ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଙ୍କୁ ସିଂହଙ୍କ ପିତା ଖାନଚାନ୍ଦ ସିଂହ ଫେବୃଆରୀ ୨୭ (ଶୁକ୍ରବାର) ମୃତ୍ୟୁବରଣ କରିଛନ୍ତି । ପିତାଙ୍କ କୋକେଇରେ କାନ୍ଧ ଦେଇ ତାଙ୍କର ମରଶରୀରକୁ ଶ୍ମଶାନ ନେଇଛନ୍ତି ରିଙ୍କୁ । ଖାନଚାନ୍ଦ ସିଂହଙ୍କ ଅନ୍ତିମ ସଂସ୍କାର ଏବଂ ଶବଦାହରେ ବହୁ ସଂଖ୍ୟକ ଲୋକ ସାମିଲ ହୋଇଛନ୍ତି । କ୍ରିକେଟର ରିଙ୍କୁ ସିଂହଙ୍କ ଏହି ଦୁଃଖଦ ସମୟରେ ସେମାନେ ତାଙ୍କୁ ସାନ୍ତ୍ବନା ଦେଇଛନ୍ତି । ତେବେ ଆଲିଗଡ଼ରେ ଖାନଚାନ୍ଦଙ୍କ ଶେଷକୃତ୍ୟୁ ସଂପନ୍ନ ହୋଇଛି ।

ରିଙ୍କୁ ସିଂହଙ୍କ ବାପା ଫେବୃଆରୀ ୨୭ ତାରିଖ ସକାଳ ପ୍ରାୟ ୫ଟାରେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଦୀର୍ଘ ଦିନ ଧରି ଯକୃତ କର୍କଟ ରୋଗରେ ପୀଡିତ ଥିଲେ। ଖାନଚାନ୍ଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିବା ରିପୋର୍ଟ ଆସିଥିଲା । କିନ୍ତୁ ଫେବୃଆରୀ ୨୭ ତାରିଖ ସକାଳେ ରିଙ୍କୁଙ୍କ ପରିବାରରେ ଦୁଃଖର ଲହରୀ ଖେଳିଯାଇଥିଲା।

 

ରିଙ୍କୁ ଚେନ୍ନାଇରେ ଟିମ୍ ଇଣ୍ଡିଆ ସହିତ ଥିଲେ । କିନ୍ତୁ ପିତାଙ୍କ ଅସୁସ୍ଥ ଥିବା ଖବର ପାଇବା ପରେ ସେ ଫେରି ଯାଇଥିଲେ । ଏପରିକି ସେ ଫେରିଆସି ଟିମରେ ଯୋଗ ଦେବେ ବୋଲି ଖବର ମିଳିଥିଲା। କିନ୍ତୁ ଆଜି ସକାଳେ ତାଙ୍କ ପିତା ସମସ୍ତଙ୍କୁ ପରକରି ଆରପାରିକୁ ଚାଲିଯାଇଥିଲେ । ଆଜି ରିଙ୍କୁ ସିଂହଙ୍କ ପିତାଙ୍କ ଶବ ସତ୍କାର ହୋଇଛି । ରିଙ୍କୁଙ୍କ ବଡ଼ ଭାଇ ସୋନୁ ସିଂହ ତାଙ୍କ ବାପା ଖାନଚାନ୍ଦ ସିଂହଙ୍କୁ ମୁଖାଗ୍ନି ଦେଇଛନ୍ତି ।

ରିଙ୍କୁ ପୂର୍ବରୁ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଚେନ୍ନାଇରୁ ନୋଏଡା ଯାଇଥିଲେ । ରିଙ୍କୁ ଫେବୃଆରୀ ୨୬ ତାରିଖରେ ଜିମ୍ବାୱେ ବିପକ୍ଷରେ ସୁପର ୮ ମ୍ୟାଚ୍ ଖେଳିପାରି ନଥିଲେ । ତାଙ୍କ ସ୍ଥାନରେ ସଞ୍ଜୁ ସାମସନ ଦଳରେ ସାମିଲ ହୋଇଥିଲେ ଏବଂ ଓପନିଂ କରିଥିଲେ । ସେହି ମ୍ୟାଚ୍ରେ ଭାରତ ୨୫୬ ରନ୍ କରିଥିଲା । ଜବାବରେ ଜିମ୍ବାୱେ କେବଳ ୧୮୪ ରନ୍ କରିପାରିଥିଲା।