ଭୁବନେଶ୍ୱର: ଡାଇବେଟିସ୍‌ ଆଜି କେବଳ ବୟସ୍କଙ୍କ ରୋଗ ହୋଇ ରହି ନାହିଁ। ଅନେକ ଯୁବକ ଓ ଶିଶୁ ମଧ୍ୟ ଏହାର ଶିକାର ହେଉଛନ୍ତି। ଡାଇବେଟିସ୍‌ ଚିହ୍ନଟ ହେବା ପରେ ଖାଦ୍ୟପେୟକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠେ। ବିଶେଷକରି ଭାରତୀୟଙ୍କ ଦୁଇ ପ୍ରମୁଖ ଖାଦ୍ୟ ରୁଟି ଓ ଭାତ ମଧ୍ୟରୁ କେଉଁଟି ଖାଇବା ଭଲ, ଏହାକୁ ନେଇ ଦ୍ୱନ୍ଦ୍ୱ ରହିଥାଏ।

ଏକ ଜଣାଶୁଣା ସ୍ୱାସ୍ଥ୍ୟ ଖବର ଦେଉଥିବା ୱେବ୍‌ସାଇଟ୍‌ ଓନ୍‌ଲିମାଇ ହେଲ୍ଥ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ସେ ଡାକ୍ତର ଅକ୍ଷୟ ଚୁଘ୍‌ଙ୍କଙ୍କ ଠାରୁ ପରାମର୍ଶ ନେଇ ଲେଖିଛି ଡାଇବେଟିସ୍‌ ରୋଗୀଙ୍କ ପାଇଁ ସାଧାରଣ ଧଳା ଭାତ ତୁଳନାରେ ଗହମ ରୁଟି ସାମାନ୍ୟ ଭଲ ବିକଳ୍ପ ହୋଇପାରେ। ତେବେ ଉଭୟକୁ ଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ଖାଇଲେ ବ୍ଲଡ୍ ସୁଗାର ଉପରେ ବଡ଼ ପ୍ରଭାବ ପଡ଼ିନପାରେ।

ରୁଟି ଓ ଭାତ ମଧ୍ୟରେ ଫରକ କ’ଣ?

ଉଭୟ ରୁଟି ଓ ଭାତ କାର୍ବୋହାଇଡ୍ରେଟ୍‌ର ମୁଖ୍ୟ ଉତ୍ସ। ଶରୀର ଏହି କାର୍ବୋହାଇଡ୍ରେଟ୍‌କୁ ଗ୍ଲୁକୋଜ୍‌ରେ ପରିଣତ କରେ। ଗହମ ରୁଟିରେ ଭାତ ତୁଳନାରେ ଫାଇବର୍‌, ପ୍ରୋଟିନ୍‌ ଓ କିଛି ମାଇକ୍ରୋନ୍ୟୁଟ୍ରିଏଣ୍ଟ୍‌ ଅଧିକ ଥାଏ। ଫାଇବର୍‌ ଥିବାରୁ ଏହା ଧୀରେ ହଜମ ହୁଏ। ଅନ୍ୟପକ୍ଷରେ, ସାଧାରଣ ଧଳା ଚାଉଳରୁ ଚୋକଡ଼ ଓ ଫାଇବର୍‌ର ଅଧିକାଂଶ ଅଂଶ ହଟିଯାଇଥାଏ। ଏଥିରେ ଷ୍ଟାର୍ଚ୍ଚ ଅଧିକ ରହିଥିବାରୁ ଏହା ଶୀଘ୍ର ହଜମ ହୋଇ ବ୍ଲଡ୍ ସୁଗାର ବଢ଼ାଇପାରେ।

ଗ୍ଲାଇସେମିକ୍ ଇଣ୍ଡେକ୍ସ କ’ଣ କହୁଛି?

ଖାଦ୍ୟ ଖାଇବା ପରେ ରକ୍ତରେ ସୁଗାର କେତେ ଶୀଘ୍ର ବଢ଼େ, ତାହା ବୁଝିବା ପାଇଁ ଗ୍ଲାଇସେମିକ୍ ଇଣ୍ଡେକ୍ସ (GI) ଏକ ମାପକ। ସାଧାରଣତଃ ଧଳା ଚାଉଳର ଜିଆଇ ପ୍ରାୟ ୭୦ରୁ ୮୦ ମଧ୍ୟରେ ଥିବାବେଳେ ଗହମ ରୁଟିର ଜିଆଇ ପ୍ରାୟ ୬୦ରୁ ୬୫ ମଧ୍ୟରେ ରହିଥାଏ। ତେଣୁ କେବଳ ଜିଆଇ ଆଧାରରେ ଦେଖିଲେ ଗହମ ରୁଟି ଧଳା ଭାତ ତୁଳନାରେ ସାମାନ୍ୟ ଭଲ ବିକଳ୍ପ। ତେବେ ଏକ ଅଧ୍ୟୟନରେ ଡାଲି ଓ ପନିପରିବା ସହ ସମାନ ପରିମାଣର କାର୍ବୋହାଇଡ୍ରେଟ୍‌ ଥିବା ରୁଟି ଓ ଭାତ ଖାଇଲେ ଉଭୟର ଜିଆଇରେ ବଡ଼ ପାର୍ଥକ୍ୟ ଦେଖାଯାଇନଥିଲା।

ଡାଇବେଟିସ୍‌ରେ ଭାତ ସମ୍ପୂର୍ଣ୍ଣ ବନ୍ଦ କରି ଦେବା କି?

ନା… ଡାଇବେଟିସ୍‌ ହେଲେ ଭାତକୁ ସମ୍ପୂର୍ଣ୍ଣ ଛାଡ଼ିବା ଜରୁରୀ ନୁହେଁ। ଭାତ କେତେ ପରିମାଣରେ ଏବଂ କେଉଁ ଖାଦ୍ୟ ସହ ଖାଉଛନ୍ତି, ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ। ଧଳା ଭାତ ବଦଳରେ ବ୍ରାଉନ୍ ରାଇସ୍‌ କିମ୍ବା କମ୍ ପଲିସ୍‌ ଚାଉଳ ଖାଇପାରିବେ। ଏଥିରେ ଫାଇବର୍‌ ଅଧିକ ରହିଥାଏ। ସେହିପରି ଉଷୁନା ବାସୁମତୀ ଚାଉଳ ମଧ୍ୟ ଏକ ବିକଳ୍ପ ହୋଇପାରେ।

ରୁଟିକୁ କିପରି ଅଧିକ ସ୍ୱାସ୍ଥ୍ୟକର କରିବେ?

କେବଳ ଗହମ ରୁଟି ଖାଇଲେ ହିଁ ଡାଇବେଟିସ୍‌ ନିୟନ୍ତ୍ରଣରେ ରହିବ, ତାହା ଠିକ୍ ନୁହେଁ। ଅତ୍ୟଧିକ ଚିକ୍କଣ ପେସା ଅଟାରେ ଫାଇବର୍‌ କମ୍ ରହିପାରେ। ରୁଟିରେ ଚଣା ଅଟା, ଜଅ, ରାଗି, ବାଜରା କିମ୍ବା ସୋୟାବିନ୍‌ ମିଶାଇ ମଲ୍ଟିଗ୍ରେନ୍ ଅଟା ପ୍ରସ୍ତୁତ କରିପାରିବେ। ଏହା ରୁଟିର ପୋଷଣମୂଲ୍ୟ ବଢ଼ାଇବାରେ ସହାୟକ ହୋଇପାରେ।

Also Read-  କଞ୍ଚା ନା ସିଝା ଅଣ୍ଡା: କେଉଁଥିରୁ ମିଳେ ଅଧିକ ପ୍ରୋଟିନ୍? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କେଉଁଟି ହିତକର

ଡାଇବେଟିସ୍‌ ରୋଗୀ କ’ଣ ଧ୍ୟାନ ଦେବେ?

ରାତିରେ ଅଧିକ ପରିମାଣର ଭାତ ଖାଇବା ଠାରୁ ଦୂରେଇବା ଭଲ।
ଦିନବେଳେ ନିୟନ୍ତ୍ରିତ ପରିମାଣରେ ଭାତ ଖାଇପାରିବେ।
ଭାତ ସହିତ ଡାଲି, ପନିପରିବା ଓ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ରଖନ୍ତୁ।
ଖାଦ୍ୟର ପରିମାଣ ନିୟନ୍ତ୍ରଣ କରନ୍ତୁ।
ଡାଇବେଟିସ୍‌ ନିୟନ୍ତ୍ରଣ ପାଇଁ କେବଳ ଗୋଟିଏ ଖାଦ୍ୟକୁ ଦୋଷ ନଦେଇ ସମ୍ପୂର୍ଣ୍ଣ ଡାଏଟ୍‌ ଓ ଜୀବନଶୈଳୀ ଉପରେ ଧ୍ୟାନ ଦିଅନ୍ତୁ।

ମୋଟାମୋଟି କହିବାକୁ ଗଲେ ଡାଇବେଟିସ୍‌ ହେଲେ ଭାତ ସମ୍ପୂର୍ଣ୍ଣ ବନ୍ଦ କରିବା ଆବଶ୍ୟକ ନୁହେଁ। ସାଧାରଣ ଧଳା ଭାତ ତୁଳନାରେ ଗହମ ରୁଟି ସାମାନ୍ୟ ଭଲ ବିକଳ୍ପ ହୋଇପାରେ। କିନ୍ତୁ ଖାଦ୍ୟର ପରିମାଣ, ଫାଇବର୍‌, ଅନ୍ୟ ଖାଦ୍ୟ ସହ ଏହାର ସମନ୍ୱୟ ଏବଂ ଦୈନିକ ଜୀବନଶୈଳୀ ସବୁକିଛି ରକ୍ତରେ ସୁଗାର ନିୟନ୍ତ୍ରଣରେ ଭୂମିକା ନିଏ।

ଡାଇବେଟିସ୍‌ ରୋଗ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ରୋଗୀର ଜୀବନ ଶୈଳୀ ଉପରେ ନିର୍ଭର କରେ। ତେଣୁ ନିଜ ରକ୍ତରେ ସୁଗାର ସ୍ତର, ଔଷଧ ଓ ଅନ୍ୟ ସ୍ୱାସ୍ଥ୍ୟ ସ୍ଥିତି ଅନୁଯାୟୀ ଡାଏଟ୍‌ ପାଇଁ ଡାକ୍ତର କିମ୍ବା ଯୋଗ୍ୟ ଡାଏଟିସିଆନ୍‌ଙ୍କ ପରାମର୍ଶ ନେବା ନିହାତି ଜରୁରୀ।