ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭ ପାଇଁ ଫ୍ରାଞ୍ଚାଇଜିଗୁଡ଼ିକ ମଧ୍ୟରେ ଖେଳାଳିଙ୍କୁ ନେଇ ଟ୍ରେଡ୍ ଚାଲିଛି । ରିଟେନ୍ ଏବଂ ରିଲିଜ୍ ଖେଳାଳିଙ୍କ ଲିଷ୍ଟ ଆସିବା ପୂର୍ବରୁ ହାଇଦ୍ରାବାଦର ଓପନରଙ୍କୁ ନେଇ ଏକ ବଡ଼ ଖବର ଆସିଛି । ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଟ୍ରାଭିସ୍ ହେଡ୍ ଆଇପିଏଲ୍ ୨୦୨୭ରୁ ବାହାର ହୋଇଛନ୍ତି । ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣ ସେ ଖେଳିବେ ନାହିଁ । ହାଇଦ୍ରାବାଦ ପାଇଁ ଓପନିଂ କରି ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ୍ କ୍ରିକେଟର ରୋମାଞ୍ଚକୁ ବହୁଗୁଣିତ କରୁଥିଲେ । ତେବେ ଏଠି ପ୍ରଶ୍ନ ଟ୍ରାଭିସ୍ ହେଡ୍ ଆଇପିଏଲ୍ ୨୦୨୭ରୁ କାହିଁକି ନିଜକୁ ଦୂରେଇଲେ ?

ଟ୍ରାଭିସ୍ ହେଡ୍ ଆଇପିଏଲ୍ ନ ଖେଳିବାର କାରଣ ୱାର୍କଲୋଡ୍ ଏବଂ ଇଣ୍ଟରନ୍ୟାସନାଲ୍ କମିଟମେଣ୍ଟ (ପ୍ରତିଶ୍ରୁତି) ସହ ଜଡ଼ିତ । କ୍ରିକବଜ୍ ରିପୋର୍ଟ ଅନୁସାରେ, ହେଡ୍ ନିଜ ନିଷ୍ପତ୍ତି ବାବଦରେ ସନରାଇଜର୍ସ ହାଇଦ୍ରାବାଦ ମ୍ୟାନେଜମେଣ୍ଟକୁ ଜଣାଇସାରିଛନ୍ତି । ହେଡ୍‌ଙ୍କ ଅନୁପସ୍ଥିତି ଟିମ୍‌ର ବ୍ୟାଟିଂ ଅର୍ଡରକୁ ପ୍ରଭାବିତ କରିବ । ତେବେ ଆସନ୍ତା ଡିସେମ୍ୱର ୧୬ରେ ଗୋଆରେ ହେବାକୁ ଥିବା ମିନି ଅକ୍ସନ ପୂର୍ବରୁ ଫ୍ରାଞ୍ଚାଇଜି ପର୍ସରେ ମୋଟ ରାଶି ଜମା ହୋଇଛି । ଉଲ୍ଲେଖଯୋଗ୍ୟ ମେଗା ଅକ୍ସନ ପୂର୍ବରୁ ହାଇଦ୍ରାବାଦ୍ ଟ୍ରାଭିସ୍ ହେଡ୍‌ଙ୍କୁ ୧୪ କୋଟି ଟଙ୍କାରେ ରିଟେନ୍ କରିଥିଲା ।

Also read:IPLରୁ ସନ୍ନ୍ୟାସ ନେଲେ ଏମଏସ ଧୋନି, ଏବେ CSKରେ ସମ୍ଭାଳିବେ ନୂଆ ଦାୟିତ୍ଵ

ଅଷ୍ଟ୍ରେଲିଆ ଆସନ୍ତା ବର୍ଷ ଡବ୍ଲୁଟିସି ଫାଇନାଲ୍ ଖେଳିବ ବୋଲି ଆଶା କରାଯାଉଛି, ଯାହା ଆଇପିଏଲ୍ ପରେ ଅନୁଷ୍ଠିତ ହେବ । ତା'ପରେ ଆସେସ୍ ଏବଂ ଦିନିକିଆ ବିଶ୍ୱକପ୍ ଅଛି । ସମସ୍ତ ପ୍ରମୁଖ ସିରିଜ୍ ଏବଂ ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖିଲେ ଟ୍ରାଭିସ୍ ହେଡ୍‌ଙ୍କ ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ନୁହେଁ ।

ପ୍ରଥମେ ଆଇପିଏଲ୍ ୨୦୨୪ ନିଲାମରେ ସନରାଇଜର୍ସ ହାଇଦ୍ରାବାଦ ଟ୍ରାଭିସ୍ ହେଡଙ୍କୁ ୬.୮ କୋଟିରେ କିଣିଥିଲା । ତା'ପରେ ଆଇପିଏଲ୍ ୨୦୨୫ ମେଗା ନିଲାମରେ ତାଙ୍କୁ ୧୪ କୋଟିରେ ରିଟେନ୍ କରାଯାଇଥିଲା । ହେଡ୍ ସନରାଇଜର୍ସ ହାଇଦ୍ରାବାଦ ପାଇଁ ତିନୋଟି ସିଜିନରେ ୪୩ଟି ମ୍ୟାଚ୍ ଖେଳି ୧୩୦୦ରୁ ଅଧିକ ରନ୍ କରିଥିଲେ । ଏଥିରେ ଗୋଟିଏ ଶତକ ଏବଂ ୯ ଅର୍ଦ୍ଧଶତକ ଥିଲା । ୨୦୨୪ ଆଇପିଏଲରେ ହାଇଦ୍ରାବାଦରେ ଯୋଗଦେବା ପୂର୍ବରୁ ଟ୍ରାଭିସ୍ ହେଡ୍ ଆରସିବି ସହ ଜଡ଼ିତ ଥିଲେ । ହେଡ୍ ଗୋଟିଏ ସିଜିନରେ ଆରସିବି ପାଇଁ ଖେଳି ୭ଟି ମ୍ୟାଚରେ ୧୫୧ ରନ୍ କରିଥିଲେ ।