ନୂଆଦିଲ୍ଲୀ: ସକାଳୁ ଉଠିବା ମାତ୍ରେ ଫୋନ ଚେକ୍ କରିବା, ଫାଙ୍କା ସମୟରେ ରିଲ୍ସ ଦେଖିବା ଓ କୌଣସି କାମ ଭିତରେ ଥିଲେ ବାରବାର ନୋଟିଫିକେସନ ଚେକ୍ କରିବା ବର୍ତ୍ତମାନ ପିଢ଼ିର ଏକ ଆଦତ ହୋଇଗଲାଣି। ଯୁବପିଢ଼ିଙ୍କୁ ସାରା ବିଶ୍ୱ ସହିତ ଯୋଡ଼ିବାକୁ ସୋସିଆଲ୍ ମଡିଆ ଏକ ସୁଯୋଗ ଦେଇଛି ସତ ହେଲେ ଏହି ଅଭ୍ୟାସ ମଣିଷର ଏକାଗ୍ରତା ଛଡାଇ ନେଲାଣି।

ଏ ଅଭ୍ୟାସରେ ପଡ଼ିବା ପରେ କୌଣସି ଜିନିଷକୁ ଶାନ୍ତିଚିତରେ ଚିନ୍ତା କରି ହେଉ ନାହିଁ କି ବହିର ଗୋଟିଏ ପୃଷ୍ଠା ବି ଧୈର୍ଯ୍ୟର ସହ ପଢ଼ି ହେଉ ନାହିଁ। ଏହି ରିଲ୍ସ ଓ ସୋସିଆଲ ମିଡିଆ ନିଶା, ଆଜିର ମଣିଷକୁ ଏମିତି ଏକ ରେସକୁ ଠେଲି ଦେଇଛି ଯେଉଁଠି ଲକ୍ଷ୍ୟସ୍ଥଳ ପାଇବାର ସମ୍ଭାବନା କମ ହେଲେ ଲକ୍ଷ୍ୟ ହରାଇବାର ଆଶଙ୍କା ଅଧିକ ରହିଛି। ବର୍ତ୍ତମାନ ଏନେଇ ଭଳି ଭଳି ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ଆପଣ ଏହି ନିଶାରୁ ଦୂରେଇ ରହିପାରନ୍ତି।

କଣ କହୁଛି ରିସର୍ଚ୍ଚ ?

ଆମେରିକାର ପ୍ୟୁ ରିସର୍ଚ୍ଚ ସେଣ୍ଟର ଡିସେମ୍ବର ୨୦୨୫ରେ ଏନେଇ ଏକ ରିପୋର୍ଟ ଜାରି କରିଥିଲା। ଏହି ରିପୋର୍ଟ ଅନୁସାରେ ୧୩ ରୁ ୧୭ ବର୍ଷ ବୟସର ପ୍ରାୟ ୪୦% ଯୁବକ ପ୍ରାୟ ସବୁବେଳେ ଇଣ୍ଟରନେଟ ବ୍ୟବହାର କରୁଥିବା ସ୍ୱୀକାର କରିଥିଲେ। ସେହିପରି ୯୭% କିଶୋର ପ୍ରତିଦିନ ଇଣ୍ଟରନେଟ୍ ବ୍ୟବହାର କରୁଥିବା କହିଥିଲେ। ତେଣୁ ଏଥିରୁ ସ୍ପଷ୍ଟ ଯେ ଜେନ-ଜିଙ୍କ ଜୀବନରେ ଇଣ୍ଟରନେଟର ଗଭୀର ପ୍ରଭାବ ପଡ଼ିଲାଣି।

Also Read- ଦୀପାବଳି ପରେ ଦିଲ୍ଲୀରେ ବଢ଼ିବ ବାୟୁ ପ୍ରଦୂଷଣ! ୩୭୬ରେ ପହଞ୍ଚିଲା AQI, ସୋମବାର ‘ଗମ୍ଭୀର’ ସ୍ତରକୁ ଯିବା ଆଶଙ୍କା

୨୦୨୫ରେ ପ୍ରକାଶିତ ଆଉ ଏକ ଗବେଷଣାରେ କିଶୋର ଏବଂ ଯୁବ ବୟସ୍କଙ୍କ ସୋସିଆଲ ମିଡିଆର ବ୍ୟବହାର ଏବଂ ସେମାନଙ୍କର ମାନସିକ କ୍ଷମତାକୁ ନେଇ ପରୀକ୍ଷା କରାଯାଇଥିଲା। ଏଥିରେ ୨୩ଟି ଅଧ୍ୟୟନରୁ ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଥିଲା। ମିଳିଥିବା ଫଳାଫଳରୁ ଜଣାପଡିଥିଲା ଯେ ଅତ୍ୟଧିକ ସାମାଜିକ ଗଣମାଧ୍ୟମ ବ୍ୟବହାର ଧ୍ୟାନ, ସ୍ମୃତି ଏବଂ ନିଷ୍ପତ୍ତି ଗ୍ରହଣକୁ ପ୍ରଭାବିତ କରିପାରେ। ତଥାପି, ଏହାର ପ୍ରଭାବ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଭିନ୍ନ ହୋଇଥାଏ।

ବାର ବାର ଫୋନ ଦେଖିଲେ କେମିତି ହ୍ରାସ ହେଉଛି ଧ୍ୟାନ ଶକ୍ତି ?

ପାଠ ପଢ଼ିବା ସମୟରେ ହେଉ କିମ୍ବା କୌଣସି କାମ କରିବା ସମୟରେ ବାରମ୍ବାର ଆସୁଥିବା ନୋଟିଫିକେସନ ପିଲାମାନଙ୍କର ଧ୍ୟାନ ହଟାଉଛି। ସେହିପରି ସୋସିଆଲ୍ ମିଡିଆରେ ଆସୁଥିବା ଛୋଟିଆ ଛୋଟିଆ ମଜାଳି ରିଲ୍ସ ଏମିତି ମନୋରଞ୍ଜନ କରୁଛି ଯେ କମ ସମୟରେ ସ୍କ୍ରଲ କରି ଏକାଧିକ ରିଲ୍ସ ଦେଖିବାକୁ ଇଚ୍ଛା ହେଉଛି। ଆଗକୁ ଆଉ କଣ ଭଲ ଥିବା ଆଶାରେ ବାରମ୍ବାର ସ୍କ୍ରଲ କରିବା ହିଁ ଧୈର୍ଯ୍ୟଶକ୍ତି ନଷ୍ଟ କରି ଦେଉଛି। ଯାହାଦ୍ୱାରା ପିଲାମାନଙ୍କର ଏକାଗ୍ରତା ନଷ୍ଟ ହେଉଛି ବୋଲି ଆମେରିକାର ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସ ରିସର୍ଚ୍ଚ ରିପୋର୍ଟରେ କହିଛି।

ଏଥିରୁ କେମିତି ମିଳିବ ମୁକ୍ତି ?

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଗୁରୁତ୍ୱ ଖୁବ୍ ବଢ଼ି ଯାଇଛି। ଯାହା ଆମ ଦୈନନ୍ଦିନ ଜୀବନରେ ଏକ ଅଂଶ ବି ହୋଇଗଲାଣି। ତେଣୁ ସୋସିଆଲ୍ ମିଡିଆରୁ ସମ୍ପୂର୍ଣ୍ଣମ ଦୂରେଇ ରହିବା କଷ୍ଟକର ହୋଇପାରେ। ତେବେ ସବୁର ସମାଧାନ ମଣିଷ ପାଖରେ ରହିଥାଏ। ଯଦି ଆପଣ ଯେଉଁ ସମୟରେ ଯେଉଁ କାମ କରିବା ଦରକାର, ତାରା ଉପରେ ଗୁରୁତ୍ୱ ଦିଅନ୍ତି, ତେବେ ନିଶ୍ଚିତ ପକ୍ଷେ ଏଥିରୁ ମୁକ୍ତି ମିଳିବ। କହିବାର କଥା ହେଉଛି ସୋସିଆଲ ମିଡିଆର ବ୍ୟବହାର କରିବାର ଶୈଳୀରେ ପରିବର୍ତ୍ତନ କରନ୍ତୁ। କାମ କରିବା କିମ୍ବା ପଢିବା ସମୟରେ ଆପଣଙ୍କ ଫୋନକୁ ସାଇଲେଣ୍ଟ ରଖିବା, ନୋଟିଫିକେସନ୍ ବନ୍ଦ କରିବା, ଲଗାତାର ରିଲ୍ସ ଦେଖିବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ସମୟରେ ସୋସିଆଲ ମିଡିଆ ବ୍ୟବହାର କରିବା ଏବଂ ପର୍ଯ୍ୟାପ୍ତ ନିଦ ନେବା ସାହାଯ୍ୟ କରିପାରିବ।