ଭୁବନେଶ୍ୱର ୨୭।୧୦ : ଓଡ଼ିଶା ଛାଡ଼ିବେ IAS ସଞ୍ଜୟ କୁମାର ସିଂ । ୧୯୯୭ ବ୍ୟାଚ୍ ଆଇଏଏସ୍ ତଥା ପୂର୍ତ୍ତ ସଚିବ ସଞ୍ଜୟ କୁମାର ସିଂ ଖୁବଶୀଘ୍ର ଓଡ଼ିଶା ଛାଡ଼ିବେ। ପୁଣି ଥରେ ନିଜ ଗୃହ ରାଜ୍ୟ ବିହାର କ୍ୟାଡ଼ରକୁ ଯିବେ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ସରକାର ଅକ୍ଟୋବର ୨୨ ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଭିଜିଲାନ୍ସ ରିପୋର୍ଟ ମାଗିବା ପରେ ଆଇଏଏସ୍ ସଂଜୟ ସିଂ ଇଣ୍ଟର କ୍ୟାଡ଼ର ଡେପୁଟେସନରେ ବିହାର ଯିବା ଏକପ୍ରକାର ସ୍ପଷ୍ଟ ହୋଇଛି।

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅନୁସଚିବ ରୂପେଶ କୁମାର ଅକ୍ଟୋବର ୨୨ତାରିଖରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ଚିଠି ଲେଖି ଆଇଏଏସ୍ ସଞ୍ଜୟ କୁମାର ସିଂହଙ୍କର ଓଡ଼ିଶାରୁ ବିହାରକୁ ଇଣ୍ଟର କ୍ୟାଡ଼ର ଡେପୁଟେସନ୍ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି। ତାଙ୍କ ଡେପୁଟେସନ୍ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ସଦ୍ୟତମ ଭିଜିଲାନ୍ସ କ୍ଲିୟରାନ୍ସ ବା ଭିଜିଲାନ୍ସ ସ୍ଥିତି ଓ ସର୍ବଶେଷ ସ୍ଥାବର ସମ୍ପତ୍ତି ବିବରଣୀ ଫାଇଲିଂର ରିପୋର୍ଟ ଅତ୍ୟନ୍ତ ଜରୁରୀ ଭାବେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।

Also Read:-Cyclone Arnab: ୮ ଜିଲ୍ଲାରୁ ୪୮ ହଜାର ଲୋକଙ୍କୁ ସ୍ଥାନାନ୍ତର, ଗ୍ରାଉଣ୍ଡରେ ODRAF-NDRF

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଓ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଶ୍ରୀ ସିଂହ । ଏହା ପୂର୍ବରୁ ସେ ଦୀର୍ଘ ପ୍ରାୟ ୭ ବର୍ଷ ଧରି ବିହାରରେ ଆନ୍ତଃ-କ୍ୟାଡ଼ର ଡେପୁଟେସନରେ ସଫଳତାର ସହ କାର୍ଯ୍ୟ କରିସାରିଛନ୍ତି। ୨୦୦୮ ମସିହା ଫେବୃଆରୀରୁ ୨୦୧୫ ମସିହା ଫେବୃଆରୀ ପର୍ଯ୍ୟନ୍ତ ବିହାର କ୍ୟାଡ଼ରରେ ଅବସ୍ଥାପିତ ଥିଲେ। ଏହି ଅବଧିରେ ସେ ଗୟା ଓ ପାଟନା ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ଏହାସହ ବିହାର ଗୃହ ବିଭାଗର ଅତିରିକ୍ତ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ପଦ ସମ୍ଭାଳିଥିଲେ।

ତେବେ ବିହାରରୁ ଓଡ଼ିଶା ଆସିବା ପରେ ଇଡକୋ ସିଏମଡି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ, ବିଏମସି କମିଶନର, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭଳି ଅନେକ ପ୍ରମୁଖ ଦାୟିତ୍ୱ ସୁଚାରୁରୂପେ ତୁଲାଇଛନ୍ତି । ଶ୍ରୀ ସିଂଙ୍କର ଚାକିରି ଆଉ ୫ବର୍ଷ ରହିଛି।

Watch Video:-