ଭୁବନେଶ୍ୱର: ଢୋଲ, ମହୁରୀ ଓ ଘଣ୍ଟଘଣ୍ଟାର ଶବ୍ଦରେ କମ୍ପୁଛି ପରିବେଶ । ଧୂପ, ଦୀପ, ହୋମ ଏବଂ ମନ୍ତ୍ରୋଚ୍ଚାରଣ... ଭାବ ଭକ୍ତିର ଆଧ୍ୟାତ୍ମିକ ପରିବେଶ ଭିତରେ ଚାଲିଛି ମା’ ଜଗତଜନନୀଙ୍କ ଆଗମନର ପ୍ରସ୍ତୁତି । କାରଣ ଉପନୀତ ହୋଇଛି ମହାଷଷ୍ଠୀ ତିଥି । ଏହି ପବିତ୍ର ତିଥିରେ ବିଧିବିଧାନ ଅନୁସାରେ ବେଲ ଗଛ ନିକଟରେ ହୁଏ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଯାହାକୁ କୁହାଯାଏ ବିଲ୍ୱବରଣୀ । ଏହା କେବଳ ଏକ ପୂଜା ନୁହେଁ ବରଂ ମା’ ଦୁର୍ଗାଙ୍କୁ ଧରାପୃଷ୍ଠକୁ ଆବାହନ କରିବାର ଏକ ଅନନ୍ୟ ପରମ୍ପରା ।

ବିଲ୍ୱବରଣୀର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ । ‘ବିଲ୍ୱ’ ଶବ୍ଦର ଅର୍ଥ ହେଉଛି ବେଲ । ହିନ୍ଦୁ ଧର୍ମୀୟ ପରମ୍ପରାରେ ବେଲ ଗଛକୁ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ବାସ ରହିଛି । ଶାସ୍ତ୍ର ଅନୁସାରେ ବେଲ ଗଛରେ ଭଗବାନ ଶିବ, ମାତା ପାର୍ବତୀ ଓ ଲକ୍ଷ୍ମୀନାରାୟଣଙ୍କ ସହ ବାସ କରିଥାନ୍ତି । ତେଣୁ ଦୁର୍ଗାପୂଜାରେ ବିଲ୍ୱବରଣୀ କେବଳ ଏକ ରୀତିନୀତି ନୁହେଁ, ଏହା ଭକ୍ତି, ଆସ୍ଥା ଓ ଶାସ୍ତ୍ରୀୟ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବେଲ ଗଛର ପତ୍ରଠାରୁ ଆରମ୍ଭ କରି ଏହାର ଡାଳ ପର୍ଯ୍ୟନ୍ତ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହୋଇଥାଏ । ଦୁର୍ଗାପୂଜାରେ ଏହାର ଉପସ୍ଥିତିକୁ ମା’ଙ୍କ ଆବାହନ ସହ ଯୋଡ଼ାଯାଏ । ବିଲ୍ୱବରଣୀରେ ଆଉ ଏକ ଖାସ୍ କଥା ହେଉଛି ଯାଆଁଳା ବେଲର ପରମ୍ପରା । ଲୋକବିଶ୍ୱାସ ଅନୁସାରେ, ଏହି ଯାଆଁଳା ବେଲ ସହ ରୁଦ୍ର ଓ କାଳୀ ବାସ କରନ୍ତି । ପରମ୍ପରା ଅନୁସାରେ, ପୂଜାର୍ଚ୍ଚନା ପରେ ବେଲ ଗଛରୁ ନିର୍ଦ୍ଦିଷ୍ଟ ବିଧିରେ ଗୋଟିଏ ଡେମ୍ପରେ ଫଳିଥିବା ଯାଆଁଳା ବେଲ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଏ । ଏହାକୁ ଶିବ ଓ ପାର୍ବତୀଙ୍କ ପ୍ରତୀକ ଭାବେ ମଧ୍ୟ ମାନ୍ୟତା ଦିଆଯାଏ ।

ବିଲ୍ୱବରଣୀ ପରେ ମୃଣ୍ମୟୀ ମୂର୍ତ୍ତୀଙ୍କ ଘଟସ୍ଥାପନ, ଚକ୍ଷୁଦାନ ଓ ଅନ୍ୟାନ୍ୟ ରିତିନୀତି ରହିଛି । ଘଟ ସ୍ଥାପନ, ଦେବୀଙ୍କ ଆବାହନ ଓ ଅନ୍ୟାନ୍ୟ ଉପଚାର ଏବଂ ପରବର୍ତ୍ତୀ ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିରେ ମା’ଙ୍କ ବିଭିନ୍ନ ପୂଜାବିଧି ପାଳନ ହୋଇଥାଏ । ଏଥିପାଇଁ ପୂଜା ମଣ୍ଡପଗୁଡ଼ିକ ମଧ୍ୟ ପ୍ରସ୍ତୁତ ହେଲେ । ପ୍ରତ୍ୟେକଟି ବିଧିବିଧାନକୁ ନିଷ୍ଠାର ସହ ନିର୍ଭୁଲ ଭାବେ ପାଳନ ଲାଗି ପୁରୋହିତଙ୍କ ଠାରୁ ପୂଜା ମଣ୍ଡପର କର୍ମ କର୍ତ୍ତା ସଭିଏଁ ସଜାଗ । ଠିକ୍ ସେହିଭଳି ସୁରକ୍ଷା ନେଇ ସମସ୍ତେ ସତର୍କ । ଦର୍ଶକଙ୍କ ସୂଚାର ଦର୍ଶନ ଏବଂ ଭିଡ଼ ନିୟନ୍ତ୍ରଣ ସହ ସମସ୍ତଙ୍କ ନିରାପତ୍ତା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉଥିବା କୁହନ୍ତି କର୍ମକର୍ତ୍ତା ।

ଆଧୁନିକତାର ଛାପ ଭିତରେ ବି ଆଜି ପର୍ଯ୍ୟନ୍ତ ଜୀବନ୍ତ ରହିଛି ଏହି ପ୍ରାଚୀନ ପରମ୍ପରା । ବଦଳିଛି ପୂଜା ମଣ୍ଡପର ରୂପ, ବଦଳିଛି ସାଜସଜ୍ଜାର ଢଙ୍ଗ । କିନ୍ତୁ ବଦଳିନି ପୂଜା ବିଧି କିମ୍ବା ଭକ୍ତଙ୍କ ମନରେ ମା’ଙ୍କ ପ୍ରତି ଶ୍ରଦ୍ଧା ଓ ବିଶ୍ୱାସ । ବିଲ୍ୱବରଣୀ ଆମକୁ ମନେ ପକାଇଦିଏ ଯେ, ଦୁର୍ଗାପୂଜା କେବଳ ଆଲୋକମାଳା, ଆକର୍ଷଣୀୟ ତୋରଣ ଓ ବିଶାଳ ମୂର୍ତ୍ତିର ପର୍ବ ନୁହେଁ। ଏହା ଆମର ଧାର୍ମିକ ଆସ୍ଥା, ସଂସ୍କୃତି ଓ ପିଢ଼ି ପରେ ପିଢ଼ି ଚାଲିଆସୁଥିବା ପରମ୍ପରାର ଏକ ମହାନ ଉତ୍ସବ ।