ନୂଆଦିଲ୍ଲୀ ୨୫।୦୬; ଛତିଶଗଡ଼ ବାଲୋଦାବଜାର ଜିଲ୍ଲା କାସଡୋଲ ବ୍ଲକରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ଗ୍ରୋସରି ଦୋକାନୀ ରାମସହାୟ ଜୈସୱାଲ ବିଗତ ୪ ମାସ ମଧ୍ୟରେ ୮ଜଣଙ୍କୁ ବିଷଦେଇ ହତ୍ୟା କରିଥିବା ଜଣାପଡ଼ିଛି। ଋଣ, ଜମି ବିବାଦ, ରାଜନୈତିକ ଶତ୍ରୁତା ଏବଂ ଅନ୍ୟ ବ୍ୟକ୍ତିଗତ କାରଣ ଯୋଗୁ ସେ ଏହି ସବୁ ହତ୍ୟାକାଣ୍ଡକୁ ରୂପରେଖ ଦେଇଥିବା ପୁଲିସ ପ୍ରକାଶ କରିଛି।ଚଳିତବର୍ଷ ଫେବ୍ରୁଆରୀରୁ ମେ' ମାସ ମଧ୍ୟରେ ଜୈସୱାଲ ଏହି ନରକୀୟ କାଣ୍ଡ କରିଥିଲେ । ସେ ପ୍ରଥମେ ଜଣେ ଗ୍ରାମବାସୀଙ୍କ ନିକଟରୁ ମୂଷା ମାରିବାର ଆଳ ଦେଖାଇ କିଛି ବିଷ ଆଣିଥିଲେ । ଗୋଟିଏ ବୁଲା କୁକୁର ଉପରେ ବିଷର ଘାତକ ପ୍ରଭାବକୁ ପରୀକ୍ଷା କରିଥିଲେ । ଏହା ସଫଳ ହେବା ପରେ ସେ ଷଡ଼ଯନ୍ତ୍ର ରଚିଥିଲେ।

ସେ ନିଜ 'ଶତ୍ରୁମାନଙ୍କୁ' ମଦ ପିଇବା ଲାଗି ଡାକୁଥିଲେ । ସେହି ସମୟରେ ସେ ବିଷକୁ ଅତି ଗୋପନରେ ସେମାନଙ୍କ ମଦରେ ମିଶାଇ ଦେଉଥିଲେ। ବିଷ ପ୍ରଭାବରୁ ପୀଡ଼ିତମାନେ ଅସୁସ୍ଥ ହେବା ପରେ ସେମାନଙ୍କୁ ନେଇ ସେ ହସ୍ପିଟାଲ ଯାଉଥିଲେ। ଏପରିକି ନିଜ ଉପରୁ ସନ୍ଦେହ ଏଡ଼ାଇବା ଲାଗି ଶେଷକୃତ୍ୟରେ ମଧ୍ୟ ସାମିଲ ହେଉଥିଲେ ।ସମସ୍ତ ମୃତ୍ୟୁ ଘଟଣାରେ ଏକ ଅସ୍ବାଭାବିକ ପାଟର୍ନ ଦେଖିବା ପରେ ଗାଁ ଲୋକେ ପୁଲିସ ନିକଟରେ ଜୁନ ୭ରେ ଅଭିଯୋଗ କରିଥିଲେ। ତଦନ୍ତକାରୀଙ୍କ ଅନୁସାରେ, ଜୈସୱାଲ ଜଣେ ପୀଡ଼ିତ ତୈତୁରାମ ସାହୁଙ୍କୁ ୫୦ ହଜାର ଟଙ୍କା ଋଣ ନ ଶୁଝିବା ଲାଗି ହତ୍ୟା କରିଥିଲେ।

ଅନ୍ୟ ଜଣେ ପୀଡ଼ିତ ଗଜାନନ୍ଦ ମାଝୀ ତାଙ୍କ ବିରୋଧରେ ଗୁଣିଗାରେଡ଼ି ଅଭିଯୋଗ ଆଣିବାରୁ ଜୈସୱାଲ ତାଙ୍କୁ ବି ଟାର୍ଗେଟ କରିଥିଲେ। ଅନ୍ୟମାନଙ୍କୁ ରାଜନୈତିକ ଶତ୍ରୁତା, ଜମି ବିବାଦ, ପାରିବାରିକ ବିବାଦ କାରଣରୁ ସେ ରାସ୍ତାରୁ ହଟାଇ ଦେଇଥିଲେ। ଏପ୍ରିଲ ୧୪ରେ ନବମ ଟାର୍ଗେଟ କାର୍ଭିକ କୁମ୍ଭାର ଜୈସୱାଲଙ୍କ ନିକଟରୁ ବିଷାକ୍ତ ମଦ ପିଇବା ସତ୍ତ୍ବେ ବଞ୍ଚି ଯାଇଥିଲେ। ପୁଲିସ ୮ ଜଣଙ୍କୁ ହତ୍ୟା ଏବଂ ଏକ ହତ୍ୟା ଉଦ୍ୟମ ନେଇ ମାମଲା ରୁଜୁ କରିଛି।