ନୂଆଦିଲ୍ଲୀ: ବେରୋଜଗାର ଯୁବକଙ୍କୁ ଅସରପା ସହ ତୁଳନା କରିବା ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ । ପ୍ରଧାନ ବିଚାରପତି ଶନିବାର ଏହି ପ୍ରସଙ୍ଗରେ ସଫେଇ ରଖି କହିଛନ୍ତି, ଗଣମାଧ୍ୟମରେ ତାଙ୍କ ମୌଖିକ ଟିପ୍ପଣୀକୁ ଭୁଲ ଢଙ୍ଗରେ ଦର୍ଶାଯାଇଛି। ଯୁବକଙ୍କ ଆଲୋଚନାକୁ ନେଇ ତାଙ୍କୁ ଭୁଲ ଭାବରେ ଦେଖାଯାଇଛି।

ସୂଚନାଥାଉକି, ଶୁକ୍ରବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କିଛି ବେରୋଜଗାର ଯୁବକଙ୍କ ତୁଳନା ଅସରପା ସହ କରି କହିଥିଲେ ଯେ, ଏମାନେ ଗଣମାଧ୍ୟମ, ସୋସିଆଲ ମିଡିଆ ଏବଂ ଆରଟିଆଇ କର୍ମୀ ହେଇଯାଉଛନ୍ତି ଆଉ ତା’ପରେ ବ୍ୟବସ୍ଥା ଉପରେ ଟାର୍ଗେଟ କରୁଛନ୍ତି।

ସ୍ପଷ୍ଟୀକରଣ ରଖିଲେ ସିଜେଆଇ

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ପ୍ରଧାନ ବିଚାରପତି କହିଛନ୍ତି ‘‘ଗତକାଲି ଏକ ମାମଲାର ଶୁଣାଣିର ସମୟରେ ମୋ ଦ୍ବାରା ମୌଖିକ ଟିପ୍ପଣୀକୁ ଗଣମାଧ୍ୟମରେ ଭୁଲ ଉପାୟରେ ଉପସ୍ଥାପନ କରାଯାଇଛି। ମୁଁ ବିଶେଷତଃ ସେହି ଲୋକଙ୍କ ଆଲୋଚନା କରିଥିଲି, ଯେଉଁମାନେ ନକଲି ଏବଂ ମିଥ୍ୟା ଡିଗ୍ରୀ ସାହାଯ୍ୟରେ ଓକଲି ଭଳି କ୍ଷେତ୍ରରେ ପ୍ରବେଶ କରୁଛନ୍ତି। ଏଭଳି ଲୋକ ମିଡିଆ, ସୋସିଆଲ ମିଡିଆ ଏବଂ ଅନ୍ୟ ପ୍ରତିଷ୍ଠିତ କ୍ଷେତ୍ରକୁ ମଧ୍ୟ ପଶିସାରିଛନ୍ତି। ଏମାନେ ପରଜୀବୀ ଭଳି। ହେଲେ କିନ୍ତୁ ଏହା କହିବା ସଂପୂର୍ଣ୍ଣ ଭାବରେ ଭିତ୍ତିହୀନ ଯେ, ମୁଁ ଆମ ଦେଶର ଯୁବକଙ୍କ ଆଲୋଚନା କରିଥିଲି।’’ ପ୍ରଧାନ ବିଚାରପତି କହିଛନ୍ତି ‘’ ମୁଁ ଆମ ଦେଶର ଯୁବକଙ୍କୁ ନେଇ ଗର୍ବିତ। ସେମାନେ ଏକ ବିକଶିତ ଭାରତର ସ୍ତମ୍ଭ ।’’

Also Read: "କିଛି ବେକାର ଯୁବକ 'ପରଜୀବୀ' ପରି, ବ୍ୟବସ୍ଥା ଉପରେ ଆକ୍ରମଣ କରନ୍ତି": CJI

କ‘ଣ କହିଥିଲେ ସିଜେଆଇ ?

ସୂଚନାଥାଉକି, ସିଜେଆଇ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟା ବାଗଚୀଙ୍କ ପୀଠ ବରିଷ୍ଠ ଓକିଲଙ୍କୁ ଓକିଲ ଭାବରେ ନାମିତ କରିବାକୁ ଚାହୁଥିବା କାରଣରୁ ଭର୍ତ୍ସନା କରି ‘ଅସରପା’ ଟିପ୍ପଣୀ କରିଥିଲେ। ପୀଠ କହିଥିଲେ ସମାଜରେ ପୂର୍ବରୁ ଏଭଳି ପରଜୀବୀ ଅଛନ୍ତି ଯେଉଁମାନେ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛନ୍ତି । ଏହା ସହ ପ୍ରଶ୍ନ କରିଥିଲେ ଯେ, ଆବେଦନକାରୀ ମଧ୍ୟ ତାଙ୍କ ସହ ଯୋଡ଼ି ହେବାକୁ ଚାହୁଛନ୍ତି। ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲଙ୍କୁ କହିଛନ୍ତି, ‘ସମଗ୍ର ଦୁନିଆ ବରିଷ୍ଠ ଓକିଲ ହେବାର ପାତ୍ର ହୋଇପାରେ। ମାତ୍ର ଅନ୍ତତଃ ଆପଣ ନୁହଁନ୍ତି।’’

ସିଜେଆଇ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯଦି ଦିଲ୍ଲୀ ହାଇକୋର୍ଟ ଆବେଦନକାରୀଙ୍କୁ ବରିଷ୍ଠ ଓକିଲର ମାନ୍ୟତା ପ୍ରଦାନ ମଧ୍ୟ କରିଦେଲେ ବି, ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କର ଏଭଳି ଆଚରଣକୁ ଦେଖି ତାହା ରଦ୍ଦ କରିଦେବେ। ସିଜେଆଇ ଫେସବୁକରେ ଆବେଦନକାରୀଙ୍କ ଦ୍ବାରା ବ୍ୟବହୃତ ଶବ୍ଦର ମଧ୍ୟ ଉଲ୍ଲେଖ କରିଛନ୍ତି।