ନୂଆଦିଲ୍ଲୀ: ଦେଶରେ ଇଲେକ୍ସନ କମିଶନ ମଧ୍ୟରେ ଥିବା ବିବାଦ ଦିନକୁ ଦିନ ଗମ୍ଭୀର ରୂପ ନେଉଥିବା ବେଳେ ଏହା ଉପରେ ସ୍ପଷ୍ଟୀକରଣ ରଖିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ। ଇଲେକ୍ସନ କମିଶନ ଲୋକଙ୍କର ବିଶ୍ୱାସ ଜିତିବା ଦରକାର। ଯଦି ପ୍ୟାନେଲ ମଧ୍ୟରେ କୌଣସି ବିବାଦ ରହିଛି ତେବେ ଇଲେକ୍ସନ କମିଶନ ଲୋକଙ୍କ ସମ୍ମୁଖରେ ନିଜ ପକ୍ଷ ଦୃଢ଼ ଭାବେ ରଖିବା ଦରକାର ବୋଲି ଚିରାଗ କହିଛନ୍ତି।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଚିରାଗ କହିଛନ୍ତି ଯେ ନିର୍ବାଚନ ଆୟୋଗ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ସହ ନିର୍ବାଚନ ପ୍ରକ୍ରିୟାକୁ ନେଇ ସେମାନଙ୍କ ମନରେ ଥିବା ସନ୍ଦେହର ସମାଧାନ କରିବା ଆବଶ୍ୟକ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, "ଯଦି ନିର୍ବାଚନ ଆୟୋଗଙ୍କ ବିରୁଦ୍ଧରେ ଏଭଳି ପ୍ରଶ୍ନ ଉଠୁଛି, ତେବେ ମୁଁ ବିଶ୍ୱାସ କରେ ଯେ ନିର୍ବାଚନ ଆୟୋଗ, ବିଶେଷକରି ମୁଖ୍ୟ ନିର୍ବାଚନ କମିଶନରଙ୍କର ଏହା ଦାୟିତ୍ୱ ହେବା କଥା ଯେ ସେ ନିଜ ପକ୍ଷକୁ ଦୃଢ଼ ଭାବରେ ଉପସ୍ଥାପନ କରନ୍ତୁ।"

ବିରୋଧୀଙ୍କ ଟାର୍ଗେଟ୍ ନେଇ ଚିରାଗ କହିଛନ୍ତି “ ବିରୋଧୀ କଣ କହୁଛନ୍ତି ସେଥିରେ ମୋର କିଛି ଯାଏ ଆସେ ନାହିଁ। କାରଣ ରାଜନୀତି କରିବା ସେମାନଙ୍କର କାମ। କିନ୍ତୁ ଇଲେକ୍ସନ କମିଶନ ଲୋକଙ୍କର ବିଶ୍ୱାସ ବଜାଇ ରଖିବା ଦରକାର। କାରଣ ଯଦି ଇଲେକ୍ସନ ପ୍ରକ୍ରିୟା ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୁଏ ତେବେ ଏହା ଭୁଲ୍ କଥା। ତେଣୁ ଏଭଳି ପରିସ୍ଥିତିରେ ଇଲେକ୍ସନ କମିଶନ ଆଗକୁ ଆସି ନିଜ ପକ୍ଷ ଦୃଢ଼ ଭାବେ ରଖିବା ଦରକାର, ଯାହାଫଳରେ ଲୋକଙ୍କ ମନରେ ଆଉ ସନ୍ଦେହ ଉପୁଜିବ ନାହିଁ।”

ନିର୍ବାଚନ କମିଶନ ମଧ୍ୟରେ ବିବାଦ ଥିବା ନେଇ ଇଣ୍ଡିଆନ ଏକ୍ସପ୍ରେସରେ ଖବର ପ୍ରକାଶ ପାଇବା ପରେ ବିରୋଧୀ ଦଳଗୁଡ଼ିକ ଇଲେକ୍ସନ କମିଶନଙ୍କର ଇସ୍ତଫା ଦାବି କରିଛନ୍ତି। ସେପଟେ କକ୍ରୋଚ ଜନତା ପାର୍ଟି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ଥଫା ଦାବି କରି ଦେଶବ୍ୟାପୀ ଆନ୍ଦୋଲନ କରିବାକୁ ଚେତାବନୀ ଦେଇଛି। ଶନିବାର ସୁଦ୍ଧା ଯଦି ଜ୍ଞାନେଶ କୁମାର ଇସ୍ତଫା ନ ଦିଅନ୍ତି ତେବେ ସିଜେପି ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଦେଶବ୍ୟାପୀ ଆନ୍ଦୋଳ କରିବ ବୋଲି ସିଜେପି ସଂସ୍ଥାପକ ଅଭିଜିତି ଦୀପକେ ଶୁକ୍ରବାର ଏକ୍ସ ପୋଷ୍ଟରେ ଚେତାବନୀ ଦେଇଛନ୍ତି। ବିରୋଧୀଙ୍କ ଏଭଳି ଧମକ ପରେ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କର ଏହି ବୟାନ ଆସିଛି।

ଦ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ୧୦ ମାସର ଅବଧି ମଧ୍ୟରେ ଅତିକମରେ ୧୪ ଥର ନିର୍ବାଚନୀ ତାଲିକା ପ୍ରକ୍ରିୟା ସହ ଜଡ଼ିତ ନିଷ୍ପତ୍ତି ଓ ନିର୍ଦ୍ଦେଶ ବିରୁଦ୍ଧରେ ଆନୁଷ୍ଠାନିକ ଭାବେ ଆପତ୍ତି ଉଠାଇଥିଲେ। ଏଥିରେ ସେମାନେ ସହମତି ନଥିବା ରିପୋର୍ଟରେ କୁହାଯାଇଥିଲା। ଏହି ରିପୋର୍ଟକୁ ଆଧାର କରି ଦେଶବ୍ୟାପୀ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଇଲେକ୍ସନ କମିଶନ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଯାଉଛି।

ଏହାପୂର୍ବରୁ ଗୁରୁବାର ଦିନ, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମୁଖ୍ୟ ନିର୍ବାଚନ କମିଶନର (CEC)ଙ୍କ ଉପରେ "ଭୋଟ୍ ଚୋରି, ଆଇନ ଚୋରି ଓ ସଂସ୍ଥା ଚୋରି"ର ଅଭିଯୋଗ ଆଣି ଏହାକୁ "ଦେଶ ବିରୋଧୀ କାର୍ଯ୍ୟ" ବୋଲି କହିଥିଲେ।

ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଥିଲେ "ନିର୍ବାଚନ ଆୟୋଗ ହେଉଛନ୍ତି ଭୋଟ୍ରଙ୍କର ସାଂସ୍ଥାଗତ ସୁରକ୍ଷାକାରୀ...ହେଲେ ମୁଁ ଏହାକୁ ପ୍ରମାଣ କରି ଦେଖାଇ ସାରିଛି ଯେ ଭାରତୀୟ ନିର୍ବାଚନ, ଲୋକସଭା ନିର୍ବାଚନ, ୨୦୨୪ ନିର୍ବାଚନ ଓ ବିଧାନସଭା ନିର୍ବାଚନ, ଏସବୁଥିରେ ଯେ ଜାଲିଆତି କରାଯାଉଛି, ତାହାକୁ ଶତପ୍ରତିଶତ ପ୍ରାଣିତ କରିବା ପାଇଁ ଯଥେଷ୍ଟରୁ ଅଧିକ ତଥ୍ୟ ରହିଛି।"

ବିବାଦ ବଢ଼ିବା ପରେ ନିର୍ବାଚନ କମିଶନ ପକ୍ଷରୁ ଏକ ଲିଖିତ ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା। ନିର୍ବାଚନ ଆୟୋଗ କହିଛି ଯେ, ଏହାର ସଦସ୍ୟମାନଙ୍କ ପକ୍ଷରୁ ଉଠାଯାଇଥିବା ପ୍ରଶ୍ନ ଓ ଆପତ୍ତିଗୁଡ଼ିକ ଆୟୋଗର ନିୟମିତ ଆଭ୍ୟନ୍ତରୀଣ ପ୍ରକ୍ରିୟାର ଏକ ଅଂଶ। ଆୟୋଗ କହିଛି ଯେ, ଲିଖିତ ଟିପ୍ପଣୀ, ବୈଷୟିକ ମତାମତ ଏବଂ ଆଭ୍ୟନ୍ତରୀଣ ଯାଞ୍ଚ ଆଇନଗତ ଅନୁପାଳନ ନିଶ୍ଚିତ କରିବା ସହ ଭୋଟରଙ୍କ ଅଧିକାରର ସୁରକ୍ଷା ପାଇଁ ନିୟମିତ ବ୍ୟବସ୍ଥା।

ନିର୍ବାଚନ ଆୟୋଗ ଆହୁରି କହିଛି ଯେ, SIR ସମ୍ପର୍କିତ ନିଷ୍ପତ୍ତି ସମେତ ଆୟୋଗ ନେଇଥିବା ସମସ୍ତ ନିଷ୍ପତ୍ତିର ପୂର୍ଣ୍ଣ ଆଇନଗତ ଆଧାର ରହିଛି। ଏଥିସହ ଆୟୋଗ ସ୍ପଷ୍ଟ କରିଛି ଯେ, ଏହାର ଚୂଡ଼ାନ୍ତ ନିଷ୍ପତ୍ତିଗୁଡ଼ିକ ସର୍ବସମ୍ମତିକ୍ରମେ ନିଆଯାଇଛି।

Also Read- ସମ୍ଭବ କି CEC ଙ୍କ ଗିରଫଦାରୀ, ଜାଣନ୍ତୁ କ’ଣ କହୁଛି ଆଇନ, କେତେ ମିଳିଛି ସୁରକ୍ଷା?