଁ ଏଆଇ ଟୁଲସ୍ ର ସହାୟତା ନେଉଛନ୍ତି। ତଥାପି ଅଭିଯୋଗ ଓ ରିଫଣ୍ଡ ମାମଲାରେ ଏବେବି ମଣିଷ ସହ କଥାବାର୍ତ୍ତା ହେବାକୁ ପଡୁଛି। ଡିଜିଟାଲ ମାର୍କେଟର ନୂଆ ରୁଲ ବିଲକୁଲ ସ୍ପଷ୍ଟ ଏବେ କେବଳ ସେହି କମ୍ପାନୀ ଓ ବ୍ରାଣ୍ଡ ଆଗକୁ ବଢିବ ଯିଏ କେବଳ ନିଜ କଥା କହିବା ବଦଳେ ଗ୍ରାହକଙ୍କ କଥା ଶୁଣିବା ଓ ରିପ୍ଲାଏ ଦେବା ଜାଣିଛି।