ଭୁବନେଶ୍ୱର: ଶରୀରରେ କୌଣସି ପ୍ରକାରର ସଂକ୍ରମଣ ହେଲେ ସାଧାରଣତଃ ଜ୍ୱର ଆସିଥାଏ। ଔଷଧ ଖାଇବା ଏବଂ ବିଶ୍ରାମ ନେବା ପରେ କିଛି ଦିନ ମଧ୍ୟରେ ଜ୍ୱର କମି ମଧ୍ୟ ଯାଏ। ମାତ୍ର ଜ୍ୱର ଛାଡ଼ିଯିବା ପରେ ମଧ୍ୟ ଯଦି ଆପଣଙ୍କୁ ଛାତି ବିନ୍ଧିବା, ଚିପି ହୋଇଗଲା ପରି ଲାଗିବା, କାଶ କିମ୍ବା ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହେଉଛି, ତେବେ ଏହାକୁ କେବଳ 'ସାଧାରଣ ଦୁର୍ବଳତା' ଭାବି ଆଦୌ ଅବହେଳା କରନ୍ତୁ ନାହିଁ।

କାହିଁକି ହୋଇଥାଏ ଛାତିରେ କଫ ?

ଭୂତାଣୁ (Viral) କିମ୍ବା ଜୀବାଣୁ (Bacterial) ସଂକ୍ରମଣ ପରେ ଆମର ଶ୍ୱାସକ୍ରିୟା ପ୍ରଣାଳୀରେ ପ୍ରଦାହ ସୃଷ୍ଟି ହୁଏ ଏବଂ ନଳୀଗୁଡ଼ିକରେ କଫ ଜମା ହୋଇଯାଏ। ଏହି କାରଣରୁ ନିଶ୍ୱାସ-ପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିଥାଏ। ଅନେକ ସମୟରେ ଜ୍ୱର କମିଗଲେ ମଧ୍ୟ କାଶ ଓ ଛାତି ଭାରି ଲାଗିବା ସମସ୍ୟା ଦୀର୍ଘ ଦିନ ଧରି ରହିଥାଏ।

Also Read: ରାତି ୮ଟା ପରେ ଖାଦ୍ୟ ଖାଇଲେ ମେଦବୃଦ୍ଧି ହୁଏ କି? ଘଡ଼ିର କଣ୍ଟା ନା ଆପଣଙ୍କ ଥାଳି, କିଏ ଅଧିକ ଦାୟୀ ?

ନିମୋନିଆ କିମ୍ବା ବ୍ରୋଙ୍କାଇଟିସର ସଙ୍କେତ

ଫ୍ଲୁ କିମ୍ବା ଭାଇରାଲ୍ ସଂକ୍ରମଣ ସମୟରେ ଫୁସଫୁସ ଏବଂ ଶ୍ୱାସନଳୀ ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ସଂକ୍ରମଣ ହ୍ରାସ ପାଇବା ପରେ ମଧ୍ୟ ଏହି ନଳୀଗୁଡ଼ିକରେ କିଛି ଦିନ ଫୁଲା ରହିଯାଏ। ମାତ୍ର ଯଦି ଜ୍ୱର ପୁଣିଥରେ ଫେରିଆସେ, କାଶ ବଢ଼ିବାରେ ଲାଗେ କିମ୍ବା ନିଶ୍ୱାସ ନେବା ଅଧିକ କଷ୍ଟକର ହୁଏ, ତେବେ ଏହା ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆର ସଙ୍କେତ ହୋଇପାରେ।

କେଉଁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ ?

ନିମ୍ନଲିଖିତ ଲକ୍ଷଣଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ବି ଦେଖାଗଲେ ବିଳମ୍ବ ନକରି ତୁରନ୍ତ ଚିକିତ୍ସକଙ୍କ ନିକଟକୁ ଯାଆନ୍ତୁ।ଲକ୍ଷଣ ଗୁଡ଼ିକ ହେଲା ଛାତିରେ ଅସହ୍ୟ ଯନ୍ତ୍ରଣା କିମ୍ବା ନିଶ୍ୱାସ ନେବାରେ ଅଧିକ କଷ୍ଟ ହେବା, ଓଠ କିମ୍ବା ମୁହଁ ନୀଳ ପଡ଼ିଯିବା, ଚେତା ହରାଇବା କିମ୍ବା ଅତ୍ୟଧିକ ଦୁର୍ବଳ ଅନୁଭବ କରିବା, କାଶିବା ସମୟରେ କଫରେ ରକ୍ତ ପଡ଼ିବା ଏବଂ ଜ୍ଵର ଛାଡ଼ିବା ପରେ ପୁଣିଥରେ ପ୍ରବଳ ଜ୍ୱର ଆସିବା ଆଦି।

Also Read: ଡାଇବେଟିସରେ ରୁଟି ନା ଭାତ? କେଉଁଟି ଅଧିକ ଭଲ, ଜାଣନ୍ତୁ ଠିକ୍ ଉପାୟ

ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

ଶରୀରକୁ ସୁସ୍ଥ ରଖିବା ପାଇଁ ଯଥେଷ୍ଟ ପରିମାଣର ପାଣି ପିଅନ୍ତୁ ଏବଂ ବିଶ୍ରାମ ନିଅନ୍ତୁ। ଡାକ୍ତରଙ୍କ ପରାମର୍ଶ ବିନା ନିଜ ମନକୁ ଆଣ୍ଟିବାୟୋଟିକ୍ କିମ୍ବା ଷ୍ଟେରଏଡ୍ ଯୁକ୍ତ ଔଷଧ ସେବନ କରନ୍ତୁ ନାହିଁ। ପୌଷ୍ଟିକ ଖାଦ୍ୟ ଖାଆନ୍ତୁ ଏବଂ ମାନସିକ ଚାପରୁ ଦୂରେଇ ରହିବା ପାଇଁ ନିଜକୁ ସକ୍ରିୟ ରଖନ୍ତୁ।