ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଂପର୍କିତ ମାମଲାକୁ ନେଇ ସୁପ୍ରିମକୋର୍ଟରେ ସରଗରମ ମାହୋଲ। ଆବେଦନକାରୀଙ୍କ ଉପରେ ତାତିଲେ ପ୍ରଧାନ ବିଚାରପତି। ପ୍ରଶ୍ନ କଲେ କେସରେ କିଛି ଆଧାର ଅଛି କି ? ଏହିପରି ଭାବେ ଭାରତର ପ୍ରଧାନ ବିଚାରପତି(CJI) ସୂର୍ଯ୍ୟକାନ୍ତ ମଙ୍ଗଳବାର ଜଣେ ଓକିଲଙ୍କୁ ଖୁବ୍ ତାଗିଦ୍ କରିଛନ୍ତି। ଓକିଲ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ମାମଲା ଉଲ୍ଲେଖ କରିଥିଲେ। ଏହା ଉପରେ ସିଜେଆଇ ଆବେଦନକାରୀଙ୍କ ପକ୍ଷରୁ ହାଜର ଓକିଲଙ୍କୁ ପଚାରିଛନ୍ତି ଯେ, କଣ ଏହି ମାମଲାକୁ ନେଇ ସେ କୌଣସି ନ୍ୟୁଜ ଚ୍ୟାନେଲ ସହ କଥା ହୋଇଛନ୍ତି କି ? ମାମଲା ଉପରେ ପ୍ରଶ୍ନ ଉଠାଇ ସିଜେଆଇ କହିଛନ୍ତି ଆପଣଙ୍କ ଆବେଦନରେ ନା କୌଣସି ସ୍ପଷ୍ଟ ଆଧାର ଅଛି ନା ସ୍ପଷ୍ଟ ନିଷ୍କର୍ସ ରହିଛି।

ଶୁଣାଣି ସମୟରେ ସିଜେଆଇ କହିଛନ୍ତି, ମାମଲାରେ କୌଣସି ଠୋସ୍ ଆଧାର ବି ବୁଝି ହେଉନି। ଆବେଦନକାରୀ କଣ କୌଣସି ନ୍ୟୁଜ୍ ଚ୍ୟାନେଲ ସହ ଏ ନେଇ ଆଲୋଚନା କରିଛନ୍ତି। ସିଜେଆଇ ଏହି ଟିପ୍ପଣୀ ସେହି ସମୟରେ କରିଛନ୍ତି ଯେତେବେଳେ ରାହୁଲଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ମାମଲାକୁ ଅଦାଲତରେ ଲିଷ୍ଟିଂ କରିବା ପାଇଁ ଆବେଦନକାରୀ ଦାବି କରୁଥିଲେ। ଓକିଲ ଯୁକ୍ତି ବାଢିଛନ୍ତି ଯେ, ରାହୁଲ ନିକଟରେ ଦାବି କରିଥିଲେ, ଯେ ସେ ଇଡି ଏବଂ ସିବିଆଇର ପ୍ରାୟ ୨୦୦ ଅଧିକାରୀଙ୍କ ସଂପର୍କରେ ଅଛନ୍ତି।

Also Read: ଓଡ଼ିଶା ପ୍ରଶାସନରୁ ବିଦାୟ ନେବେ ସଞ୍ଜୟ କୁମାର ସିଂ, ନିଜ ଗୃହ କ୍ୟାଡର ବିହାରକୁ ଫେରିବେ

ରାହୁଲଙ୍କ ବିରୋଧରେ କଣ ମାମଲା ?

ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ପୁରୁଣା ମାମଲା କର୍ଣ୍ଣାଟକର ବିଜେପି କାର୍ଯ୍ୟକର୍ତ୍ତା ଏସ ଭିଗ୍ନେଶ ଶିଶିରଙ୍କ ଯାଚିକା ସହ ଜଡ଼ିତ ଅଛି। ଆବେଦନକାରୀ ଅଭିଯୋଗ କରିଥିଲେ ଯେ, ରାହୁଲ ଗାନ୍ଧୀ ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କ ନିକଟରେ ଆୟ ବହିର୍ଭୁତ ସଂପର୍ତି ରହିଛି। ଏହି ଆଧାରରେ ସେ ସମ୍ବନ୍ଧିତ ଯାଞ୍ଚ ଏଜେନ୍ସିକୁ ମାମଲାର ତଦନ୍ତ କରିବାକୁ ଦାବି କରିଥିଲେ।

ହାଇକୋର୍ଟରେ ପହଞ୍ଚିଲା ମାମଲା

ଅଭିଯୋଗ ପରେ ମାମଲା ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଥିଲା। ୨୦୨୬ ମେରେ ହାଇକୋର୍ଟ ଅଭିଯୋଗ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ତଦନ୍ତର ପ୍ରଗତି କେତେ ଦୂର ହୋଇଛି ତାର ରିପୋର୍ଟ ଦେବାକୁ ସିବିଆଇ ଓ ଇଡିକୁ ନିର୍ଦ୍ଦେଶ ଦେଇଥିଲେ।

ପୁଣି ୨୦୨୬ ଜୁଲାଇ ୨୦ରେ ହାଇକୋର୍ଟ ସିବିଆଇ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ସହିତ ତଦନ୍ତର ପ୍ରଗତିକୁ ନେଇ ସ୍ପଷ୍ଟ ସୂଚନା ସହ ସତ୍ୟପାଠ ଦାଖଲ କରିବାକୁ କହିଥିଲେ। ଉଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଥିଲେ ଯେ, ଯଦି ତଦନ୍ତ ସମୟରେ କୌଣସି ବେଆଇନ ଗତିବିଧି ସଂପର୍କିତ ସାମଗ୍ରୀ ମିଳେ ତେବେ ଏଜେନ୍ସି ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ।

Also Read: ହାତ ଧରି ଧକ୍କା ଦେଲେ ରାହୁଲ ଗାନ୍ଧୀ ! ସାଙ୍ଘାତିକ ଅଭିଯୋଗ ଆଣିଲେ ସାମ୍ବାଦିକା

ଚ୍ୟାଲେଞ୍ଜ କଲେ ରାହୁଲ

ହାଇକୋର୍ଟଙ୍କ ଏହି ଶୁଣାଣିକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ତାଙ୍କ ପକ୍ଷରୁ କେସ୍ ଲଢୁଥିବା ବରିଷ୍ଠ ଆଇନଜୀବୀ କପିଲ୍ ସିବଲ ସର୍ବୋଚ୍ଚ ନ୍ୟାୟାଳୟରେ ଯୁକ୍ତି ରଖିଥିଲେ ଯେ, ଯେଉଁଭଳି ଭାବେ ହାଇକୋର୍ଟରେ ମାମଲାର ଶୁଣାଣି ଚାଲିଛି, ତାହା ଆଇନଗତ ପ୍ରକ୍ରିୟା ଅନୁରୂପ ନୁହେଁ। ଆବେଦନକାରୀଙ୍କ ଉଦ୍ଦେଶ୍ୟ ପ୍ରତି ସେ ପ୍ରଶ୍ନ ଉଠାଇଥିଲେ।

ରିପୋର୍ଟ ନ ଦେବାକୁ ଆଦେଶ

ଏହା ପରେ ୨୦୨୬ ଅଗଷ୍ଟ ୧୭ରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ଵାଧୀନ ତିନି ଜଣିଆ ଖଣ୍ଡପୀଠ ମାମଲାରେ ହସ୍ତକ୍ଷେପ କରିଥିଲେ। ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ସ୍ଥଗିତ ରଖିବାକୁ ହାଇକୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ସିବିଆଇ, ଇଡି ଏବଂ ଅନ୍ୟ ସମ୍ବନ୍ଧିତ ଏଜେନ୍ସିକୁ ହାଇକୋର୍ଟରେ କୌଣସି ରିପୋର୍ଟ ଦାଖଲ ନ କରିବାକୁ ଆଦେଶ ଦେଇଥିଲେ।

Also Read: ‘ଛୁଟି କାଟୁଛନ୍ତି ଓ ଉପଭୋଗ କରୁଛନ୍ତି’: ରାହୁଲ ଗାନ୍ଧୀଙ୍କ ବିଦେଶ ଯାତ୍ରାକୁ ନେଇ କଟାକ୍ଷ କଲା ବିଜେପି 

ଶୁଣାଣି ସମୟରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ ଯେ, ଯଦି ଯାଞ୍ଚ ଏଜେନ୍ସି ପାଖରେ ଅଭିଯୋଗ ସଂପର୍କିତ କୌଣସି ଠୋସ୍ ପ୍ରମାଣ ରହିଛି ତେବେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉ ନାହିଁ। ଯଦି ପ୍ରମାଣ ଅଛି ତେବେ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସର୍ବଦା କୋର୍ଟଙ୍କ ନିର୍ଦ୍ଦେଶର ଆବଶ୍ୟକତା ନାହିଁ।