ନୂଆଦିଲ୍ଲୀ: କମ୍ୟୁନିଷ୍ଟ ନେତାଙ୍କ ଜୀବନଶୈଳୀକୁ ନେଇ ମାଡ୍ରାସ ହାଇକୋର୍ଟର ଜଣେ ବିଚାରପତିଙ୍କ ଟିପ୍ପଣୀ ଏବେ ରାଜନୈତିକ ଓ ନ୍ୟାୟିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ମର୍ସିଡିଜ୍‌ ବେଞ୍ଜ୍‌ କାର୍‌, ବ୍ରାଣ୍ଡେଡ୍‌ ପୋଷାକ ଏବଂ ଟ୍ରେନର ଫାଷ୍ଟ ଏସି ଯାତ୍ରାକୁ ନେଇ ଜଣେ ସିପିଆଇ(ଏମ୍‌) ସାଂସଦଙ୍କୁ ପ୍ରଶ୍ନ କରିଥିଲେ ବିଚାରପତି। ଏହାର ଜବାବରେ ସାଂସଦ କହିଛନ୍ତି, ତାଙ୍କର ନିଜସ୍ୱ କୌଣସି କାର୍‌ ନାହିଁ। କେବଳ ସେତିକି ନୁହେଁ, ଜଣେ ବ୍ୟକ୍ତିଙ୍କ ବିଚାରଧାରାକୁ ତାଙ୍କ ପୋଷାକ କିମ୍ବା ଯାତ୍ରାର ଶ୍ରେଣୀ ଆଧାରରେ ମାପିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ବିବାଦ କ’ଣ ?

ଏହି ପୂରା ବିବାଦର ଆରମ୍ଭ ହୋଇଥିଲା ତାମିଲନାଡୁର କୋଏମ୍ବାଟୁରସ୍ଥିତ ପେରିୟାର ଅରିଭୁଲଗମ୍‌ ଲାଇବ୍ରେରୀରେ ପୁସ୍ତକ କିଣାକୁ ନେଇ ହୋଇଥିବା ଅନିୟମିତତା ଅଭିଯୋଗରୁ। ସରକାରୀ ଲାଇବ୍ରେରୀ ପାଇଁ ପୁସ୍ତକ କିଣାରେ ଜାଲିଆତି ଏବଂ ନିମ୍ନମାନର ପୁସ୍ତକ ଯୋଗାଣ ହୋଇଥିବା ଅଭିଯୋଗ ଉଠିଥିଲା।

Also Read: 'SIR ନିଷ୍ପତ୍ତି ସର୍ବସମ୍ମତିରେ ନିଆଯାଇଛି', ପ୍ରମାଣ ଦେଇ ପାରିଲେନି ନିର୍ବାଚନ ଅୟୋଗ ! SCରେ ସତ୍ୟପାଠ ଦାଖଲ

ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଜି.ଆର୍‌. ସ୍ୱାମୀନାଥନ ଏହି ପ୍ରସଙ୍ଗରେ ଏକ ଟିପ୍ପଣୀ ଦେଇଥିଲେ। ବିବାଦୀୟ ପୁସ୍ତକଗୁଡ଼ିକୁ ହଟାଇ ଦିଆଯାଇଥିବା ଖାଲି ସ୍ଥାନରେ କାଞ୍ଚି ଶଙ୍କରାଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ପୁସ୍ତକ ରଖିବାକୁ ସେ ପରାମର୍ଶ ଦେଇଥିଲେ। ଏହାକୁ ଏକ ପ୍ରକାର ପ୍ରାୟଶ୍ଚିତ ବୋଲି ସେ ହାଲୁକା ଢଙ୍ଗରେ କହିଥିଲେ।

କିନ୍ତୁ ବିଚାରପତିଙ୍କ ଏହି ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଥିଲେ ମଦୁରାଇର ସିପିଆଇ(ଏମ୍‌) ସାଂସଦ ସୁ ଭେଙ୍କଟେସନ। ତାଙ୍କ କହିବା ଅନୁସାରେ, ସରକାରୀ ପାଣ୍ଠିରେ ପୁସ୍ତକ କିଣାରେ ଅନିୟମିତତା ଏକ ଦୁର୍ନୀତିର ମାମଲା। ଏଥିରେ ସମ୍ପୃକ୍ତ ଲୋକଙ୍କୁ ଆଇନ ଅନୁସାରେ ଦଣ୍ଡ ମିଳିବା ଦରକାର। ଦୋଷ ପାଇଁ ପ୍ରାୟଶ୍ଚିତ କରିବାର ପରାମର୍ଶ ଦେବା ଜଣେ ବିଚାରପତିଙ୍କ କାମ ନୁହେଁ। ଏହି ମନ୍ତବ୍ୟକୁ ନେଇ ବିବାଦ ଆହୁରି ବଢ଼ିଥିଲା। 
​​​​​​​Also Read: ସୁପ୍ରିମକୋର୍ଟରେ ଇଣ୍ଡି ମେଣ୍ଟର ସାନି ପିଟିସନ, ECଙ୍କୁ ୪୮ ପ୍ରଶ୍ନ ପଚାରିବାକୁ ମାଗିଲେ ଅନୁମତି

କମ୍ୟୁନିଷ୍ଟ ହୋଇ ମର୍ସିଡିଜ୍‌ରେ ଯାତ୍ରା !

ସୋମବାର ଏକ ମାମଲାର ଶୁଣାଣି ସମୟରେ ଜଷ୍ଟିସ୍‌ ସ୍ୱାମୀନାଥନ ସାଂସଦ ସୁ ଭେଙ୍କଟେସନଙ୍କ ମନ୍ତବ୍ୟର ଜବାବ ରଖିଥିଲେ। ପ୍ରାୟ ୬ ମାସ ତଳେ ଚେନ୍ନାଇ ରେଳ ଷ୍ଟେସନରେ ସାଂସଦଙ୍କ ସହ ତାଙ୍କର ଦେଖା ହୋଇଥିବା କଥା ସେ ମନେ ପକାଇଥିଲେ।

ବିଚାରପତିଙ୍କ କହିବା ଅନୁସାରେ, ସାଂସଦ ଏକ ଦାମୀ ମର୍ସିଡିଜ୍‌ ବେଞ୍ଜ୍‌ କାର୍‌ରେ ଷ୍ଟେସନରେ ପହଞ୍ଚିଥିଲେ। ତାଙ୍କ ପୋଷାକ ଓ ଜୋତା ମଧ୍ୟ ବ୍ରାଣ୍ଡେଡ୍‌ ଥିଲା। ପ୍ରଥମେ ତାଙ୍କୁ ଜଣେ କର୍ପୋରେଟ୍‌ ଅଧିକାରୀ ବୋଲି ଭାବିଥିଲେ। ପରେ ସେ ଜଣେ କମ୍ୟୁନିଷ୍ଟ ନେତା ବୋଲି ଜାଣିବାକୁ ପାଇଥିଲେ। ଏହାସହ ସାଂସଦଙ୍କ ଫାଷ୍ଟ ଏସି ଯାତ୍ରା ଏବଂ ନିଜେ ସ୍ଲିପର୍‌ କ୍ଲାସ୍‌ରେ ଯାତ୍ରା କରୁଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ। ଜଣେ କମ୍ୟୁନିଷ୍ଟ ନେତାଙ୍କ ଏଭଳି ଜୀବନଶୈଳୀକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ।

Also Read: ‘ଆପଣଙ୍କ ଏହି ଚୌକିରେ ବସିବା ପାଇଁ ଯୋଗ୍ୟ ନୁହନ୍ତି’, ଶୁଣାଣି ବିଳମ୍ୱକୁ ନେଇ ସିଜେଆଇଙ୍କୁ ମନଇଚ୍ଛା କହିଲେ ଓକିଲ

ସାଂସଦଙ୍କ ଜବାବ

ବିଚାରପତିଙ୍କ ଏହି ଟିପ୍ପଣୀ ପରେ ମଙ୍ଗଳବାର ସୋସିଆଲ ମିଡିଆରେ ନିଜର ପକ୍ଷ ରଖିଥିଲେ ସାଂସଦ ସୁ ଭେଙ୍କଟେସନ। ସେ କହିଥିଲେ, ଯେଉଁ ମର୍ସିଡିଜ୍‌ କାରକୁ ନେଇ ତାଙ୍କ ଉପରେ ଟିପ୍ପଣୀ କରାଯାଇଛି, ତାହା ତାଙ୍କର ନୁହେଁ। ଏପରିକି ଆଜି ପର୍ଯ୍ୟନ୍ତ ସେ ନିଜ ନାଁରେ କୌଣସି କାର୍‌ କିଣିନାହାନ୍ତି।

ସେ ଆହୁରି କହିଛନ୍ତି, ଜଣେ ବ୍ୟକ୍ତିଙ୍କ ପୋଷାକ, କାର୍‌ କିମ୍ବା ଯାତ୍ରାର ଶ୍ରେଣୀ ଦେଖି ତାଙ୍କ ବିଚାରଧାରାକୁ ଆକଳନ କରିବା ଠିକ୍‌ ନୁହେଁ। ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ତଥ୍ୟ ଯାଞ୍ଚ କରିବା ଆବଶ୍ୟକ। ନଚେତ୍‌ ଏହା ବ୍ୟକ୍ତିଗତ ଆକ୍ରମଣର ରୂପ ନେଇଥାଏ। 

ଫାଷ୍ଟ ଏସି ଯାତ୍ରାକୁ ନେଇ ମଧ୍ୟ ରଖିଲେ ମତ

ଟ୍ରେନ୍‌ର ଫାଷ୍ଟ ଏସିରେ ଯାତ୍ରା କରିବାକୁ ନେଇ ଉଠିଥିବା ପ୍ରଶ୍ନର ମଧ୍ୟ ଜବାବ ରଖିଛନ୍ତି ସାଂସଦ। ଜଣେ ସାଂସଦ ଭାବେ ତାଙ୍କୁ ମିଳୁଥିବା ଯାତ୍ରା ସୁବିଧା ଅନୁସାରେ ସେ ଫାଷ୍ଟ ଏସିରେ ଯାତ୍ରା କରିଛନ୍ତି। ତାଙ୍କ ମତରେ, ଫାଷ୍ଟ ଏସିରେ ଯାତ୍ରା କଲେ କାହାର ମତ ଭୁଲ୍‌ ହୋଇଯାଏ ନାହିଁ। ସେହିପରି ସ୍ଲିପର୍‌ କ୍ଲାସ୍‌ରେ ଯାତ୍ରା କଲେ କାହାର କଥା ଠିକ୍‌ ହୋଇଯାଏ ନାହିଁ। ଜଣେ ବ୍ୟକ୍ତିଙ୍କୁ ତାଙ୍କ ବିଚାର ଓ କାର୍ଯ୍ୟ ଆଧାରରେ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି।