ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଲଗାତାର ଦ୍ୱିତୀୟ ଦିନରେ ବଡ଼ ବୃଦ୍ଧି ଦେଖିଛି । ସୋମବାର କାରବାର ଶେଷରେ ସେନ୍‌ସେକ୍ସ ୬୩୮ ଅଙ୍କ ବା ୦.୭୫ ପ୍ରତିଶତ ଉପରକୁ ଉଠି ୮୫,୫୬୭.୪୮ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୦୬ ଅଙ୍କ ବା ୦.୭୯ ପ୍ରତିଶତ ବଢି ୨୬,୧୭୨.୪୦ ସ୍ତରରେ ବନ୍ଦ ହୋଇଛି । ବିଦେଶୀ ନିବେଶକଙ୍କ ଭରସା ଓ ଗ୍ଲୋବାଲ୍ ମାର୍କେଟରୁ ମିଳିଥିବା ମଜଭୁତ ସଂକେତରୁ ଆଜି ଏହି ବୃଦ୍ଧି ଦେଖିବାକୁ ମିଳିଛି । ଏହା ବ୍ୟତୀତ ଆମେରିକାରେ ସୁଧ ହାର ହ୍ରାସର ସଂକେତ ମଧ୍ୟ ନିବେଶକଙ୍କ ମନୋବଳକୁ ବଢାଇଛି ।

ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ସେୟାରରେ ମଧ୍ୟ ଆଜି ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ବିଏସ୍‌ଇ ମିଡ୍‌କ୍ୟାପ୍ ଇଣ୍ଡେକ୍ସ ୦.୮୬ ପ୍ରତିଶତ ବଢି ବନ୍ଦ ହୋଇଛି । ଅନ୍ୟପଟେ ବିଏସ୍‌ଇ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ୧.୧୨ ପ୍ରତିଶତ ବଢି ବନ୍ଦ ହୋଇଛି ।

ସେୟାର ବଜାରରେ ଆଜିର ବୃଦ୍ଧି ପ୍ରାୟ ସବୁ ସେକ୍ଟରରେ ହୋଇଛି । କଞ୍ଜୁମର ଡ୍ୟୁରେବଲ୍ସକୁ ଛାଡ଼ି ପ୍ରାୟ ସମସ୍ତ ସେକ୍ଟୋରାଲ୍ ଇଣ୍ଡେକ୍ସ ସବୁଜ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ବୃଦ୍ଧି ଆଇଟି ସେୟାରରେ ଦେଖିବାକୁ ମିଳିଛି । ଏହା ବ୍ୟତୀତ କ୍ୟାପିଟାଲ୍ ଗୁଡ୍ସ, ମେଟାଲ୍, କମୋଡିଟି ଓ ଇଣ୍ଡଷ୍ଟ୍ରିଅଲ ସେୟାର ଇଣ୍ଡେକ୍ସରେ ମଧ୍ୟ ଏକ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି ।

ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ବଢି ୪୭୫.୨୪ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଏହା ୪୭୧.୨୧ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୪.୦୩ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୪.୦୩ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ବିଏସ୍‌ଇ ସେନ୍‌ସେକ୍ସର ୩୦ ମଧ୍ୟରୁ ୨୫ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଏସ୍‌ବିଆଇ ସେୟାରରେ ସବୁଠୁ ଅଧିକ ୩.୫୬ ପ୍ରତିଶତ ବୃଦ୍ଧି ହୋଇଛି ।