ଭୁବନେଶ୍ବର ୧୮।୩: ଭୁବନେଶ୍ବର ବିଜେବି କଲେଜର ଦୁଇ ହଷ୍ଟେଲ ଅନ୍ତେବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା ତଦନ୍ତ ପାଇଁ କମିଟି ଗଠନ । ଗଣ୍ଡଗୋଳର ତଦନ୍ତ କରିବାକୁ କଲେଜ ସ୍ତରରେ ଗଠନ ହେଲା କମିଟି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଣ୍ଡଗୋଳର ତଦନ୍ତ କରି ରିପୋର୍ଟ ଦେବ ଏହି କମିଟି । ଗଣ୍ଡଗୋଳରେ ସାମିଲ ଛାତ୍ରଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ । ଏ ନେଇ ବିଜେବି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ା ଲକ୍ଷ୍ମୀଧର ଭୋଳ ସୂଚନା ଦେଇଛନ୍ତି ।

ତେବେ ତାଙ୍କ କହିବା ଅନୁସାରେ, ହଷ୍ଟେଲ ଛାତ୍ରଙ୍କ ଫେରୱାଲ୍ ପାର୍ଟିରେ DJ ବଜାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଫଳରେ ପ୍ରଥମେ ଦୁଇ ହଷ୍ଟେଲ ଅନ୍ତେବାସୀଙ୍କୁ ବୁଝାସୁଝା କରାଯାଇଥିଲା । ପରେ ପୁଣି ହଠାତ୍ ଏଭଳି ତୁମୁଳକାଣ୍ଡ ଘଟିଥିଲା । ଏବେ ପରିସ୍ଥିତି ଶାନ୍ତ ଅଛି । ଆହତ ଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି । ତେବେ କାହିଁକି ଏଭଳି ଘଟଣା ଘଟିଲା ୨୪ ଘଣ୍ଟା ମଧ୍ୟରେ ତାର ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ପୋଲିସକୁ ସିସିଟିଭି ଫୁଟେଜ୍ ଦେବୁ ବୋଲି ଭାରପ୍ରାପ୍ତ ଅଧ୍ୟକ୍ଷ କହିଛନ୍ତି ।

Also Read:- RIଙ୍କୁ ବେଆଇନ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିଲେ, ରାଜି ହେଲେନି ବୋଲି ଏମିତି କଲେ ଯୁବକ

ଏଭଳି ଘଟଣା ପରେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇ ଶିକ୍ଷାଦାନକୁ ଗୁରୁତ୍ଵ ଦିଆଯାଇଛି । ଏ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି । ପ୍ରକୃତ ଘଟଣା କ'ଣ କମିଟି ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ । ଏହି ଘଟଣା ଦୁର୍ଭାଗ୍ୟଜନକ । ଏହା ଏକ ସମ୍ବେଦନଶୀଳ ଘଟଣା । ରିପୋର୍ଟ ଅସିଲା ପରେ ସଂପୃକ୍ତ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ଼ା ଲକ୍ଷ୍ମୀଧର ଭୋଳ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଜେବି କଲେଜର ଦୁଇ ହଷ୍ଟେଲ ଅନ୍ତେବାସୀଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା । ଏମିତି କି ଉଭୟ ଛାତ୍ର ଗୋଷ୍ଠୀ ମଧ୍ୟରେ କାଚ ବୋତଲ ଏବଂ ପଥର ଫିଙ୍ଗା ଫୋପଡ଼ା ହୋଇଥିଲା । ପ୍ରାୟ ଦେଢ଼ ଘଣ୍ଟା ଧରି ହଷ୍ଟେଲ ପରିସରରେ ଚାଲିଥିଲା ଆକ୍ରମଣ ଓ ପ୍ରତିଆକ୍ରମଣ । ରକ୍ତ ଜୁଡୁବୁଡୁ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ ଛାତ୍ରମାନେ । ସ୍ଥିତି ନିୟନ୍ତ୍ରଣ ପାଇଁ ଦୁଇ ହଷ୍ଟେଲ କ୍ୟାମ୍ପସରେ ତିନି ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ସକାଳ ପର୍ଯ୍ୟନ୍ତ ଅତିରିକ୍ତ ଡିସିପି, ଜୋନ୍ ଏସିପି ସମେତ ଦୁଇ ଥାନା ଅଧିକାରୀ, କର୍ମଚାରୀ ଓ ୧୦ଟି ପିସିଆର୍ ନିୟୋଜିତ ହୋଇଥିଲେ । ସ୍ଥିତି ଉପରେ ନଜର ରଖିବା ପାଇଁ ହଷ୍ଟେଲ ମଝିରେ ଅସ୍ଥାୟୀ ପୋଲିସ କ୍ୟାମ୍ପ୍‌ ତିଆରି କରାଯାଇଛି ।