ନୂଆଦିଲ୍ଲୀ-: ରାତି ୮ଟା ୧୫ରେ ରାତ୍ରୀଭୋଜନ ସାରିବା ପରେ କେବେ ଭାବିଛନ୍ତି କି, ଏହି ଅତିରିକ୍ତ ୧୫ ମିନିଟ୍ ଆପଣଙ୍କ ଶରୀରକୁ "ଫ୍ୟାଟ୍-ଷ୍ଟୋରେଜ୍ ମୋଡ୍" (ଚର୍ବି ସଞ୍ଚୟ ମୋଡ୍)କୁ ପରିବର୍ତ୍ତନ କରିଦେଇଛି I ଶୁଣିବାକୁ ଏହା ଅଜବ ଲାଗିପାରେ, କିନ୍ତୁ ରାତି ୮ଟା ପରେ ଖାଦ୍ୟ ଖାଇଲେ ଓଜନ ବଢ଼ିଥାଏ I ଏହି ଧାରଣାଟି ଆଜିକାଲି ସବୁଠାରୁ ବେଶୀ ଚର୍ଚ୍ଚିତ ଡାଏଟ୍ ନିୟମଗୁଡ଼ିକ ମଧ୍ୟରୁ ଗୋଟିଏ। କିନ୍ତୁ ପ୍ରକୃତ ସତ୍ୟ କ’ଣ? ଘଡ଼ିର କଣ୍ଟା କିମ୍ବା ଜୈବିକ ସମୟ ବର୍ଷ ବର୍ଷ ଧରି ଏହା ପରାମର୍ଶ ଦିଆଯାଇଆସୁଛି ଯେ ଜଲଦି ଜଲଦି ଖାଆନ୍ତୁ, ରାତି ୮ଟା ପୂର୍ବରୁ ରାତ୍ରୀଭୋଜନ ଶେଷ କରନ୍ତୁ ଆଉ ତା’ପରେ କିଛି ବି ଖାଆନ୍ତୁ ନାହିଁ। କିନ୍ତୁ ବିଶେଷଜ୍ଞମାନଙ୍କ ମତରେ, ରାତି ୮ଟା ପରେ ଶରୀର ସ୍ୱୟଂଚାଳିତ ଭାବରେ ଚର୍ବି ବଢ଼ାଇବା ଆରମ୍ଭ କରିଦିଏ,କିନ୍ତୁ ଏହାର କୌଣସି ଜୈବିକ ସତ୍ୟତା ନାହିଁ।ଫରିଦାବାଦର ସୁପର ସ୍ପେସାଲିଟି ହସ୍ପିଟାଲ୍ର ମୁଖ୍ୟ ଡାଏଟିସିଆନ୍ ଆସ୍ଥା ଶର୍ମାଙ୍କ କହିବା ଅନୁଯାୟୀ, ରାତି ୮ଟା ପରେ ଏଭଳି କୌଣସି କଠୋର ଜୈବିକ ସୀମା ନାହିଁ ଯାହା ପରେ ଖାଇଲେ ଓଜନ ବଢ଼ିବ। ଓଜନ ସେତେବେଳେ ବଢ଼ିଥାଏ ଯେତେବେଳେ ଜଣେ ବ୍ୟକ୍ତି ଶରୀରର ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀ ନିୟମିତ ଭାବରେ ଗ୍ରହଣ କରିଥାଏ।

ତେବେ ଶରୀରର ଆଭ୍ୟନ୍ତରୀଣ ଘଡ଼ି ବା ‘ସରକାଡିଆନ୍ ରିଦମ୍’ ମେଟାବୋଲିଜିମ୍ କୁ ପ୍ରଭାବିତ କରିଥାଏ। ଅତି ବିଳମ୍ବରେ ଭାରୀ କିମ୍ବା ବଡ଼ ଖାଦ୍ୟ ଖାଇଲେ, ତାହା ଦିନ ସମୟ ଅପେକ୍ଷା ଶରୀରରେ ଟିକେ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରିପାରେ। ଏହାର କାରଣ ସମୟ ନୁହେଁ, ବରଂ ସେହି ସମୟରେ ଆମର ଖାଦ୍ୟ ଗ୍ରହଣ କରିବାର ଶୈଳୀ । ଦିନସାରା ପରିଶ୍ରମ ପରେ ରାତିରେ କ୍ଳାନ୍ତ, ଚାପଗ୍ରସ୍ତ କିମ୍ବା ବୋର ହେଲେ ଲୋକମାନେ ବିନା ଚିନ୍ତାରେ ବିସ୍କୁଟ୍, ମିଠା, ଭଜା ଜିନିଷ, ଚିପ୍ସ ବା ବଳକା ଖାଦ୍ୟ ଅଧିକ ମାତ୍ରାରେ ଖାଇଦେଇଥାଆନ୍ତି। ଏହା ଦ୍ୱାରା ଅଧିକ କ୍ୟାଲୋରୀ ଶରୀରକୁ ଯାଇଥାଏ। ଏହା ବ୍ୟତୀତ ଶୋଇବା ପୂର୍ବରୁ ଅଧିକ ଖାଦ୍ୟ ଖାଇଲେ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ ଏବଂ ନିଦ ମଧ୍ୟ ପ୍ରଭାବିତ ହୁଏ। ନୋଏଡାର ମ୍ୟାକ୍ ସୁପର ସ୍ପେସାଲିଟି ହସ୍ପିଟାଲ୍ର କ୍ଲିନିକାଲ୍ ପୁଷ୍ଟିସାଧନ ପ୍ରମୁଖ ଡାକ୍ତର କରୁଣା ଚତୁର୍ବେଦୀ ଏବଂ ଅନ୍ୟାନ୍ୟ ବିଶେଷଜ୍ଞଙ୍କ ମତରେ, ଘଡ଼ିର କଣ୍ଟାକୁ ଦେଖି ଚିନ୍ତା କରିବା ଅପେକ୍ଷା ଆପଣଙ୍କ ଥାଳିରେ କ’ଣ ଅଛି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି କେହି ବ୍ୟକ୍ତି କାର୍ଯ୍ୟବ୍ୟସ୍ତତା ଯୋଗୁଁ ରାତି ୮:୪୫ ମିନିଟ୍ରେ ଏକ ସାଧାରଣ ଡାଲି, ପନିପରିବା ଏବଂ ରୁଟି ଖାଏ, ତେବେ ତାହା କ୍ଷତିକାରକ ନୁହେଁ।

also read -ଡାଇବେଟିସ୍‌ରେ ରୁଟି ନା ଭାତ? କେଉଁଟି ଅଧିକ ଭଲ, ଜାଣନ୍ତୁ ଠିକ୍ ଉପାୟ

କିନ୍ତୁ ଅନ୍ୟପକ୍ଷରେ, ଯଦି କେହି ସନ୍ଧ୍ୟା ୭:୩୦ ମିନିଟ୍ରେ ଅତ୍ୟଧିକ ଭଜା ଜିନିଷ, ମିଠା ଏବଂ କୋଲ୍ଡ ଡ୍ରିଙ୍କ୍ସ ଖାଇ ଟିଭି ଦେଖୁଥାଏ, ତେବେ ତାହା ଶରୀର ପାଇଁ ଅଧିକ କ୍ଷତିକାରକ ଅଟେ।ତେଣୁ, କେବଳ "ରାତି ୮ଟା ପରେ ଖାଆନ୍ତୁ ନାହିଁ" ଏହି ନିୟମ ପଛରେ ଗୋଡ଼ାଇବା ଅପେକ୍ଷା ଆପଣଙ୍କ ଖାଦ୍ୟର ପରିମାଣ , ଖାଦ୍ୟର ଗୁଣବତ୍ତା ଏବଂ ମୋଟ କ୍ୟାଲୋରୀ ଗ୍ରହଣ ଉପରେ ଧ୍ୟାନ ଦେବା ଜରୁରୀ। ଯଦି କାମର ଚାପ କିମ୍ବା ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଆପଣଙ୍କୁ ବିଳମ୍ବରେ ରାତ୍ରୀଭୋଜନ କରିବାକୁ ପଡ଼େ, ତେବେ ଏହାକୁ ଏକ ବଡ଼ ସମସ୍ୟା ଭାବେ ନିଅନ୍ତୁ ନାହିଁ; ବରଂ ଖାଦ୍ୟକୁ ହାଲୁକା, ପୁଷ୍ଟିକର ଏବଂ ସନ୍ତୁଳିତ ରଖନ୍ତୁ।