ନୂଆଦିଲ୍ଲୀ୨୬।୧୦: ଫିଲ୍ମ ‘ସୈୟାରା’ ଜରିଆରେ ଅଭିନୟ ଦୁନିଆରେ ପାଦ ରଖିଥିଲେ ଅନୀତ ପଡ୍ଡା । ଏହି ଗୋଟିଏ ସିନେମାରେ ଅଭିନୟ କରି ରାତାରାତି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ଯାଇଥିଲେ ସେ । ଏବେ ତାଙ୍କ ହାତରେ ରହିଛି ଫିଲ୍ମ ‘ଶକ୍ତିଶାଲିନୀ’ । ସେହି ଫିଲ୍ମର କାମ ଚାଲୁଥିବା ମଧ୍ୟରେ ନିଜ ମନର କ୍ଷୋଭ ଓଗାରିଛନ୍ତି । ସୁଟିଂ ସେଟ୍ର ପରିବେଶକୁ ନେଇ ପ୍ରଶଂସା କରିଥିଲେ ବି କିଛି କଥାକୁ ନେଇ ସେ ଅସନ୍ତୁଷ୍ଟ ଥିବା କଥା ମଧ୍ୟ ଜଣାଇଛନ୍ତି । ସୁଟିଂ ସେଟ୍ରେ ଅଭିନେତା ଏବଂ ଅନ୍ୟାନ୍ୟ ଟେକ୍ନିସିଆନମାନଙ୍କୁ ଯେଉଁ ଧରଣର ଖାଦ୍ୟ ପରିବେଷଣ କରାଯାଏ ତାହାର ମାନ ଭଲ ନୁହେଁ ବୋଲି ଅନୀତ କହନ୍ତି ।

ଏକ ସାକ୍ଷାତକାରରେ ଅନୀତଙ୍କୁ ପ୍ରଶ୍ନ କରାଯାଇଥିଲା, ଫିଲ୍ମର ସେଟ କାମ କଲା ବେଳେ ସବୁଠାରୁ ଭଲ ଓ ସବୁଠାରୁ ଖରାପ ଦିଗ କ’ଣ ? ଅନୀତଙ୍କ ଜବାବ ଥିଲା ସୁଟିଂ ସେଟର ପରିବେଶ ଯଥେଷ୍ଟ ଭଲ । ତେବେ ସେଟରେ ପରିବେଷଣ କରାଯାଉଥିବା ଖାଦ୍ୟ ସେ ଖାଇପାରନ୍ତି ନାହିଁ । ସେହି ଖାଦ୍ୟର ବହୁତ ନିମ୍ନସ୍ତରର । ‘ସୈୟାରା’ର ସୁଟିଂ ଚାଲିଥିବା ବେଳେ ଯେଉଁ ଖାଦ୍ୟ ଦିଆଯାଉଥିଲା ତାହାକୁ ସେ ପାଟିରେ ଦେଇପାରୁନଥିଲେ । ଏବେ ସେ ନିଜ ସହିତ ଖାଦ୍ୟ ନେଇ ଯାଉଛନ୍ତି ।

ତେବେ ଅନୀତ ଏକା ନୁହନ୍ତି । ଫିଲ୍ମର ସେଟର ନିମ୍ନମାନର ଖାଦ୍ୟ ପରିବେଷଣ ନେଇ ଅନେକ ଅଭିନେତା, ଅଭିନେତ୍ରୀ ଅଭିଯୋଗ କରିଛନ୍ତି । ଉଦାହରଣସ୍ୱରୂପ ୨୦୨୫, ଅଗଷ୍ଟ ମାସରେ ଲେହରେ ଫିଲ୍ମ ‘ଧୁରନ୍ଧର’ର ସୁଟିଂ ଚାଲୁଥିବା ସମୟରେ ଫୁଡ୍ ପଏଜନିଂର ଶିକାର ହୋଇଥିଲେ ସେଟ୍‌ର ୧୧୦ଜଣ ଟେକ୍ନିସିଆନ୍ । ସେମାନଙ୍କ ମଧ୍ୟରୁ ଅନେକେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜାଣିବାକୁ ମିଳିଥିଲା ସୁଟିଂ ସେଟ୍‌ରେ ପରିବେଷଣ କରାଯାଇଥିବା ଖାଦ୍ୟ ଖାଇବା ପରେ ସେମାନଙ୍କର ଏପରି ଅବସ୍ଥା ହୋଇଥିଲା ।