ଭୁବନେଶ୍ୱର ୨୯।୦୩ : ଠିଆ ହେବ ପୁଣି ରାମୁ ହାତୀ। ଭୁବନେଶ୍ବର ରେଞ୍ଜ ଅଫିସରେ ସରିଲା ରାମୁ ହାତୀ କଙ୍କାଳର ରାସାୟନିକ ପ୍ରକ୍ରିୟାକରଣ। ପାଖାପାଖି ସାଢେ଼ ୩ମାସ ପରେ ହାତୀର କଙ୍କାଳ ଯିବ ଚନ୍ଦକା ଗୋଡ଼ିବାରୀ। ରାମୁ କଙ୍କାଳକୁ ଭୁବନେଶ୍ବର ରେଞ୍ଜ ଅଫିସରେ ରାସାୟନିକ ପ୍ରକ୍ରିୟାକରଣ କରାଯାଇଥିଲା। ଆଜି ଗୋଡିବାରିରେ ରାମୁ କଙ୍କାଳ ଡିଏସପ୍ଲେ ହେବ।

ଖବର ଅନୁଯାୟୀ, ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଅନ୍ତର୍ଗତ ଭରତପୁରରେ ରାମୁ ଥିଲା ଏକ ବଳଶାଳୀ ହାତୀ । ପ୍ରାୟ ୩୫ ବର୍ଷ ପୂର୍ବେ ଏହି ଜଙ୍ଗଲରେ ରାମୁ ଜନ୍ମ ନେଇଥିଲା । ଏହି ଦନ୍ତା ହାତୀଟି ଭରତପୁର, ଅନ୍ଧାରୁଆ, ମାଳିମ ଠାକୁରାଣୀ ରାସ୍ତା, ମଳିପଡ଼ା, ଶାମପୁର, ଗୋଠପାଟଣା ତଥା ଖୋର୍ଦ୍ଧା ଡିଭିଜନ ଅଞ୍ଚଳକୁ ନିୟମିତ ବ୍ୟବଧାନରେ ଯିବା ଆସିବା କରୁଥିଲା । ଉକ୍ତ ଅଞ୍ଚଳରେ ଥିବା ଲୋକଙ୍କ ବାଡ଼ିବଗିଚାରେ ପଶି ଫସଲ ନଷ୍ଟ କରୁଥିଲା । ରାମୁ କେବଳ ନିଜ ପେଟ ପାଇଁ ଏତେ ନାଟ କରୁଥିଲା । ହେଲେ ଲୋକଙ୍କୁ କେବେ ଆକ୍ରମଣ ତ ଦୂରେ ଥାଉ, କେବେବି ଆଡ଼ ଆଖିରେ ଅନାଏ ନାହିଁ । ତେଣୁ ‘ରାମୁ’ ବନ କର୍ମଚାରୀଙ୍କଠାରୁ ଆରମ୍ଭ କରି ସଭିଁଙ୍କ ପ୍ରିୟ ଥିଲା ।

Also Read:-ମାଟି ତଳୁ ଉଦ୍ଧାର ହେଲା ହାତୀ 'ରାମୁ'ର କଙ୍କାଳ, ଗୋଡ଼ିବାରି ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ବାରାମ୍ବାର ଜନବସତି ମୁହାଁ ହେଉଥିବାରୁ ରାମୁକୁ କାବୁ କରି ତା’ ବେକରେ ରେଡିଓକଲାର ବାନ୍ଧିବା ପାଇଁ ବନବିଭାଗ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ଫେଲ୍ ମାରିଥିଲା । ଶେଷରେ ରାମୁ ହାତୀକୁ ଟ୍ରାଙ୍କୁଲାଇଜ୍ ମାଡ଼ କରି ବନବିଭାଗ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥିବା ହାତୀଙ୍କ ‘ପାଠଶାଳା’କୁ ଆଣିବାକୁ ଯୋଜନା କରିଥିଲା । ସେଠାରେ ତାକୁ ମାହୁନ୍ତମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆ ଯାଇଥାନ୍ତା । ପରେ ତାକୁ ଜଙ୍ଗଲ ଜଗିବାଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କୁ ପିଠିରେ ବସାଇ ଜଙ୍ଗଲ ବୁଲାଇବା କାମରେ ନିୟୋଜିତ କରାଯିବା ପାଇଁ ଚନ୍ଦକା ବନବିଭାଗ ଯୋଜନା କରିଥିଲା । ହେଲେ ଏହା ପୂର୍ବରୁ ଏହି ବିଶାଳକାୟ ରାମୁ ଗତବର୍ଷ ଅଗଷ୍ଟ ୧୯ରେ ଚୁନକୋଳି ବସ୍ତି ନିକଟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲା । ରାମୁ ମରିଯିବା ପରେ ହାତୀପ୍ରେମୀମାନେ ଦୁଃଖରେ ଭାଙ୍ଗିପଡ଼ିଥିଲେ । ଏପରିକି ଅନ୍ଧାରୁଆ ଗାଁରେ ରାମୁ ପାଇଁ ପିଣ୍ଡ ଦାନ କରାଯାଇଥିଲା । ଚଳିତବର୍ଷ ରାମୁର କଙ୍କାଳ ସଂରକ୍ଷଣ କରିବାକୁ ହାତୀପ୍ରେମୀ ଦାବି କରିଆସୁଥିଲେ । ସ୍ନେକ୍ ହେଲ୍ପଲାଇନ୍ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ମଧ୍ୟ ଡିଏଫ୍ଓ ଏବଂ ପିସିସିଏଫ୍ଙ୍କୁ ଚିଠି ଲେଖି ରାମୁ ହାତୀର କଙ୍କାଳ ସଂରକ୍ଷଣ ପାଇଁ ଦାବି କରିଥିଲେ । ଏହାପରେ ବନ ବିଭାଗ ଯୋଜନା ଆରମ୍ଭ କରିଥିଲା ।

Also Read:-ଦନ୍ତାହାତୀ ‘ରାମୁ’ର କଙ୍କାଳକୁ ସଂରକ୍ଷଣ କରାଯିବ, ସର୍ବସାଧାରଣଙ୍କ ପାଇଁ ଗୋଡ଼ିବାରିରେ ପ୍ରଦର୍ଶିତ ହେବ

ଡିସେମ୍ବର ମାସରେ ମାଟି ଖୋଳି ରାମୁ ହାତୀର ପ୍ରାୟ ୪୦ରୁ ଅଧିକ ଖଣ୍ଡ ହାଡ଼ ବାହାରିଥିଲା। ଯାହା ମଧ୍ୟରେ ମୁଣ୍ଡ, ଗୋଡ଼, ପାଦ, ଲାଞ୍ଜ ଓ ମେରୁଦଣ୍ଡ ହାଡ଼ ସ୍ପଷ୍ଟ ବାରି ହେଉଥିବା ବେଳେ କିଛି ହାଡ଼ ଖଣ୍ଡ ବିଖଣ୍ଡିତ ହୋଇଥିଲା । । ପ୍ରଥମେ ସମସ୍ତ ହାଡ଼କୁ କେମିକାଲ ଦ୍ୱାରା ସଫା କରାଯାଇ ଯୋଡ଼ା ଯିବା ପ୍ରକ୍ରିୟା ଆରମ୍ବ କରାଯାଇଥିଲା, ଯାହା ପ୍ରାୟ ୬ ମାସ ଲାଗିଥିଲା। ସବୁ ହାଡ଼ ଯୋଡ଼ି ହେବା ପରେ ରାମୁକୁ ଚନ୍ଦକା ଡମପଡ଼ା ଅଭୟାରଣ୍ୟର ମୁଖ୍ୟ ଫାଟକ ଗୋଡ଼ିବାରିରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ।

ସେହିପରି ଏହାପୂର୍ବରୁ ଓଡ଼ିଶାରେ ପ୍ରଥମ ଥର ଆଚାର୍ଯ୍ୟବିହାରରେ ଥିବା ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟରେ ଦନ୍ତାହାତୀ ‘ଶଙ୍କର’ର କଙ୍କାଳ ବୈଜ୍ଞାନିକ ପ୍ରଣାଳୀରେ ସଂରକ୍ଷଣ କରାଯାଇଛି ।

Watch Video:-