ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଇଆର) ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଇଣ୍ଡି ମେଣ୍ଟର ନେତାମାନେ ସୋମବାର ସୁପ୍ରିମକୋର୍ଟରେ ସାନି ପିଟିସନ ଦାଖଲ କରିଛନ୍ତି। ସେମାନେ ନିର୍ବାଚନ କମିଶନ (ଇସି)ଙ୍କୁ ଏସ୍ଇଆର୍ ପ୍ରସଙ୍ଗରେ ୪୮ଟି ପ୍ରଶ୍ନ ପଚାରିବା ଲାଗି ଅନୁମତି ମାଗିଛନ୍ତି। ଆବେଦନକାରୀ କହିଛନ୍ତି, ଏହି ପ୍ରଶ୍ନଗୁଡ଼ିକର ଜବାବ ଦେବାର ଦାୟିତ୍ବ ନେଉଥିବା ଡେପୁଟି ଇଲେକ୍ସନ କମିଶନରଙ୍କ ପାଖରେ ଯଦି ରେକର୍ଡ ଆଧାରରେ ସୂଚନା ନାହିଁ, ତେବେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଏବଂ ଦୁଇଜଣ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ପୃଥକ ଭାବେ ସତ୍ୟପାଠ ଦାଖଲ କରନ୍ତୁ।

କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ୪୮ଟି ପ୍ରଶ୍ନର ତାଲିକା ଦେଇଛି। ଏସ୍ଆଇଆର୍ ବେଳେ ନିର୍ବାଚନ କମିଶନର କେଉଁସବୁ ନିଷ୍ପରି ନେଇଥିଲେ, କେଉଁ ନିଷ୍ପଭିଗୁଡ଼ିକୁ ମଞ୍ଜୁରି ଦେଇଥିଲେ ଏବଂ କେଉଁସବୁ ଘଟଣା ଉପରେ ଆପରି ଉଠାଇଥିଲେ, ତାହା ନେଇ ପଚରା ଯାଇଛି। ସେହିଭଳି ବହୁମତ ଆଧାରରେ ନିଷ୍ପତ୍ତି ନିଆଯାଇଥିଲା କି ନାହିଁ, ଭୋଟର ତାଲିକାରେ ତଥ୍ୟ ବଦଳାଇବା କ୍ଷମତା କାହାର ଥିଲା, ସେ ସମ୍ପର୍କିତ ପ୍ରଶ୍ନ ବି ରହିଛି। ବିରୋଧୀ ନେତାଙ୍କ ପୂର୍ବ ଆବେଦନ ପରେ ଅକ୍ଟୋବର ୨୬ରେ ସୁପ୍ରିମକୋର୍ଟରେ ଦାଖଲ ଜବାବକୁ ସିଇସି ଏବଂ ଦୁଇ କମିଶନର କେବେ ଓ କେମିତି ମଞ୍ଜୁରି ଦେଲେ, ବୈଠକରେ ନିଷ୍ପତ୍ତି ହେଲା ନା ଫାଇଲ୍ ଏବଂ ଅନ୍ଲାଇନ ଉପାୟରେ ମଞ୍ଜୁରି ମିଳିଲା, ତାହା ଜାଣିବାକୁ ଚାହିଁଛନ୍ତି ଆବେଦନକାରୀ।

ଏହା ପୂର୍ବରୁ ଅକ୍ଟୋବର ୧୧ରେ ବିରୋଧୀ ସାଂସଦମାନେ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଚିଠି ଲେଖି ଜ୍ଞାପନ ପ୍ରଦାନ ଲାଗି ସମୟ ଲୋଡ଼ିଥିଲେ। ସିଜେଆଇ ମନା କରିଦେଇଥିଲେ। ବିରୋଧୀ ଅକ୍ଟୋବର ୧୨ରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା ବାହାର କରିଥିଲେ। ସେହିଦିନ

ସୁପ୍ରିମକୋର୍ଟରେ ସିଇସି ଏବଂ ଏସ୍ଆଇଆର ନେଇ ପିଟିସନ ବି ଦାଖଲ କରିଥିଲେ। ଏହି ପିଟିସନ ଉପରେ ସୁପ୍ରିମକୋର୍ଟ ଅକ୍ଟୋବର ୧୫ରେ ପ୍ରଥମ ଥର ଶୁଣାଣି କରିଥିଲେ। ଏହି ସମୟରେ ସିଜେଆଇ କହିଥିଲେ କି କୌଣସି କୋର୍ଟଙ୍କୁ ଡରାଇ ଧମକାଇ ଚାପଗ୍ରସ୍ତ କରାଯାଇ ପାରିବ ନାହିଁ । ଏଭଳି ଉଦ୍ୟମ ନିରର୍ଥକ । ତେବେ ସୁପ୍ରିମକୋର୍ଟ ଖଣ୍ଡପୀଠ ସିଇସି ଏବଂ ଦୁଇ ନିର୍ବାଚନ କମିଶନରଙ୍କୁ ନୋଟିସ ଜାରି କରିଥିଲେ ।

ଅକ୍ଟୋବର ୨୬ରେ ଦ୍ଵିତୀୟ ଶୁଣାଣି ବେଳେ ନିର୍ବାଚନ କମିଶନ ସତ୍ୟପାଠରେ ଦର୍ଶାଇଥିଲେ କି ଏସ୍ଵାଇଆର୍ ସହ ଜଡ଼ିତ ସମସ୍ତ ନିଷ୍ପଭି ୩ ଜଣ କମିଶନରଙ୍କ ସହମତିରେ ନିଆଯାଇଥିଲା। କମିଶନଙ୍କ ଜବାବ ଉପରେ ପକ୍ଷ ରଖିବା ଲାଗି ବିରୋଧୀ ନେତାଙ୍କୁ ୧୦ ଦିନ ସମୟ ଦିଆଯାଇଥିଲା। ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି (ମଙ୍ଗଳବାର) ହେବାର ଅଛି। ଏହି ସମୟରେ ବିରୋଧୀ ନେତା ଇସିଙ୍କ ସତ୍ୟପାଠର ଜବାବ ଦେବା ନେଇ ଆଶା କରାଯାଉଛି।