ଭୁବନେଶ୍ୱର: ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ରାଜ୍ୟର ବିକାଶମୂଳକ ପଦକ୍ଷେପ, ଆଇନ ଶୃଙ୍ଖଳା ପରିସ୍ଥିତି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଚାଲୁରହିଥିବା ବିଭିନ୍ନ ବିକାଶମୂଳକ ଓ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ବିକାଶ, ପ୍ରଗତି ଓ ସମୃଦ୍ଧିର ଏକ ନୂତନ ପଥରେ ଓଡ଼ିଶା ଦ୍ରୁତ ଗତିରେ ଆଗେଇ ଚାଲିଛି ବୋଲି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିରନ୍ତର ସହଯୋଗ କାମନା କରିଥିଲେ ।

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଓଡ଼ିଶା ଆଜି ଏକ "ନକ୍ସଲମୁକ୍ତ ରାଜ୍ୟ" ଭାବେ ମାନ୍ୟତା ପାଇପାରିଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଇଥିଲେ। ନକ୍ସଲ ଦମନରେ ଏହି ସଫଳତା ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି ବୋଲି ସେ କହିଥିଲେ । ନକ୍ସଲ ମୁକ୍ତ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର 'ଗ୍ରାମୋଦୟ ଯୋଜନା' ମାଧ୍ୟମରେ ସେହି ଅଞ୍ଚଳ ଗୁଡ଼ିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରୁଛନ୍ତି।

ସକ୍ରିୟ ପୋଲିସିଂ ଯୋଗୁଁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ହୋଇଥିବା ଦ୍ରୁତ ଶିଳ୍ପାୟନ ବିଷୟରେ ଆଲୋଚନା କରି ଏହାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଶିଳ୍ପ ସୁରକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ।

ସେହିପରି ସମବାୟ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାକୁ ସହଯୋଗ ଯୋଗାଇ ଦେଉଛନ୍ତି। ଓଡ଼ିଶାରେ ଚିନି କଳ ଗୁଡ଼ିକର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗ ଯୋଗୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୃହ ମନ୍ତ୍ରୀ ଶ୍ରୀ ଶାହାଙ୍କୁ ଧନ୍ୟବାଦ ଦେଇଥିଲେ । ଓଡ଼ିଶାର "ଡବଲ୍-ଇଞ୍ଜିନ୍ ସରକାର" ସିଧାସଳଖ ଜନସମ୍ପର୍କ ଏବଂ ଦ୍ରୁତ ଅଭିଯୋଗ ପ୍ରତିକାର ମାଧ୍ୟମରେ ଜନସାଧାରଣଙ୍କ ଆସ୍ଥା ଜିତି ପାରିଛି ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

also read-ମୁଣ୍ଡଳୀରେ ଗୁରୁବାର ପାଣି ପିକ୍‌ରେ ଥିଲା, ବନ୍ୟା ଯୋଗୁଁ ୭ ଘାଇ ହୋଇଛି

ଏହା ସହିତ ସେ ରାଜ୍ୟର ପ୍ରମୁଖ ବିକାଶ ଓ କଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ବିଷୟରେ ଆଲୋକପାତ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ, ରାଜ୍ୟର ପ୍ରଶଂସନୀୟ ଓ ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକର ଭୂୟସୀ ପ୍ରଶଂସା କରିଥିଲେ ଏବଂ ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ।