ଜଗତସିଂହପୁର, ୨୩/୦୮ : ଲୁହାପଥର ଗୁଣ୍ଡ ନେଇ ଓଡ଼ିଶାରୁ ସିଙ୍ଗାପୁର ଯାଉଥିବା ଏମଭି ଓସେନ୍ ୱିନର୍ ନାମକ ଏକ ଜାହାଜ ଶନିବାର ଅପରାହ୍ନରେ ପାରାଦୀପ ବନ୍ଦରଠାରୁ ୨୪୦ ନଟିକାଲ୍ ମାଇଲ ଦୂରରେ ଗଭୀର ସମୁଦ୍ରରେ ବୁଡ଼ି ଯାଇଛି। ଜାହାଜରେ ୨୪ ଜଣ ନାବିକ ଥିଲେ। ସୂଚନା ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି।

Also Read :- ସଂରକ୍ଷଣ ହଟାଇବାକୁ ଜନ୍ତରମନ୍ତରରେ ଆନ୍ଦୋଳନ...ଏହି ୫ ଦାବି ପୂରଣ ଏବେ ବଡ଼ ଚ୍ୟାଲେଞ୍ଜ୍

ସୂଚନା ଅନୁସାରେ, ପାନାମାରେ ପଞ୍ଜିକୃତ ହୋଇଥିବା ଏମଭି ଓସେନ୍ ୱିନର ଜାହାଜଟି ପାରାଦୀପ ବନ୍ଦରରୁ ୭୦ ହଜାରରୁ ଅଧିକ ଟନ୍ ଲୁହାପଥର ଗୁଣ୍ଡ ଲୋଡ୍ କରି ଗତ ୨୦ ତାରିଖ ଗାତି ୧୦ଟା ୩୦ରେ ସିଙ୍ଗାପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ ଶନିବାର ଅପରାହ୍ନ ୪ଟା ବେଳେ ପାରାଦୀପଠାରୁ ୨୪୦ ନଟିକାଲ୍ ମାଇଲ୍ ଦୂର ବଙ୍ଗୋପ ସାଗରରେ ଜାହାଜଟି ବୁଡ଼ି ଯାଇଛି । ଜାହାଜରେ ୨୦ ଜଣ ଚୀନା ନାଗରିକ ରହିଥିବା ବେଳେ ୩ଜଣ ମ୍ୟାଁମାର ଓ ଜଣେ ବାଂଲାଦେଶୀ ନାବିକ ଅଛନ୍ତି। ଶ୍ରୀ ବିଜୟ ପୁରମରେ ଥିବା ମାରିଟାଇମ୍ ରେଟ୍ୟୁ କୋ-ଅର୍ଡିନେସନ ସେଣ୍ଟରକୁ ପୂର୍ବାହ୍ନ ୧୧ଟା ୪୮ରେ ସୂଚନା ମିଳିଥିଲା କି ଉକ୍ତ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହା ପରେ ଉକ୍ତ ଜାହାଜର ପରିଚାଳନା କରୁଥିବା ସଂସ୍ଥା ପକ୍ଷରୁ ତଲାସୀ ଓ ଉଦ୍ଧାରରେ ସହାୟତା କରିବା ଲାଗି ଅନୁରୋଧ ମିଳିଥିଲା।

ଏହା ପରେ ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ପକ୍ଷରୁ ମିଳିତ ଭାବେ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ତଟରକ୍ଷୀ ବାହିନୀର ଦୁଇଟି ଜାହାଜ ତଲାସୀ ଓ ଉଦ୍ଧାର ପାଇଁ ପଠାଯାଇଥିଲା। ଏଥିସହ ଶ୍ରୀ ବିଜୟପୂରମରୁ ତୃତୀୟ ଜାହାଜକୁ ମଧ୍ୟ ସହାୟତା କରିବା ଲାଗି ପଠାଯାଇଥିଲା। ଏଥି ସହ ସେହି ଅଞ୍ଚଳରେ ଥିବା ଅନ୍ୟ ଜାହାଜମାନଙ୍କୁ ଘଟଣା ସମ୍ପର୍କରେ ଆଲର୍ଟ କରାଯିବା ସହ ସହାୟତା କରିବା ଲାଗି ଅନୁରୋଧ ମଧ୍ୟ କରାଯାଇଥିବା ଜଣାପଡିଛି। ତଟରକ୍ଷୀ ବାହିନୀ ଓ ନୌସେନା ଟିମ୍ ଗଭୀର ସମୁଦ୍ରରୁ ୨ ଜଣ ନାବିକଙ୍କୁ ଉଦ୍ଧାର କରିଛନ୍ତି। ଅନ୍ୟ ନିଖୋଜ ଥିବା ୨୨ ଜଣଙ୍କୁ ଠାବ କରିବା ସହ ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି।

ଯାଉଥିଲା ସିଙ୍ଗାପୁର

ପାରାଦୀପ ପୋର୍ଟ ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଉକ୍ତ ଜାହାଜରେ ୭୧ ହଜାର ୨ ଶହ ମେଟ୍ରିକ ଟନ୍ ଲୁହାପଥର ଗୁଣ୍ଡ ଥିଲା । ମେରାଇନ ଟ୍ରାଫିକ କମର ଅଟୋମେଟିକ୍ ଆଇଡେଣ୍ଟିଫିକେସନ ସିଷ୍ଟମ୍ (ଏଆଇଏସ୍) ତଥ୍ୟ ଅନୁଯାୟୀ ଉକ୍ତ ଜାହାଜର ଶେଷ ରିପୋର୍ଟ ୨୧ ତାରିଖ ରାତି ସାଢ଼େ ୮ଟାରେ ମିଳିଥିଲା, ଯାହା ୧୮ କିମି ବେଗରେ ଯାତ୍ରା କରୁଥିବାର ସୂଚନା ଦେଉଛି। ତା' ପରେ ଜାହାଜ ସମ୍ପର୍କିତ କିଛି ତଥ୍ୟ ମେରାଇନ ଟ୍ରାଫିକରେ ଉପଲବ୍ଧ ହୋଇନାହିଁ । ଉକ୍ତ ଜାହାଜର ଜଳଯାତ୍ରା ଯୋଜନା ଅନୁଯାୟୀ ୨୭ ତାରିଖ ସକାଳ ୭ଟା ୩୦ରେ ଏହା ସିଙ୍ଗାପୁରରେ ପହଞ୍ଚିବାର ଥିଲା।