ମୁମ୍ବାଇ: ମରାଠା ଆରକ୍ଷଣ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ପୁଣି ବିବାଦ ତୀବ୍ର ହୋଇଛନ୍ତି । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ସାଙ୍ଗୀନ ଅଭିଯୋଗ ଆଣିଛନ୍ତି ମରାଠା ଆରକ୍ଷଣ ଆନ୍ଦୋଳନର ପ୍ରମୁଖ ନେତା ମନୋଜ ଜାରଙ୍ଗେ ପାଟିଲ । ଏହି ଆନ୍ଦୋଳନ ବନ୍ଦ କରିବାକୁ ଏକନାଥ ସିନ୍ଦେ ବିଜେପି ପାଖରୁ ୫୦୦ କୋଟି ଟଙ୍କା ନେଇଛନ୍ତି ବୋଲି କହିଛନ୍ତି ମନୋଜ । ଏନେଇ ବିଜେପିର ବରିଷ୍ଠ ନେତାମାନେ ତାଙ୍କୁ ସୂଚନା ଦେଇଥିବା ନେଇ ସେ ଦାବି କରିଛନ୍ତି । 

ମନୋଜ ଜାରଙ୍ଗେ କହିଛନ୍ତି ଯେ, ମରାଠା ଆନ୍ଦୋଳନକୁ ବନ୍ଦ କରିବା ଏବଂ ଜାରଙ୍ଗେ ପାଟିଲଙ୍କୁ ନୀରବ କରିବା ପାଇଁ ଏକନାଥ ସିନ୍ଦେ ନିଜ ପୁଅ ଡକ୍ଟର ଶ୍ରୀକାନ୍ତ ସିନ୍ଦେଙ୍କ ଜରିଆରେ ବିଜେପିଠାରୁ ୫୦୦ କୋଟି ଟଙ୍କା ନେଇଛନ୍ତି। ତେ ସେ ସ୍ପଷ୍ଟ କରି କହିଛନ୍ତି ଯେ, ସେ ନିଜେ କାହାଠାରୁ ଟଙ୍କା ନେଇନାହାନ୍ତି । ମରାଠା ଆରକ୍ଷଣ ପାଇଁ ଚାଲିଥିବା ଲଢ଼େଇକୁ ବନ୍ଦ କରିବାର ନିଷ୍ପତ୍ତି ନେଇନାହାନ୍ତି। ମରାଠା ସମୁଦାୟର ହକ୍ ପାଇଁ ସେ ନିଜର ସଂଗ୍ରାମ ଜାରି ରଖିବେ ବୋଲି କହିଛନ୍ତି ମନୋଜ ଜାରଙ୍ଗେ।

ସିନ୍ଦେଙ୍କୁ ଦେଲେ ୨ ଦିନ
ବିଜେପିଠାରୁ ୫୦୦ କୋଟି ଟଙ୍କା ନେବାର ଏହି ଖବର ସତ ନା ମିଛ, ସେନେଇ ଏକନାଥ ସିନ୍ଦେ ଆଗାମୀ ଦୁଇ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଜାରଙ୍ଗେ ଦାବି କରିଛନ୍ତି । ୫୦୦ କୋଟି ଟଙ୍କା କମ୍‌ ନୁହେଁ ।  ଏହା ମରାଠା ଆନ୍ଦୋଳନ ଏବଂ ତାଙ୍କୁ ବଦନାମ କରିବାର ଏକ ବଡ଼ ଷଡ଼ଯନ୍ତ୍ର। ଏହି ଅଭିଯୋଗ ସମ୍ପର୍କରେ ତାଙ୍କ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି । ଉପଯୁକ୍ତ ସମୟ ଆସିଲେ ସେ ଏହାକୁ ଜନସାଧାରଣଙ୍କ ସାମ୍ନାରେ ପ୍ରକାଶ କରିବେ ବୋଲି ମନୋଜ ଜାରଙ୍ଗେ ଦୃଢ଼ୋକ୍ତି ବାଢ଼ିଛନ୍ତି ।

ଜବାବ ଦେଲା ଶିବସେନା
 ମନୋଜ ଜାରଙ୍ଗେଙ୍କ ଅଭିଯୋଗ ଉପରେ ପାଲଟା ଜବାବ ଦେଇଛନ୍ତି ଶିବସେନା (ସିନ୍ଦେ)ର ବରିଷ୍ଠ ନେତା ରାମଦାସ କଦମ । ସେ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଜାରଙ୍ଗେଙ୍କୁ ସମାଲୋଚନା କରିଛନ୍ତି । ୬୫ ବିଧାୟକ ଏବଂ ୧୭ ଜଣ ସାଂସଦଙ୍କ ସମର୍ଥନ ଥିବା ସିନ୍ଦେଙ୍କ ଛବି ଖରାପ କରିବାକୁ ଜାରଙ୍ଗେ ଅପଚେଷ୍ଟା କରୁଛନ୍ତି ବୋଲି ରାମଦାସ କଦମ ଅଭିଯୋଗ କରିଛନ୍ତି । ଯଦି ତାଙ୍କ ପାଖରେ କୌଣସି ପ୍ରମାଣ ଅଛି, ତେବେ ସେ ଲୋକଙ୍କ ସାମ୍ନାକୁ ଆଣନ୍ତୁ ବୋଲି ଜାରଙ୍ଗେଙ୍କୁ ଆହ୍ବାନ ଦେଇଛନ୍ତି ରାମଦାସ ।