ଭୁବନେଶ୍ଵର: ମହାନଦୀ ଉପରେ ଛତିଶଗଡ଼ର ଏକଚାଟିଆ କାରବାରକୁ ରୋକା ଯାଇ ପାରୁନାହିଁ।୧୦ ବର୍ଷ ତଳେ ଅନେକ ଗୁଡ଼ିଏ ବ୍ୟାରେଜ ନିର୍ମାଣ ପରେ ଏବେ ମହାନଦୀ ର ଜଳ ପ୍ରବାହ କୁ ରୋକିବାକୁ ବିଭିନ୍ନ ସ୍ଥାନରେ ବାଲି ବନ୍ଧ ନିର୍ମାଣ କରିଛି।ଏହି ପ୍ରସଙ୍ଗ ରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ମହାନଦୀ ଉପରେ ଓଡ଼ିଶାର ପ୍ରସ୍ତାବିତ ଅନେକ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ ମିଳୁନଥିବାରୁ ଓଡ଼ିଶା ଅନେକ କ୍ଷତି ସହୁଛି ।ବିଶେଷକରି ମହାନଦୀ ମାମଲା ଟ୍ରିବ୍ୟୁନାଲରେ ଥିବାରୁ ଓଡ଼ିଶାର ୫ ଟି ବଡ଼ ପ୍ରକଳ୍ପ ବାତିଲ ହୋଇଯାଇଛି । ଯେଉଁଥିପାଇଁ ଓଡ଼ିଶାର ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମହାନଦୀ ଉପରେ ଜଳସେଚନ ପ୍ରକଳ୍ପ ପାଇଁ ଓଡ଼ିଶାର DPR କୁ କେନ୍ଦ୍ର ଦେଉନି ମଞ୍ଜୁରୀ । ଯେଉଁଥି ପାଇଁ କ୍ଷତି ସହୁଛି ଓଡ଼ିଶା ଆଉ ମଲାଇ ଖାଉଛି ଛତିଶଗଡ଼ । ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଛି ବିବାଦ ।ମାମଲା ଟ୍ରିବୁନାଲରେ ବିଚାରାଧୀନ ଅଛି । ଯେଉଁଥିପାଇଁ ରାଜ୍ୟରେ ହେବାକୁ ଥିବା ଜଳସେଚନ ପ୍ରକଳ୍ପ ଗୁଡିକ ଆଗେଇ ପାରୁନି।ବିଧାନସଭାରେ ବିଧାୟକ ଅରୁଣ ସାହୁ ଏନେଇ ପ୍ରଶ୍ନ ପଚାରିଥିଲେ ।ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ କହିଥିଲେ ଯେ ରାଜ୍ୟ ସରକାର ୩୨ ଟି ନୂଆ ଜଳସେଚନ ପ୍ରକଳ୍ପ ପାଇଁ ଲକ୍ଷ୍ୟ ରଖି ପ୍ରାଥମିକ କାର୍ଯ୍ୟ ଆରମ୍ଭ କରିଛନ୍ତି ।ହେଲେ ବାସ୍ତବରେ ପ୍ରସ୍ତାବିତ ୩୨ ଟି ପ୍ରକଳ୍ପ ମଧ୍ୟରୁ ୫ଟି ପ୍ରକଳ୍ପର DPR କୁ କେନ୍ଦ୍ରୀୟ ଜଳ ଆୟୋଗ ମଞ୍ଜୁରୀ ନଦେଇ ଫେରାଇ ଦେଇଛନ୍ତି ।

ସେଥିମଧ୍ୟରୁ ବୌଦ୍ଧ ଜିଲ୍ଲା ହରଭଙ୍ଗାର ସଗଡ଼ାରେ ୪୧୯ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏକ ପ୍ରକଳ୍ପ ରହିଛି। ସେହିପରି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ୯୯୦ କୋଟି ଟଙ୍କାର ଏକ ପ୍ରକଳ୍ପ, ବଲାଙ୍ଗୀର ଖପ୍ରାଖୋଲ ବ୍ଲକର ୬୦୮ କୋଟି ଟଙ୍କାର ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାରେ ୬ ହଜାର କୋଟି ଟଙ୍କାର ଉତ୍ତେଇ-ରାଉଲ ଜଳସେଚନ ପ୍ରକଳ୍ପ, ସୁନ୍ଦରଗଡ ବାଳିଶଙ୍କରା ବ୍ଲକରେ ୮୨୦୦ କୋଟି ଟଙ୍କାର ତେଲିଜୋର ପ୍ରକଳ୍ପ । ଏହସବୁ ପ୍ରକଳ୍ପକୁ ମଞ୍ଜୁରୀ ମିଳୁନଥିବାରୁ ଲୋକେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଜାଣିବା ପାଇଁ ବୌଦ୍ଧ ଜିଲ୍ଲାରେ ଗ୍ରାଉଣ୍ଡରେ ପହଞ୍ଚିଥିଲା ନ୍ୟୁଜ 7 ।

ବୌଦ୍ଧ ଜିଲ୍ଲାରେ ମହାନଦୀ ରେ ୩ ଟି ନଦୀବନ୍ଧ ଯୋଜନା ମଧ୍ୟରୁ ହରଭଙ୍ଗା ବ୍ଲକର ଲକ୍ଷ୍ମୀପଥର ନଦୀବନ୍ଧ ଯୋଜନା ଥିଲା ଅନ୍ୟତମ । ୪୧୯ କୋଟି ଟଙ୍କା ବ୍ୟୟରେ ଏହି ନଦୀବନ୍ଧ ଯୋଜନା ହେବାକୁ ଥିବା ବେଳେ ଏଥିରେ ପ୍ରାୟ ୩୨୦୦ ହେକ୍ଟର ଜମି ଜଳସେଚିତ ହୋଇଥାନ୍ତା । ହେଲେ ଏହି ଯୋଜନାକୁ କେନ୍ଦ୍ର ସରକାରଙ୍କ ଦ୍ବାରା DPR ମଞ୍ଜୁରୀ ମିଳୁନଥିବାରୁ ବୌଦ୍ଧ ଜିଲ୍ଲା ଚାଷୀଙ୍କ ଜଳସେଚନ ଆଶା କେବଳ ଆଶାରେ ହିଁ ରହିଯାଇଛି।

ମହାନଦୀ ସହ ଜଳସେଚନର ଉନ୍ନତି ପାଇଁ ବଂଶଧାରା, ତେଲ ନଦୀ ଭଳି ଅନ୍ୟ ନଦୀ ଗୁଡ଼ିକରେ ମଧ୍ୟ ରାଜ୍ୟସରକାର ୩୨ ଟି ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ଏଥିପାଇଁ DPR ପ୍ରସ୍ତୁତ କରି ମଞ୍ଜୁରୀ ପାଇଁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟକୁ ପଠାଇଛନ୍ତି । ସେଥିମଧ୍ୟରୁ କିଛି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଅନେକ କାରଣରୁ ଅନେକ ପ୍ରକଳ୍ପ ଆଗେଇ ପାରୁନି ସେପଟେ ଛତିଶଗଡ଼ ମହାନଦୀ ଉପରେ କିପରି ବାଲି ବନ୍ଧ କରି ମାନମାନି ଚଳାଇଛି ତାକୁ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ର ବୁଲି ଦେଖିବା ସହ ତୀବ୍ର ପ୍ରତିକ୍ରିୟା ରଖିଥିଲେ। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଓଡିଶାର ଆହୁରି କ୍ଷତି ହେବ ବୋଲି କହିଥିଲେ ।

ଏହାର ଜବାବରେ ବିଜେପି କହିଛି ମହାନଦୀ ସମସ୍ୟାର ସମାଧାନ ନେଇ ଏକ ମନ୍ତ୍ରୀସ୍ତରୀୟ କମିଟି ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଛତିଶଗଡ଼ ଯିବାକୁ ସ୍ଥିର ହୋଇଛି । ତେଣୁ ସରକାର ଦୀର୍ଘ ଦିନର ଏହି ସମସ୍ୟାକୁ ସମାଧାନ ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଜଳବିବାଦ ପାଇଁ ମହାନଦୀ ଉପରେ ୫ଟି ଜଳସେଚନ ପ୍ରକଳ୍ପର ଭାଗ୍ୟ ଅନ୍ଧାରକୁ ଠେଲି ହୋଇଛି । ସେପଟେ ଅନ୍ୟ ୨୭ଟି ପ୍ରକଳ୍ପର ଭାଗ୍ୟ ମଧ୍ୟ ସୁତାଖିଅରେ ଝୁଲିଛି ।