Digvijaya Singh on Hindutva: ମୁଁ କେବେ ହିନ୍ଦୁତ୍ୱକୁ ସମର୍ଥନ କରି ନାହିଁ କି ଆଗକୁ ମଧ୍ୟ କରିବି ନାହିଁ। ଏପରି କହିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। ସନାତନ ଓ ହିନ୍ଦୁତ୍ୱ ସମ୍ପୂର୍ଣ୍ଣ ଅଲଗା ଅଲଗା ବୋଲି ସେ କହିଛନ୍ତି।

ଦିଗବିଜୟ ସିଂହ ବର୍ତ୍ତମାନ ଉଜ୍ଜୈନରୁ ଅଯୋଧ୍ୟା ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି। ଏହି ସମୟରେ ସେ ମିଡିଆ ସହ ଆଲୋଚନା କରି ଏହି ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସେ ହିନ୍ଦୁତ୍ୱର ସମର୍ଥନକ ନଥିଲେ କିମ୍ବା ଆଗକୁ ମଧ୍ୟ ରହିବେ ନାହିଁ। କାରଣ ହିନ୍ଦୁତ୍ୱର ସନାତନ ଧର୍ମ ସହ କୌଣସି ସମ୍ପର୍କ ନାହିଁ। ସନାତନ ଧର୍ମ ହଜାର ହଜାର ବର୍ଷ ପୁରୁଣା। ହେଲେ ହିନ୍ଦୁତ୍ୱ ଶବ୍ଦ ବୀର ସାବରକର ଦେଇଥିଲେ। ସନାତନ ଧର୍ମରେ କଟୁତା ଓ ଘୃଣାର ସ୍ଥାନ ନାହିଁ ବୋଲି ଦିଗବିଜୟ କହିଛନ୍ତି।

ସମ୍ଭିଧାନ ବିପଦରେ ଅଛି

ସାମ୍ବାଦିକଙ୍କ ସହ ଆଲୋଚନା କଲା ବେଳେ ନାଗରିକ ଅଧିକାର ଉପରେ ପ୍ରଶ୍ନ ଉଠାଇ ସମ୍ବିଧାନ ବିପଦରେ ଅଛି ବୋଲି ଦିଗବିଜୟ କହିଛନ୍ତି। ସେ କହିଛନ୍ତି ଯେ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଭୋଟ ଦେବାର ଅଧିକାର ଦେଇଥାଏ। ଭୋଟର ତାଲିକାରେ ନାଁ ଯୋଡ଼ିବା ନିର୍ବାଚନ କମିଶନର ଦାୟିତ୍ୱ, ହେଲେ କିଏ ଦେଶର ନାଗରିକ ତାହା ନିର୍ଣ୍ଣୟ କରିବାର ସେମାନଙ୍କର ଅଧିକାର ନୁହେଁ। ଭୋଟର ତାଲିକା ଏବଂ ଭୋଟ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି ଜ୍ଞାନେଶ କୁମାରଙ୍କ ଉପରେ ବର୍ଷିଛନ୍ତି ଦିଗବିଜୟ ସିଂହ। ନୋଟ ଚୋରି ଓ ଭୋଟ ଚୋରି ମାମଲାରେ ଜ୍ଞାନେଶ କୁମାରଙ୍କର ସମ୍ପୃକ୍ତ ରହିଛି ବୋଲି ଦିଗବିଜୟ ସିଂହ ଅଭିଯୋଗ କରିଛନ୍ତି।

ରାଜରାଜେଶ୍ୱରୀ ମନ୍ଦିରରେ ପୂଜା କଲେ ଦିଗବିଜୟ

ସତ୍ୟ ସନାତନ ସ୍ୱାଭିମାନ ଯାତ୍ରା ସମୟରେ ଦିଗବିଜୟ ସିଂହ ଶାଜାପୁରରରେ ପହଞ୍ଚି ମା ରାଜରାଜେଶ୍ୱରୀ ମନ୍ଦିରରେ ପୂଜାର୍ଚନା କରିଥିଲେ। ଏହାପରେ ସେ ବନ୍ଦେ ମାତରମ୍ ଏବଂ ଜାତୀୟ ସଙ୍ଗୀତ ଗାଇ ତାଙ୍କ ପଦ ଯାତ୍ରା ଆରମ୍ଭ କରିଥିଲେ। ଯାତ୍ରା ସମୟରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଏବଂ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ପ୍ରକୃତରେ ଅଯୋଧ୍ୟା ଶ୍ରୀ ରାମଙ୍କ ମନ୍ଦିରରେ ହୋଇଥିବା ଚାନ୍ଦା ଚୋରି ବିରୋଧ କରି ଜିଗବିଜୟ ସିଂହ ଉଜ୍ଜୈନରୁ ଅଯୋଧ୍ୟା ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି। ତାଙ୍କର ଏହି ଯାତ୍ରା ୭୦ ଦିନରେ ଶେଷ ହେବ ବୋଲି ସମ୍ଭାବନା ରହିଛି। ପ୍ରତିଦିନ ସେ ୧୫ କିଲୋମିଟର ପର୍ଯ୍ୟନ୍ତ ଚାଲୁଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ଧାର୍ମିକ ଯାତ୍ରା କୌଣସି ରାଜନୈତିକ ଯାତ୍ରା ନୁହେଁ ବୋଲ ଦିଗବିଜୟ କହିଛନ୍ତି।