ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଓ ନିର୍ବାଚନ କମିଶନର (ଇସି)ଙ୍କୁ ନେଇ ଦେଶରେ ରାଜନୈତିକ ବିବାଦ ଦେଖା ଦେଇଛି। ନିର୍ବାଚନ ଆୟୋଗରେ ସିଇସି ଓ ଇସିଙ୍କ ମଧ୍ୟରେ ମତପାର୍ଥକ୍ୟ କାରଣରୁ ବିରୋଧୀ ଦଳମାନେ ଏବେ ସିଇସିଙ୍କ ଇସ୍ତଫା ସହ ଗିରଫ ଦାବି କରୁଛନ୍ତି। ହେଲେ ଏବେ ପ୍ରଶ୍ନ ଉଠୁଛି ସିଇସିଙ୍କୁ ଗିରଫ କରାଯାଇ ପାରିବ କି? ଏହାର ଉତ୍ତର ଜାଣିବା ପାଇଁ ସମ୍ବିଧାନ ଓ ୨୦୨୩ର ଆଇନକୁ ବୁଝିବା ଜରୁରି। ତେବେ ଆଇନ କ’ଣ କହୁଛି ଆସନ୍ତୁ ଜାଣିବା।

ସିଇସି ଓ ଇସିଙ୍କୁ ମିଳିଛି ଆଇନଗତ ସୁରକ୍ଷା
ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ଅଧିନିୟମ ୨୦୨୩ର ଧାରା ୧୬ ସିଇସି ଓ ଇସିଙ୍କୁ ବିଶେଷ ସୁରକ୍ଷା ଦେଇଥାଏ। ଏହି ଧାରା ଅନୁସାରେ କୌଣସି କୋର୍ଟ କୌଣସି ପୂର୍ବତନ ଅଥବା କାର୍ଯ୍ୟରତ ସିଇସି ଏବଂ ଇସିଙ୍କ ବିରୋଧରେ ସେମାନଙ୍କ ଅଧିକାରୀକ କର୍ତ୍ତବ୍ୟ କାଳରେ କରିଥିବା କାମ, ଦେଇଥିବା ବୟାନକୁ ନେଇ କୌଣସି ଦିବାନୀ ଅଥବା ଅପରାଧୀକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରିବେନି। ଏହି ସୁରକ୍ଷା କେବଳ ଏବେକା ପଦାଧିକାରୀ ନୁହନ୍ତି ବରଂ ପଦବୀରୁ ଅବସର ନେଇଥିବା ସିଇସି ଓ ଇସିଙ୍କୁ ମଧ୍ୟ ମିଳିଥାଏ, ଯଦି ମାମଲା ଧାରା ୧୬ରେ ଆସୁଥାଏ।

ସିଇସିଙ୍କ ଗିରଫ ଅସମ୍ଭବ?
ଧାରା ୧୬ରେ ମିଳିଥିବା ସୁରକ୍ଷା କେବଳ ଅଧିକାରୀକ କର୍ତ୍ତବ୍ୟ ପର୍ଯ୍ୟନ୍ତ ସୀମିତ। ତେବେ କୌଣସି ନିର୍ବାଚନ କମିଶନର ଯଦି ନିଜ ବ୍ୟକ୍ତିଗତ ଜୀବନରେ କୌଣସି ଅପରାଧିକ ମାମଲା( ହତ୍ୟା, ଭ୍ରଷ୍ଟାଚାର ଓ ଅଧିକାରୀକ କାର୍ଯ୍ୟରୁ ପୃଥକ ଅପରାଧ) କରି ବସନ୍ତି କିମ୍ବା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ ଅପରାଧିକ ଆଇନ ଲାଗୁ ହେବ। ଯଦି ତାଙ୍କ ବିରୋଧରେ ଅତ୍ୟନ୍ତ ଗୁରୁତର ଅଭିଯୋଗ ଉଠେ ତେବେ ତାଙ୍କୁ ପ୍ରଥମେ ସାମ୍ବିଧାନିକ ପଦରୁ ହଟାଯିବ ଓ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ।

୨୦୨୩ ଆଇନରେ କିପରି ମିଳିଲା ସୁରକ୍ଷା?
ସଂସଦରେ ବିଧେୟକ ଉପରେ ଚର୍ଚ୍ଚା କାଳରେ ୧୨ ଡିସେମ୍ବର ୨୦୨୩ରେ କେନ୍ଦ୍ର ସରକାର ଏକ ସଂଶୋଧନ ମାଧ୍ୟମରେ ନୂଆ ପ୍ରାବଧାନ ଯୋଡିଥିଲେ, ଯାହା ପରେ ଧାରା ୧୬ରେ ପରିଣତ ହୋଇଛି। ଏହି ଆଇନକୁ ୨୮ ଡିସେମ୍ବର ୨୦୨୩ରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ୨ ଜାନୁୟାରେ ୨୦୨୪ରେ ଆଇନ ଲାଗୁ ହୋଇଥିଲା। ସେତେବେଳେ ଆଇନ ମନ୍ତ୍ରୀ କହିଥିଲେ ଯେ ଏହାର ଉଦ୍ଦେଶ୍ୟ ସିଇସି ଓ ଇସିଙ୍କୁ ସ୍ୱାଧୀନ ରୂପେ କାମ କରିବାକୁ ଦେବା।

ପଦବୀରୁ କେମିତି ହଟିବେ ସିଇସି?
ସମ୍ବିଧାନର ଅନୁଚ୍ଛେଦ ୩୨୪(୫)ଅନୁସାରେ ସିଇସିଙ୍କୁ ସେହିପରି ହଟାଯାଇ ପାରିବ ଯେପରି ସୁପ୍ରିମକୋର୍ଟଙ୍କ ଜଜଙ୍କୁ ହଟାଯାଏ। ତେବେ ଇସିମାନଙ୍କୁ ସିଇସିଙ୍କ ସୁପାରିଶରେ ହଟଯାଇପାରିବ। ଏହାର ପ୍ରାବଧାନ ୨୦୨୩ ଆଇନର ଧାରା ୧୧ରେ ଦିଆଯାଇଛି।