ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଦୁଇ ବିଚାରପତି ଶୁକ୍ରବାର ସ୍ପଷ୍ଟ ଶବ୍ଦରେ କିନ୍ତୁ ମଜାଳିଆ ଢଙ୍ଗରେ କହିଛନ୍ତି ଯେ ଯଦି ପରବର୍ତ୍ତୀ ଶୁଣାଣି ପୂର୍ବରୁ କାମ ଶେଷ ନହୋଇଛି, ତେବେ ଦୁହେଁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ଫାଟକ ବାହାରେ ଧାରଣାରେ ବସିବେ । ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟ ଜଙ୍କସନ ଏବଂ ଜାତୀୟ ପ୍ରାଣୀ ଉଦ୍ୟାନ ନିକଟରେ ମଥୁରା ରୋଡରେ ବିପଦପୂର୍ଣ୍ଣ ଫୁଟ୍ କ୍ରସିଂ ମରାମତିରେ ବିଳମ୍ବ ସମ୍ପର୍କରେ ଏକ ମାମଲାର ଶୁଣାଣି କରୁଥିଲେ ।

ବିଚାରପତି ଜେବି ପାରଦିୱାଲା ଏବଂ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ଶୁଣାଣି କରୁଥିଲେ । ଦିଲ୍ଲୀ ହାଇକୋର୍ଟ ଜଙ୍କସନ୍ ଏବଂ ଜାତୀୟ ପ୍ରାଣୀ ଉଦ୍ୟାନ ନିକଟରେ ବିପଦପୂର୍ଣ୍ଣ କ୍ରସିଂ ମରାମତିରେ ବିଳମ୍ବକୁ ନେଇ ମଧ୍ୟ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ ପ୍ରତିଦିନ ହଜାର ହଜାର ଓକିଲ, ମୋକଦ୍ଦମାକାରୀ ଏବଂ ପିଲାମାନେ ଏହି ଅଞ୍ଚଳ ଦେଇ ଯାତାୟାତ କରନ୍ତି । ଖଣ୍ଡପୀଠ ମଜାରେ ଅତିରିକ୍ତ ସଲିସିଟର ଜେନେରାଲ୍ ବିକ୍ରମଜିତ୍ ବାନାର୍ଜୀଙ୍କୁ କହିଥିଲେ ଯେ ଯଦି ନଭେମ୍ବର ୨୫ ପୂର୍ବରୁ ଠୋସ୍ ପଦକ୍ଷେପ ନିଆ ନଯାଏ, ତେବେ ସେମାନେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ଫାଟକରେ ଧାରଣାରେ ବସିବେ ।

ବିଚାରପତି ପାରଦିୱାଲା କହିଛନ୍ତି, "ଯଦି ଆପଣ ପରବର୍ତ୍ତୀ ତାରିଖ ପୂର୍ବରୁ ଏହା ନକରନ୍ତି, ତେବେ ଆମେ ଉଭୟ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ଫାଟକ ନିକଟକୁ ଯିବୁ ଏବଂ ଆପଣଙ୍କ କାମ ନସରିବା ଯାଏଁ ଘରକୁ ଯିବୁ ନାହିଁ । ଏହା ନିଶ୍ଚିତ । ଆମେ ସେଠାରେ ଧାରଣାରେ ବସିବୁ ଏବଂ ଶ୍ରୀ ବାନାର୍ଜୀ (ଏଏସଜି) ଆପଣଙ୍କୁ ମଧ୍ୟ ଘରକୁ ଯିବାକୁ ଦେବୁ ନାହିଁ ।"

ଏହା ଉପରେ ଏଏସଜି କହିଥିଲେ, ଉଚ୍ଚସ୍ତରୀୟ ଆଲୋଚନା ପରେ ଏକ କମିଟି ଏହି ମାମଲା ଉପରେ ବିଚାର କରୁଛି । କିନ୍ତୁ ସୁପ୍ରମକୋର୍ଟ ଟ୍ରାଫିକ୍ ସମସ୍ୟାର ସମାଧାନରେ ପ୍ରଶାସନିକ ବିଳମ୍ବ ଉପରେ ପ୍ରଶ୍ନ ଉଠାଇଥିଲେ । ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁଯାୟୀ, ଖଣ୍ଡପୀଠ କହିଛନ୍ତି, "ଏଥିପାଇଁ ଆପଣଙ୍କୁ ଏକ କମିଟି କାହିଁକି ଆବଶ୍ୟକ ? ଆପଣଙ୍କୁ କିଛି ଇଞ୍ଜିନିୟର ଆବଶ୍ୟକ କି ? ଆପଣ ଶ୍ରୀ ଗୌରବ ଅଗ୍ରୱାଲ (ଆମିକସ୍ କ୍ୟୁରି)ଙ୍କୁ ନିଯୁକ୍ତି ଦେଇପାରିବେ । ସେ ଆପଣଙ୍କୁ ସାହାଯ୍ୟ କରିବେ । ଆପଣଙ୍କୁ ଏକ ଉଚ୍ଚସ୍ତରୀୟ କମିଟି କାହିଁକି ଆବଶ୍ୟକ ? ଶ୍ରୀ ଅଗ୍ରୱାଲଙ୍କୁ କମିଟିରେ ସାମିଲ କରନ୍ତୁ । ସେ ଆପଣଙ୍କୁ ପ୍ରକୃତ ସମସ୍ୟା କ'ଣ କହିବେ ।"

ଏକ ଡେଡ୍‌ଲାଇନ ସ୍ଥିର କରି ଖଣ୍ଡପୀଠ କହିଛନ୍ତି, ପ୍ରଶାସନିକ ବାହାନା କାମ ଦେବ ନାହିଁ । କୋର୍ଟ ଚେତାବନୀ ଦେଇ କହିଛନ୍ତି, "କିନ୍ତୁ ଏହି କାମ ନଭେମ୍ବର ୨୫ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଯିବା ଦରକାର । ଅନ୍ୟ କୌଣସି ବାହାନା ଚଳିବ ନାହିଁ, କାମ ସମ୍ପୂର୍ଣ୍ଣ ହେବା ଦରକାର । ନଚେତ୍ ଆପଣଙ୍କ ମୁଖ୍ୟ ସଚିବଙ୍କୁ ମଧ୍ୟ ଏଠାକୁ ଆସିବାକୁ ପଡ଼ିବ । "