ମୁମ୍ବାଇ,୧୩|୦୬:ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ ଫୁଟବଲ କୋଚ୍ । ଏପରିକି ପାପ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଶେଷରେ ଧରା ପଡିଗଲା ସବୁ କିଛି । ବନ୍ଧା ହେଲେ କାମୁକ କୋଚ୍ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ।

ରିପୋର୍ଟ ଅନୁସାରେ, ଗିରଫ ହୋଇଥିବା ଫୁଟବଲ କୋଚ୍ ହେଲେ ଅଭିଜିତ ମେଣ୍ଡଲ । ତାଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ ଅଭିଯୋଗ ଲାଗିଛି । ପୀଡିତାଜଣଙ୍କ ଅଭିଯୁକ୍ତଙ୍କ ଫୂଟବଲ ଆକାଡେମୀରେ ୨୦୨୩ରେ ଯୋଗ ଦେଇଥିଲେ ।

ଅଭିଯୋଗ ଅନୁସାରେ, ଅଭିଯୁକ୍ତ କୋଚ୍ ଆକାଡେମୀରେ ରହୁଥିବା ଯୁବତୀ ଏବଂ ନାବାଳିକାଙ୍କ ଆପତ୍ତିଜନକ ଭିଡିଓ ଉତ୍ତୋଳନ କରୁଥିଲେ । ଏହା ଦେଖାଇ ସେ ବ୍ଲାକମେଲ୍ କରୁଥିଲେ । ପ୍ରଥମେ ଅଭିଜିତ ବିଶ୍ୱାସ ଜିତୁଥିଲେ । ଏହାପରେ ଫୁଟବଲରେ ବଡ ସୁଯୋଗ ଦେବେ ବୋଲି କଥା ଦେଉଥିଲେ । ଏହି ବାହାନାରେ ସେ ଯୁବତୀମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ । ପୀଡିତାଙ୍କ ସହ ଗତ ତିନି ବର୍ଷ ହେଲା ସେ ପାଶବିକ କାଣ୍ଡ ଘଟାଉଥିଲେ ।

ପୀଡିତାଜଣଙ୍କ କହିଛନ୍ତି ଯେ, ଦିନକୁ ଦିନ ନିର୍ଯାତନା ବଢିବାରେ ଲାଗିଥିଲା । ସେ କୋଚଙ୍କ ସହ ମିଳାମିଶା କରିବାକୁ ଚାହୁଁନଥିଲେ । କିନ୍ତୁ ଅଭିଜିତ ତାଙ୍କୁ ବ୍ଲାକମେଲ୍ କରୁଥିଲେ । ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ୍ କରିଦେବେ ବୋଲି କହୁଥିଲେ । ଶେଷରେ ବାଧ୍ୟ ହୋଇ ପୀଡିତାଜଣଙ୍କ ପରିବାର ଲୋକଙ୍କୁ ଏବାବଦରେ ଜଣାଇଥିଲେ । ପରିବାର ଲୋକେ ପୋଲିସରେ ଖବର ଦେଲା ପରେ ମାନିକପୁର ପୋଲିସ ଅଭିଜିତଙ୍କୁ ଗିରଫ କରିଥିଲା ।

ଅଭିଜିତଙ୍କୁ ଦୁଷ୍କର୍ମ, ପୋକ୍ସୋ,ଅପରାଧିକ ଷଡଯନ୍ତ୍ର ମାମଲାରେ ଗିରଫ କରାଯାଇଛି । ଏବେ ସେ ପୋଲିସ ହେପାଜତରେ ରହିବେ । ଘଟଣାର ତଦନ୍ତ ଜାରି ରହିଛି । ଆଉ କେଉଁ ନାବାଳିକା ଏବଂ ଯୁବତୀଙ୍କୁ ସେ ନିର୍ଯାତନା ଦେଇଛନ୍ତି ତାହାର ଖୋଳତାଡ ଆରମ୍ଭ ହୋଇଛି ।