ନୂଆଦିଲ୍ଲୀ:  ଭାରତୀୟ ଜନତା ପାର୍ଟି (BJP)ର ବରିଷ୍ଠ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଅସୁସ୍ଥ । ୯୮ ବର୍ଷୀୟ ଆଡ଼ଭାନୀଙ୍କୁ  ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଡ଼ଭାନୀଙ୍କ ଛାତିରେ ସଂକ୍ରମଣ ହୋଇଥିବାରୁ ତାଙ୍କର ଚିକିତ୍ସା ଜରୁରୀ ଥିଲା ।

ବର୍ତ୍ତମାନ ଏଲ୍.କେ. ଆଡ଼ଭାନୀ ହସ୍ପିଟାଲର ପଲ୍‌ମୋନାରୀ ବିଭାଗରେ ଚିକିତ୍ସାଧୀନ ଅଛନ୍ତି । ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ନେଇ ସୂଚନା ମିଳିଛି। ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ପୂର୍ବରୁ ମଧ୍ୟ ଆଡ଼ଭାନୀ ସେହି ଡାକ୍ତରଖାନାରେ ଚିକିତ୍ସିତ ହୋଇସାରିଛନ୍ତି।

ଲାଲକୃଷ୍ଣ ଆଡ଼ଭାନୀ ୧୯୨୭ ମସିହା ନଭେମ୍ବର ୮ ତାରିଖରେ ଏକ ସିନ୍ଧୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଯୁବାବସ୍ଥାରୁ ହିଁ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହିତ ଯୋଡ଼ି ହୋଇଥିଲେ। ଆଡ଼ଭାନୀ ପ୍ରଥମେ ଆରଏସଏସ୍ ଏବଂ ପରେ ଭାରତୀୟ ଜନସଂଘର ଜଣେ ସକ୍ରିୟ ନେତା ଭାବରେ କାର୍ଯ୍ୟ କରିଥିଲେ। ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ହେବା ପରେ, ସେ ଅଟଳ ବିହାରୀ ବାଜପେୟୀଙ୍କ ସହ ମିଶି ଦଳକୁ ଦେଶର ଏକ ପ୍ରମୁଖ ରାଜନୈତିକ ଶକ୍ତି ଭାବରେ ଗଢ଼ିତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। 

୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଆଡ଼ଭାନୀ ଦେଶର ଗୃହମନ୍ତ୍ରୀ ଭାବରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ଏହାପରେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ସେ ଭାରତର ସପ୍ତମ ଉପ-ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।