ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାର ଏବଂ ଶାସକ ଦଳ ବିଜେପି ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଭୋଟର ତାଲିକା ସଂଶୋଧନ (SIR) ସମେତ ନିର୍ବାଚନ ଆୟୋଗର ଅନ୍ୟୁନ ଦୁଇଜଣ କମିଶନରଙ୍କ ସମ୍ବେଦନଶୀଳ ଆପତ୍ତିକୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଅଣଦେଖା କରିଥିବା ରିପୋର୍ଟକୁ ଆଧାର କରି ରାହୁଲ, ଜ୍ଞାନେଶ କୁମାରଙ୍କୁ "ଦେଶଦ୍ରୋହୀ" ବୋଲି କହିଛନ୍ତି । ଏପରିକିତ ତାଙ୍କର ତୁରନ୍ତ ଇସ୍ତଫା ଦାବି କରିଛନ୍ତି। 

​​​​​​​
ସେ ଅଭିଯୋଗ କରିଛନ୍ତି ଯେ, ଦେଶରେ 'ଭୋଟ ଚୋରି' ମାଧ୍ୟମରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି, ଯାହା ଫଳରେ ସଂସଦରେ ଗୃହୀତ ହେଉଥିବା ଆଇନଗୁଡ଼ିକ ମଧ୍ୟ ଆଇନଗତ ବୈଧତା ହରାଉଛି ।  ସରକାରବିରୋଧୀ ହାୱା (Anti-incumbency) ରହିବା ସତ୍ତ୍ୱେ ହରିୟାଣା, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ନିର୍ବାଚନ ଫଳାଫଳ ଅସ୍ୱାଭାବିକ ଭାବରେ ବଦଳିଯାଉଛି, ଯାହା ନିର୍ବାଚନରେ ହେରଫେର କରାଯାଉଥିବାର ସ୍ପଷ୍ଟ ପ୍ରମାଣ। ୨୦୨୪ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ସମ୍ପୂର୍ଣ୍ଣ ପ୍ରାୟୋଜିତ ଥିଲା ବୋଲି ଦାବି କରି ରାହୁଲ, ଗଣତନ୍ତ୍ରକୁ ନଷ୍ଟ କରିବା ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଭବିଷ୍ୟତରେ କଠୋର ଦଣ୍ଡ ମିଳିବ ବୋଲି ଚେତାବନୀ ଦେଇଛନ୍ତି।   


ଅନ୍ୟପଟେ ଭାରତୀୟ ଜନତା ପାର୍ଟି (BJP) ରାହୁଲ ଗାନ୍ଧୀଙ୍କ ଏହି ପ୍ରସଙ୍ଗ ଓ ସାମ୍ବାଦିକ ସମ୍ମିଳନୀକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ହତାଶାର ପରିଣାମ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ବିଜେପି ପ୍ରବକ୍ତା ପ୍ରଦୀପ ଭଣ୍ଡାରୀ ରାହୁଲଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ଜନସାଧାରଣଙ୍କ ସମର୍ଥନ ପାଇବାରେ ବିଫଳ ହୋଇ ଗାନ୍ଧୀ-ଭଦ୍ରା ପରିବାର ଏବଂ କଂଗ୍ରେସ ଦଳ ଏବେ ବିରୋଧୀ ଆସନରେ ବସି ନିରାଶ ହୋଇପଡ଼ିଛନ୍ତି। କଂଗ୍ରେସ ନିଜେ ଗଣତନ୍ତ୍ରର ଚୋର ବୋଲି ବିଜେପି କଟାକ୍ଷ କରିବା ସହ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ସମ୍ମାନ ନଷ୍ଟ ନକରିବାକୁ ପରାମର୍ଶ ଦେଇଛି। ନିର୍ବାଚନ ଆୟୋଗ ମଧ୍ୟ ନିଜ ସ୍ପଷ୍ଟୀକରଣରେ କହିଛନ୍ତି ଯେ, ଆୟୋଗର ସମସ୍ତ ନିଷ୍ପତ୍ତି ଆଭ୍ୟନ୍ତରୀଣ ସହମତି ଓ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଛି, ତେଣୁ ସାମ୍ବିଧାନିକ ଅନୁଷ୍ଠାନ ଉପରେ ଏପରି ଅଭିଯୋଗ ଅନୁଚିତ୍।