ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ (ଆଇପିଏଲ୍‌) ୨୦୨୭ରେ ମହମ୍ମଦ ସାମିଙ୍କୁ ରାଜସ୍ଥାନ ରୟାଲ୍ସରେ ଦେଖିବାକୁ ମିଳିବ । ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ଏହି ଦ୍ରୁତ ବୋଲର ଆଗାମୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସେ ରାଜସ୍ଥାନର ଗୋଲାପୀ ଜର୍ସିରେ ନଜର ଆସିବେ। ଟ୍ରେଡ୍ ଚୁକ୍ତି ଅନୁଯାୟୀ, ରାଜସ୍ଥାନ ରୟାଲ୍ସ ଇଂଲଣ୍ଡ ଅଲରାଉଣ୍ଡର ସାମ୍ କରନଙ୍କୁ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍‌କୁ ଦେଇଥିବା ବେଳେ ପ୍ରତିବଦଳରେ ମହମ୍ମଦ ସାମି ଏବଂ ସ୍ପିନର ଏମ୍. ସିଦ୍ଧାର୍ଥଙ୍କୁ ନିଜ ଦଳରେ ସାମିଲ କରିଛି। ପୂର୍ବରୁ ଲକ୍ଷ୍ନୌ ଦ୍ୱାରା ୧୦ କୋଟି ଟଙ୍କାରେ କିଣାଯାଇଥିବା ସାମି ଏବେ ସଂଶୋଧିତ ୮ କୋଟି ଟଙ୍କା ମୂଲ୍ୟରେ ରାଜସ୍ଥାନ ରୟାଲ୍ସରେ ଯୋଗ ଦେଇଛନ୍ତି। 

ରାଜସ୍ଥାନ ଦଳରେ ପୂର୍ବରୁ ଜୋଫ୍ରା ଆର୍ଚର ଏବଂ ନାନ୍ଦ୍ରେ ବର୍ଗରଙ୍କ ଭଳି ଘାତକ ବୋଲର ଥିବା ବେଳେ ସାମିଙ୍କ ଆଗମନ ଦଳର ବୋଲିଂ ବିଭାଗକୁ ଆହୁରି ମଜଭୁତ କରିବ। ଆଇପିଏଲ କ୍ୟାରିୟରରେ ସାମି ଏପର୍ଯ୍ୟନ୍ତ ୧୩୨ଟି ମ୍ୟାଚ୍ ଖେଳି ୧୪୫ଟି ୱିକେଟ୍ ନେଇଛନ୍ତି। ଅନ୍ୟପଟେ, ବାମହାତୀ ସ୍ପିନର ଏମ୍. ସିଦ୍ଧାର୍ଥ ତାଙ୍କର ପୂର୍ବ ନିର୍ଦ୍ଧାରିତ ୭୫ ଲକ୍ଷ ଟଙ୍କା ମୂଲ୍ୟରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ରୁ ରାଜସ୍ଥାନ ରୟାଲ୍ସକୁ ଯାଇଛନ୍ତି। ସେହିପରି ଅଲରାଉଣ୍ଡର ସାମ୍ କରନ ତାଙ୍କର ପୂର୍ବ ମୂଲ୍ୟ ୨.୪ କୋଟି ଟଙ୍କାରେ ରାଜସ୍ଥାନରୁ ଲକ୍ଷ୍ନୌ ଦଳକୁ ଟ୍ରେଡ୍ ହୋଇଛନ୍ତି। ସାମ୍ କରନ ନିଜର ଆଇପିଏଲ କ୍ୟାରିୟରରେ ଏପର୍ଯ୍ୟନ୍ତ ୫୯ଟି ୱିକେଟ୍ ନେବା ସହ ୯୯୭ ରନ୍ ସଂଗ୍ରହ କରିଛନ୍ତି। 

ଏହା ପୂର୍ବରୁ ଦ୍ରୁତ ବୋଲର ହର୍ଷଲ ପଟେଲଙ୍କୁ ଗୁଜରାଟ ଟାଇଟାନ୍ସ କୁ ଟ୍ରେଡ୍ କରାଯାଇଛି। ଆଇପିଏଲ ୨୦୨୫ ନିଲାମୀରେ ୮ କୋଟି ଟଙ୍କାରେ ସନରାଇଜର୍ସ ହାଇଦ୍ରାବାଦ ଦ୍ୱାରା କିଣାଯାଇଥିବା ହର୍ଷଲ ଏବେ ୪ କୋଟି ଟଙ୍କା ମୂଲ୍ୟରେ ଗୁଜରାଟ ଦଳରେ ସାମିଲ ହୋଇଛନ୍ତି। ଜିଟିରେ  କାଗିସୋ ରାବାଡା, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣଙ୍କ ଭଳି ବୋଲର ଅଛନ୍ତି । ଏହି ସମୟରେ ହର୍ଷଲ ପଟେଲ ଦଳର ବୋଲିଂ ବିଭାଗକୁ ଆହୁରି ମଜଭୁତ କରିବେ । ୨୦୧୨ରେ ଆଇପିଏଲ ପଦାର୍ପଣ କରିବା ପରଠାରୁ ହର୍ଷଲ ୪ଟି ଫ୍ରାଞ୍ଚାଇଜ୍ ପକ୍ଷରୁ ୧୨୪ଟି ମ୍ୟାଚ୍ ଖେଳି ୧୫୧ଟି ୱିକେଟ୍ ନେଇଛନ୍ତି। ୨୦୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ୨୦୨୪ରେ ପଞ୍ଜାବ କିଙ୍ଗ୍ସ ଟିମ୍‌ରୁ ଖେଳିବା ସହ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଥିଲେ। ଆଇପିଏଲ ୨୦୨୭ ପୂର୍ବରୁ ଏହି ଟ୍ରେଡ୍‌ ଡିଲ ଏବେ କ୍ରିକେଟ ପ୍ରଶଂସକଙ୍କ ଗହଣରେ ଖୁବ ଉତ୍ସାହ ସୃଷ୍ଟି କରିଛି ।