ନୂଆଦିଲ୍ଲୀ: କକରୋଚ ଜନତା ପାର୍ଟି(ସିଜେପି) ମୁଖ୍ୟ ନିର୍ବାଚନ ଆୟୁକ୍ତ(ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନର ଘୋଷଣା କରିଛି । ଯଦି ଜ୍ଞାନେଶ କୁମାର ଆଗାମୀ ୪୮ ଘଣ୍ଟା ଭିତରେ ନିଜ ପଦରୁ ଇସ୍ତଫା ନ ଦିଅନ୍ତି ତେବେ ସମଗ୍ର ଦେଶରେ ନିର୍ବାଚନ ଆୟୋଗଙ୍କ ବିରୋଧରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସିଜେପିର ମୁଖ୍ୟ ଅଭିଜିତ ଦୀପକେ କହିଛନ୍ତି । ଏହା ପରେ ଦିଲ୍ଲୀ ଜନ୍ତର ମନ୍ତର ୨.୦ ମଧ୍ୟ ଆରମ୍ଭ ହୋଇଯିବ । ଏଥିସହ ସିଜେପି ମୁଖ୍ୟ ନିର୍ବାଚନ ଆୟୋଗ ଓ ସରକାରଙ୍କ ସାମ୍ନାରେ ତିନୋଟି ଦାବି ରଖିଛନ୍ତି ।

ସିଜେପିର ୩ ଦାବି

୧ – ଜ୍ଞାନେଶ କୁମାର ନିଜ  ପଦରୁ ଇସ୍ତଫା ଦିଅନ୍ତୁ । ତାଙ୍କ ବିରୋଧରେ ତୁରନ୍ତ ଫୌଜଦାରୀ ମାମଲା ଦାୟର କରାଯାଉ। ତାଙ୍କୁ କିଏ କିଏ  ଆଦେଶ ଦେଉଥିଲେ ତାର ଯାଞ୍ଚ କରାଯାଉ ।

୨ – ଆଗାମୀ ସମସ୍ତ ନିର୍ବାଚନକୁ ତତ୍କାଳ ପ୍ରଭାବରୁ ରୋକ୍ ଲଗାଯାଉ । ୨୦୨୪ ଜାନୁଆରୀର ଭୋଟର ତାଲିକା ପୁନଃ ଜାରି କରାଯାଉ ଏବଂ ଏସଆଇଆର ପ୍ରକ୍ରିୟା ବନ୍ଦ କରାଯାଉ ।  ସୁପ୍ରିମକୋର୍ଟ ଏସଆଇଆର ସହ ଜଡ଼ିତ ସମସ୍ତ ଫାଇଲ୍ ସିଜ୍ କରନ୍ତୁ।

୩ – ୨୦୨୩ର ସେହି ଆଇନକୁ ପ୍ରତ୍ୟାହାର କରାଯାଉ, ଯେଉଁଥିରେ ନିର୍ବାଚନ ଆୟୁକ୍ତଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ସଂରକ୍ଷଣ ପ୍ରଦାନ କରୁଛି । ନୂଆ ଆଇନ ପ୍ରଣୟନ ହେଉ, ଯେଉଁଥିରେ ସିଭିଲ୍ ସୋସାଇଟିର ଭାଗିଦାରୀ ରହୁ ।

Also Read: ଜ୍ଞାନେଶ କୁମାର ମାନି ନାହାନ୍ତି ସୁପ୍ରିମକୋର୍ଟଙ୍କ ଆଦେଶ, ସିଇସିଙ୍କ ଉପରେ କେସ୍ କରିବା ପାଇଁ ଅନୁମତି ଲୋଡ଼ିଲେ ଓକିଲ

କାହିଁକି ଆରମ୍ଭ ହେଲା ବିବାଦ ?

ଗୋଟିଏ ଦିନ ପୂର୍ବରୁ 'ଦି ଇଣ୍ଡିଆନ୍ ଏକ୍ସପ୍ରେସ'ର ରିପୋର୍ଟରେ ପ୍ରକାଶ ପାଇଥିଲା ଯେ ନିର୍ବାଚନ କମିଶନର ସୁଖବୀର ସିଂ ସନ୍ଧୁ ଏବଂ ବିବେକ ଯୋଶୀ  ମୁଖ୍ୟ ନିର୍ବାଚନ କମିଶନଙ୍କ ବିଭିନ୍ନ ନିଷ୍ପତ୍ତି ଉପରେ ଅତିକମରେ ୧୪ ଥର ନିଜର ଆପତ୍ତି ଲିପିବଦ୍ଧ କରିଛନ୍ତି। ଯଦିଓ ନିର୍ବାଚନ କମିଶନ ଏହାକୁ ଆଭ୍ୟନ୍ତରୀଣ ଆଲୋଚନାର ଏକ ସାଧାରଣ ପ୍ରକ୍ରିୟା ଏବଂ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି, ତଥାପି ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିବାକୁ ଯାଉଛି। ଆଇନଜୀବୀ ବ୍ରଜେଶ ସିଂ, ଆଟର୍ଣ୍ଣିଂ ଜେନେରାଲ ଆର. ଭେଙ୍କଟରମଣିଙ୍କ ନିକଟରେ ସିଇସିଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ମାଗିଛନ୍ତି।

ଜ୍ଞାନେଶ କୁମାର ଗଣତନ୍ତ୍ରର ଶତ୍ରୁ

ଅଭିଜିତ ଦୀପକେ କହିଛନ୍ତି,  ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ସେଥିରୁ ପ୍ରମାଣିତ ହେଉଛି ଯେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଦେଶର ସବୁଠୁ ବଡ଼ ଶତ୍ରୁ। ତାଙ୍କୁ ତୁରନ୍ତ ଇସ୍ତଫା ଦେଇ ଦେବା ଉଚିତ୍। ସେ ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ। ଗଣତନ୍ତ୍ରର ଅର୍ଥ ଥିଲା ଲୋକେ ସରକାର ବାଛିବେ। ମାତ୍ର ଜ୍ଞାନେଶ କୁମାର ଯେବେଠୁ ସିଇସି ହୋଇଛନ୍ତି, ତେବେଠୁ ସରକାର ସ୍ଥିର କରିବେ ଯେ, କିଏ ଭୋଟ୍ ଦେବ ଏବଂ କିଏ ଭୋଟ୍ ଦେବନି।