ନୂଆଦିଲ୍ଲୀ: ଶନିବାର ସୁଦ୍ଧା ଯଦି ଦେଶରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାର ଇସ୍ତଫା ନ ଦିଅନ୍ତି ତେବେ ଦେଶବ୍ୟାପୀ ଆନ୍ଦୋଳନ ହେବ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ମୁମ୍ବାଇରୁ ଆନ୍ଦୋଳନ ଆରମ୍ଭ କରି ଦେଶର ବିଭିନ୍ନ ସହରରେ ଏହାକୁ ପହଞ୍ଚାଯିବ ବୋଲି ଶୁକ୍ରବାର ଧମକ ଦେଇଛନ୍ତି କକ୍ରୋଜ ଜନତା ପାର୍ଟିର ସଂସ୍ଥାପକ ଅଭିଜିତ ଦୀପ୍‌କେ।

ସୋସିଆଲ୍ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଦୀପକେ ଲେଖିଛନ୍ତି “ଯଦି ଜ୍ଞାନେଶ କୁମାର ଆସନ୍ତାକାଲି ସୁଦ୍ଧା ଇସ୍ତଫା ନ ଦିଅନ୍ତି, ତେବେ ସିଜେପି ଅକ୍ଟୋବର ୨ ତାରିଖ ଠାରୁ ମୁମ୍ବାଇରୁ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବ। ପରେ ଏହାକୁ ଦେଶର ବିଭିନ୍ନ ସହରରେ ପହଞ୍ଚାଯିବ। ଏହି ଗାନ୍ଧୀ ଜୟନ୍ତୀରେ ଆସନ୍ତୁ ଗଣତନ୍ତ୍ରକୁ ରକ୍ଷା କରିବାର ପ୍ରତିଜ୍ଞା ନେବା।”

ନିର୍ବାଚନ କମିଶନ ମଧ୍ୟରେ ବିବାଦ ଦେଖା ଦେବା ପରେ ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାପରେ ଗତକାଲି ଦୀପକେ ସାମ୍ବାଦିକ ସମ୍ମିଳନୀ କରି ଜ୍ଞାନେଶ କୁମାରଙ୍କ ଇସ୍ଥଫା ଦାବି କରିଥିଲେ। ସିଇସି ଯଦି ଇସ୍ତଫା ନ ଦିଅନ୍ତି ତେବେ ତାଙ୍କ ଦଳ ଜନ୍ତରମନ୍ତର-୨.0 ଆରମ୍ଭ କରିବ ବୋଲି ଧମକ ଦେଇଥିଲେ।

Also Read- ଦଳ ବଦଳାଇଛନ୍ତି ୧୧୧ ନେତା : ଜିତିଥିଲେ ଗୋଟିଏ ପାର୍ଟିରୁ, ଏବେ ଆଉ ଏକ ଦଳରେ...

କେବଳ ସେତିକି ନୁହେଁ, ଦୀପକେ ବିରୋଧୀ ଦଳଗୁଡ଼ିକୁ ମଧ୍ୟ ନିର୍ବାଚନ ଲଢ଼ିବା ଜାରି ରଖିଥିବା ପାଇଁ ସମାଲୋଚନା କରିଥିଲେ। ଏବଂ ନିର୍ବାଚନ ପ୍ରକ୍ରିୟାରେ ଜାଲିଆତି ହେଉଥିବା ଅଭିଯୋଗ କରିଥିଲେ। ସେ ଯୁକ୍ତି ଦେଇଥିଲେ ଯେ ଏପରି ନିର୍ବାଚନରେ ଅଂଶଗ୍ରହଣ କରିବା ଏକ ବୈଧ ନିର୍ବାଚନର "ଭ୍ରମ" ସୃଷ୍ଟି କରୁଛି। ଫଳରେ ବିରୋଧୀମାନେ ଏହାକୁ ମୁକ୍ତ ଏବଂ ନିରପେକ୍ଷ ବୋଲି ଭାବୁଛନ୍ତି।

ବିରୋଧୀ ଦଳଗୁଡ଼ିକ ନିର୍ବାଚନରେ ସତରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। କାରଣ ନିର୍ବାଚନରୁ ଦୂରେଇ ରହିଲେ ସେମାନେ ରାଜନୈତିକ ଭାବେ ଅସ୍ତିତ୍ୱ ହରାଇବାର ଭୟ କରୁଛନ୍ତି। ନିର୍ବାଚନୀ ହେର୍ଫେର୍ରେ କେଉଁ ରାଜ୍ୟ ଓ ଦଳ ସମ୍ପୃକ୍ତ ଅଛି, ତାହା ଦେଖି ବାଛି ବାଛି ଅଭିଯୋଗ ଉଠାଉଛନ୍ତି ବୋଲି ଦୀପକେ ବିରୋଧୀ ଦଳଗୁଡ଼ିକ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି।

ନିକଟରେ ଇଂରାଜୀ ଗଣମାଧ୍ୟମ ‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ ଏସ୍ଆଇଆର୍ ନେଇ ଯେଉଁ ରିପୋର୍ଟ ପ୍ରକାଶ କରିଥିଲା, ତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତ ୧୦ ମାସ ମଧ୍ୟରେ ଭୋଟର ତାଲିକାରେ ନୂଆ ଭୋଟରଙ୍କୁ ସାମିଲ କରିବା, ନାମ ବାଦ ଦେବା, ପୁନଃସ୍ଥାପନ କରିବା ଏବଂ ଭୋଟର ପଞ୍ଜୀକରଣ ପ୍ରକ୍ରିୟାରେ ପରିବର୍ତ୍ତନ ସମ୍ପର୍କିତ ନିଷ୍ପତ୍ତି ଓ ଆଦେଶ ଉପରେ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଅତି କମରେ ୧୪ ଥର ଆପତ୍ତି ଉଠାଇଥିଲେ ବୋଲି ଖବର ପ୍ରକାଶ ପାଇଥିଲା। ତେଣୁ ଜ୍ଞାନେଶ କୁମାର ଏଥିରେ ମନମାନି କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା।

ତେବେ ଘଟଣାକୁ ନେଇ ନିର୍ବାଚନ ଆୟୋଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଆୟଗ କହିଛି ଯେ, ଏସଆଇଆର୍ ସମେତ ସମସ୍ତ ନିଷ୍ପତ୍ତି ଉଭୟ ନିର୍ବାଚନ କମିଶନର ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କ ସମ୍ମତିରେ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଛି।