ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ମୁସ୍କିଲ ବଢ଼ିବାରେ ଲାଗିଛି। ଏବେ ଏହି ମାମଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ଆଦେଶ ଓ ନିୟମାବଳୀକୁ ଅବମାନନା କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଜଣେ ସିନିୟର ଆଇନଜୀବୀ ବ୍ରଜେଶ ସିଂହ ଦେଶର ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣିଙ୍କ ଅନୁମତି ମାଗିଛନ୍ତି।

ଆଇନଗତ ଆଧାର ଏବଂ ଅଭିଯୋଗ

ସୂଚନା ଅନୁଯାୟୀ, ଆଇନଜୀବୀ ବ୍ରଜେଶ ସିଂହ ଆଟର୍ଣ୍ଣି ଜେନେରାଲଙ୍କୁ ଲେଖିଥିବା ପତ୍ରରେ କୋର୍ଟ ଅବମାନନା ଆଇନ, ୧୯୭୧ର ଧାରା ୧୫(୧)(b) ଏବଂ ୨(c) ସହ ସୁପ୍ରିମକୋର୍ଟ କଣ୍ଟେମ୍ପ୍ଟ ପ୍ରୋସିଡିଂସ ରୁଲ୍ସ, ୧୯୭୫ର ନିୟମ ୩ର ଆଧାର ଦେଇଛନ୍ତି। ଭାରତୀୟ ନିର୍ବାଚନ ଆୟୋଗ (ECI)ର କାର୍ଯ୍ୟଶୈଳୀକୁ ନେଇ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରାୟ ଏବଂ ନିର୍ଦ୍ଦେଶକୁ ସିଇସି ଜ୍ଞାନେଶ କୁମାର ଅଣଦେଖା କରିଥିବା ନେଇ ପତ୍ରରେ ସ୍ପଷ୍ଟ ଭାବେ ଅଭିଯୋଗ କରାଯାଇଛି।

Also Read: ସୁପ୍ରିମକୋର୍ଟରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧିକାର ପ୍ରସଙ୍ଗ : ୨ ସପ୍ତାହରେ ଜବାବ ରଖିବାକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ

ନିର୍ବାଚନ ଆୟୋଗ ଭିତରେ ବଢ଼ୁଛି ଅସନ୍ତୋଷ

ଅନ୍ୟପଟେ ନିକଟରେ ପ୍ରକାଶିତ ଦୈନିକ ଇଂରାଜୀ ଖବର କାଗଜ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟରୁ ନିର୍ବାଚନ ଆୟୋଗ ଭିତରର ଅସନ୍ତୋଷ ପଦାକୁ ଆସିଛି। ଆୟୋଗର ଅନ୍ୟ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ଗତ ୧୦ ମାସ ମଧ୍ୟରେ ଅତି କମରେ ୧୪ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ କଡ଼ା ଆପତ୍ତି ପ୍ରକାଶ କରିଥିଲେ। ସେମାନଙ୍କୁ ବିନା ସୂଚନା କିମ୍ବା ବିନା ସମ୍ମତିରେ ଏହିସବୁ ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହୋଇଛି।

କେଉଁସବୁ ନିଷ୍ପତ୍ତିକୁ ନେଇ ବିବାଦ ?

ନିର୍ବାଚନ କମିଶନରମାନଙ୍କ ଦ୍ବାରା ଉଠାଯାଇଥିବା ଆପତ୍ତିଗୁଡ଼ିକ ମୁଖ୍ୟତଃ ଭୋଟର ଆବେଦନ ଫର୍ମ ୬ ର ପରିବର୍ତ୍ତନ, ଇଆରଓଙ୍କଠୁ ଭୋଟର ତାଲିକାରେ ନୂଆ ନାମ ଯୋଡ଼ିବା ଓ ନାମ କାଟିବା ଅଧିକାର ସଙ୍କୁଚିତ କରିବା ଏବଂ ଭୋଟର ତାଲିକା ଡାଟାବେସ୍ର ବ୍ୟବହାରକୁ ସୀମିତ କରିବା ଭଳି ସମ୍ବେଦନଶୀଳ ବିଷୟ ସହିତ ଜଡ଼ିତ। ଆୟୋଗ ଭିତରେ ଏହି ଆଭ୍ୟନ୍ତରୀଣ ମତଭେଦ ଏବଂ ବର୍ତ୍ତମାନ ସୁପ୍ରିମକୋର୍ଟ ଓକିଲଙ୍କ ଆଇନଗତ ପଦକ୍ଷେପ ଯୋଗୁଁ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ପାଇଁ ସଙ୍କଟ ଆହୁରି ଗଭୀର ହେବାରେ ଲାଗିଛି।

Also Read: CEC ଓ EC ମନୋନୟନ ମାମଲାରେ ବିଚାରପତିଙ୍କ ପୃଥକ ରାୟ, ଜାଣନ୍ତୁ କହିଲେ କ’ଣ?

ଏହା ସୁପ୍ରିମକୋର୍ଟ ନିଷ୍ପତ୍ତିର ଅବମାନନା

ସେ ଆଉ ଏକ ମାମଲାର ଉଦାହରଣ ମଧ୍ୟ ଦେଇଛନ୍ତି। ଅନୂପ ବରନଓ୍ଵାଲ ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟର ୨୦୨୩ର ନିଷ୍ପତ୍ତିରେ ନିର୍ବାଚନ ଆୟୋଗ ସମ୍ବନ୍ଧିତ ସାମ୍ବିଧାନିକ ଢାଞ୍ଚା ବିଷୟରେ ଉଲ୍ଲେଖ କରାଯାଇଛି। ସ୍ଵାଧୀନତା ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଏକ ନିରପେକ୍ଷ ଆୟୋଗର ମହତ୍ଵ ଉପରେ ଗୁରୁତ୍ଵାରୋପ କରାଯାଇଛି। ନିଷ୍ପତ୍ତିରେ ନିର୍ବାଚନ ଆୟୋଗଙ୍କୁ ଏମିତି ଏକ ସଂସ୍ଥା ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଯିଏ ନିରପେକ୍ଷ, ପାରଦର୍ଶୀ ଏବଂ ବିନା କୌଣସି ଭେଦଭାବନରେ ନିର୍ବାଚନ କାମ କରାଇବ। କିନ୍ତୁ ବର୍ତ୍ତମାନର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ଅବଜ୍ଞା ଏବଂ ଅଣଦେଖା କରି ମନମୁଖୀ ଭାବେ ନିଷ୍ପତ୍ତି ନେଇଛନ୍ତି। ତେଣୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ଚଲାଯାଉ ବୋଲି ସେ ଦାବି କରିଛନ୍ତି।