ନୂଆଦିଲ୍ଲୀ: ନଭେମ୍ବର ୭  (ଶନିବାର) କେରଳରେ କୋଚିରେ ଏସଆଇଆର ବିରୋଧରେ ଆନ୍ଦୋଳନ କରିବ କକ୍ରୋଚ୍‌ ଜନତା ପାର୍ଟି (CJP) । ‘କୋଚିରେ ଜନ୍ତର ମନ୍ତର’ ନାଁରେ ଏହି ଆନ୍ଦୋଳନ କୋଚିର ରାଜେନ୍ଦ୍ର ମୈଦାନଠାରେ ଅପରାହ୍ନ ୪ଟାରୁ ଅନୁଷ୍ଠିତ ହେବ। SIR ପ୍ରକ୍ରିୟାକୁ ରଦ୍ଦ କରିବା ଦାବିରେ ଏହି ଆନ୍ଦୋଳନ ହେବ  । ସିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ‘ଗଣତନ୍ତ୍ର ବଞ୍ଚାଅ , SIR ରଦ୍ଦ କର’ ବୋଲି ଆହ୍ୱାନ ଦିଆଯାଇଛି । 

ଏହି ଆନ୍ଦୋଳନରେ ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଯୋଗଦେବେ। ତାଙ୍କ ସହ ଦଳର ଦକ୍ଷିଣ ମଣ୍ଡଳ ମୁଖ୍ୟ ବିଜୟ ମଲ୍ଲାଙ୍ଗୀ ଏବଂ ଜାତୀୟ ସମ୍ପାଦିକା ଆଫ୍ରିନ୍ ନୱାଜ ମଧ୍ୟ କୋଚିରେ ଅନୁଷ୍ଠିତ ହେବାକୁ ଥିବା ଏହି ଆନ୍ଦୋଳନରେ ପ୍ରମୁଖ ଭୂମିକା ନେବେ। ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କରିବା ସମୟରେ ସିଜେପି ନେତାମାନେ ଗିରଫ ହୋଇଥିଲେ । ଏହା ପରେ କୋଚିରେ CJPର ପ୍ରଥମ ବଡ଼ ପ୍ରଦର୍ଶନ ହେବାକୁ ଯାଉଛି । 

ଗତ ମାସରେ ଦିଲ୍ଲୀ ପୁଲିସ ସିଜେପି ମୁଖ୍ୟ ଅଭିଜିତ ଦୀପକେ, ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ବିନା ଅନୁମତିରେ ଜନ୍ତର ମନ୍ତରଠାରେ ପ୍ରଦର୍ଶନ କରିବା ଅଭିଯୋଗରେ ଅଟକ ରଖିଥିଲା। ସରକାର ଜନ୍ତର ମନ୍ତରକୁ ଧାରଣା ସ୍ଥଳ ଭାବରେ ବାତିଲ କରିଥିଲେ। ତଥାପି ସୌରଭ ଓ ଆଶୁତୋଷ ସେଠାରେ ପହଞ୍ଚି ଜାତୀୟ ପତାକା ଉଡ଼ାଇ ପ୍ରତିବାଦ କରିବାରୁ ସେମାନଙ୍କୁ ଗିରଫ କରାଯାଇ ସପ୍ତାହେ ଜେଲ୍‌ରେ ରଖାଯାଇଥିଲା। ଜନ୍ତର ମନ୍ତରରେ ଆଉ କୌଣସି ଆନ୍ଦୋଳନ ନକରିବା ପାଇଁ ଅଣ୍ଡରଟେକିଂ ଦେବା ପରେ ସେମାନେ ମୁକୁଳିଥିଲେ। ଆଉ ଏବେ କେରଳର କୋଚିରେ ସିଜେପି ଆନ୍ଦୋଳନ କରିବାକୁ ଯାଉଛି ।