ନୂଆଦିଲ୍ଲୀ: ଟ୍ରମ୍ପ ନିର୍ବାଚନ ହାରିବା ପର ଠାରୁ ଭାରତୀୟ ଶେୟାର ମାର୍କେଟ୍ ଲଗାତର ଭଲ ପ୍ରଦର୍ଶନ କରି ଚାଲିଛି। ଫରେନ ପୋର୍ଟଫୋଲିଓ ନିବେଶକମାନେ(ଏଫ୍‌ପିଆଇ) ପ୍ରବଳ ମାତ୍ରାରେ ଶେୟାର କିଣିବା ଆରମ୍ଭ କରିଦେଇଛନ୍ତି। ନଭେମ୍ବର ମାସର ଆରମ୍ଭ ୧୩ ଦିନର ୯ଟି କାରବାର ଶେସନରେ ଭାରତୀୟ ବଜାରରେ ୮୪,୨୯୦ କୋଟି ଟଙ୍କାର ନିବେଶ ଆସିଛି ଏଫ୍‌ପିଆଇଙ୍କର ଏହି ଶେୟାର କିଣା ଯୋଗୁ ବେଞ୍ଚମାର୍କ ଇଣ୍ଡେକ୍ସ ନିଫ୍ଟି ୨୫,୦୦୦ ସ୍ତର ଠାରୁ ଉପରକୁ ଉଠିଛି। ବିଶ୍ୱସ୍ତରରେ ଏଆଇ ସହ ଜଡ଼ିତ ଶେୟାରରେ ବିକ୍ରି ଓ ଅଶୋଧିତ ତୈଳ ଦର ହ୍ରାସ ଯୋଗୁ ବିଦେଶୀ ନିବେଶକଙ୍କ ମନୋଭାବ ବଦଳିଛି। ତା’ ଛଡ଼ା କିଛି ବଡ଼ କମ୍ପାନୀଙ୍କ ଭଲ ଆୟକୁ ଆକଳନ କରି ବିଦେଶୀ ନିବେଶକ ପୁଞ୍ଜି ନିବେଶ ବଢ଼ାଉଛନ୍ତି।

ଗତ ଦୁଇ ମାସରେ ୭୦ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର

ଏହା ପୂର୍ବରୁ ଗତ ଦୁଇ ମାସରେ ଭାରତୀୟ ଶେୟାର ମାର୍କେଟରୁ ବିଦେଶୀ ନିବେଶକମାନେ ପ୍ରବଳ ପୁଞ୍ଜି ପ୍ରତ୍ୟାହାର କରିଥିଲେ। ସେପ୍ଟେମ୍ବର ମାସରେ ୩୫,୮୬୧ କୋଟି ଟଙ୍କା ଓ ଅକ୍ଟୋବର ମାସରେ ୩୪,୮୪୩ କୋଟି ଟଙ୍କା କାଢ଼ି ନେଇଥିଲେ ବିଦେଶୀ ନିବେଶକ। ହେଲେ ନଭେମ୍ବର ମାସରେ ସ୍ଥିତିରେ ସୁଧାର ଆସିଛି। ନଭେମ୍ବର ମାସର ପୁଞ୍ଜି ନିବେଶକୁ ହିସାବ କଲେ ୨୦୨୬ରେ ଭାରତୀୟ ଇକ୍ୱିଟିରୁ ଏଫ୍‌ପିଆଇର ମୋଟ ପୁଞ୍ଜି ପ୍ରତ୍ୟାହାର ୨.୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। କିଛି ସପ୍ତାହ ପୂର୍ବରୁ ଏହି ସଂଖ୍ୟା ପାଖାପାଖି ୩ ଲକ୍ଷ କୋଟି ଥିଲା।

Also read- ସମ୍ପୂର୍ଣ୍ଣ ଫ୍ରି ନୁହେଁ କ୍ରେଡିଟ କାର୍ଡରେ ନୋ-କଷ୍ଟ ଏଏମଆଇ: ଆପଣଙ୍କ ଆଢୁଆଳେ ଏମିତି ହୁଏ ପୂରା ଖେଳ

ବର୍ତ୍ତମାନର ରିପୋର୍ଟକୁ ଦେଖିଲେ ବିଦେଶୀ ନିବେଶକମାନେ ଫାଇନାନ୍ସିଆଲ୍ ସର୍ଭିସେଜ, ଟେଲିକମ, କ୍ୟାପିଟାଲ୍ସ ଗୁଡ୍ସ, ଫାର୍ମାସୁଟିକଲ୍ସ ଓ ଅଟୋମୋବାଇଲ୍ ଶେୟାରରେ ସର୍ବାଧିକ ବିଦେଶୀ ନିବେଶ ଆସିଛି। ମଜଭୁତ ତ୍ରୟମାସିକ ପ୍ରଦର୍ଶନ ଆଧାରରେ କିଛି ପାୱାର କମ୍ପାନୀଙ୍କ ଶେୟାରରେ ମଧ୍ୟ ଅଭିବୃଦ୍ଧି ଦେଖିବାକୁ ମିଳିଛି।

ଡେଟ୍ ମାର୍କେଟର ମିଶ୍ର ପ୍ରତିକ୍ରିୟା

ଇକ୍ୱିଟି ବ୍ୟତୀତ ଭାରତୀୟ ଡେଟ୍ ମାର୍କେଟ୍ (ବଣ୍ଡ)ରେ ବି ବିଦେଶୀ ପୁଞ୍ଜି ନିବେଶର ମୋଟାମୋଟି କାରବାର ଦେଖିବାକୁ ମିଳିଥିଲା। ଫୁଲି ଆକ୍ସେସିବଲ ରୁଟ(ଏଫଏଆର) ମାଧ୍ୟମରେ ବିଦେଶୀ ନିବେଶକମାନେ ୭,୮୧୫ କୋଟି ଟଙ୍କା ନିବେଶ କରିଥିଲେ। ସେହିପରି ଜନେରାଲ ରୁଟରେ ବିଦେଶୀ ନିବେଶକ ୧,୧୬୭ କୋଟି ଟଙ୍କାର ନିବେଶ କରିଥିଲେ। ହେଲେ ଭଲ୍ୟୁଣ୍ଟାରେ ରେଣ୍ଟେସନ ରୁଟ୍(ଭିଆରଆର) ମାଧ୍ୟମରେ ବିଦେଶୀ ନିବେଶକମାନେ ୭୦୧ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରିଛନ୍ତି।