ଭୁବନେଶ୍ବର: ୮୦ବର୍ଷ ବୟସରେ ପଦାର୍ପଣ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନ୍ମଦିନରେ ନବୀନଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ଜନ୍ମଦିନ ଅବସରରେ ରାଜ୍ୟପାଳ ହରିବାବୁ କମ୍ଭମପାଟୀ ଅଭିନନ୍ଦନ ଜଣାଇବା ସହ ନବୀନଙ୍କ ନିରାମୟ ଓ ସୁଖମୟ ଜୀବନ କାମନା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଜନ୍ମଦିନର ଶୁଭେଚ୍ଛା ଜଣାଇବା ନେଇ ନବୀନ ନିବାସରେ ନେତା ଓ ମନ୍ତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ନବୀନ ଆଜି ବି ଓଡ଼ିଶାବାସୀଙ୍କ ହୃଦୟରେ ଅଛନ୍ତି ବୋଲି କହିଥିଲେ ବିଜେଡି ନେତା ।

୧୯୯୭ ମସିହାରେ ଆସ୍କା ଲୋକସଭା ଆସନରୁ ସାଂସଦ ଏବଂ ୧୯୯୮ ଏନଡିଏ ସରକାରରେ କେନ୍ଦ୍ର ଖଣିମନ୍ତ୍ରୀ ଭାବେ ଆରମ୍ଭ ହେଲା ନବୀନଙ୍କ ରାଜନୈତିକ କ୍ୟାରିୟର୍ । ୨୦୦୦ ମସିହାରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ପ୍ରବେଶ କଲେ ନବୀନ ଏବଂ ତାଙ୍କୁ ଅପେକ୍ଷା କରି ରହିଥିଲା ଓଡ଼ିଶାର ରାଜମୁକୁଟ । ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ନବୀନ ବନିଯାଇଥିଲେ ଅପ୍ରତିଦ୍ବନ୍ଦୀ ନେତା । ଲଗାତାର ୫ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ । ନିଜର ସ୍ବଚ୍ଛ ଭାବମୂର୍ତ୍ତି ପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟ ଜିତିଥିଲେ । ନବୀନଙ୍କ ଲୋକପ୍ରିୟତା ପାଇଁ ୨୦୦୦ରୁ ୨୦୨୪ ଓଡ଼ିଶାରେ ବିରୋଧୀଙ୍କ ପ୍ରଭାବ କାଟୁ କରିନଥିଲା । କ୍ରମାଗତ ଭାବେ ୫ ଥର ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇଥିଲେ ନବୀନ ପଟ୍ଟନାୟକ ।

Also Read: ଓଡ଼ିଶାରେ କାର୍ଯ୍ୟକାଳ ଶେଷ, ପରିବାର ସହ ବିଦାୟ ନେଲେ ହରିବାବୁ କମ୍ଭମପାଟୀ

ଦୀର୍ଘ ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ହୋଇ ପ୍ରମାଣିତ କରିଥିଲେ ଓଡ଼ିଶା ଜନମାନସରେ ସେ ହିଁ ଏକମାତ୍ର ଜନନେତା । ଟଙ୍କିକିଆ ଚାଉଳରୁ ଆରମ୍ଭ କରି ମମତା, ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ସବୁ ଯୋଜନାରେ ନବୀନଙ୍କୁ ମିଳିଥିଲା ଲୋକପ୍ରିୟତାର ସ୍ୱାକ୍ଷର । ସରକାରରେ ଥିବା ସମୟରେ ନବୀନଙ୍କ ଯେତିକି ଲୋକପ୍ରିୟତା ଥିଲା, ଆଜିର ସମୟରେ ବିରୋଧୀ ଦଳ ନେତା ରୂପେ ମଧ୍ୟ ସେ ସମସ୍ତଙ୍କ ପ୍ରିୟ । ୮୦ତମ ଜନ୍ମଦିନରେ ନବୀନଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ନବୀନଙ୍କ ଜନ୍ମଦିନରେ ତାଙ୍କର ନିରାମୟ ଓ ସୁଖମୟ ଜୀବନ କାମନା କରି ବିଭିନ୍ନ ସ୍ଥାନରେ ଦୀପଦାନ କରିଛନ୍ତି ଶୁଭେଚ୍ଛୁ ।