ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଜେନେରେଟିଭ୍ ଏଆଇ (Generative AI) ପ୍ଲାଟଫର୍ମଗୁଡ଼ିକରେ ଗୁରୁବାର ବଡ଼ ଧରଣର ବୈଷୟିକ ସମସ୍ୟା ଦେଖାଦେଇଛି। OpenAIର ChatGPT, Anthropicର Claude ଏବଂ xAIର Grok ବ୍ୟବହାର କରୁଥିବା ୟୁଜର୍ମାନେ ସେବା ଆକ୍ସେସ୍ କରିବା ଓ ବ୍ୟବହାର କରିବାରେ ସମସ୍ୟା ହେଉଥିବା ନେଇ ରିପୋର୍ଟ କରିଛନ୍ତି।

ଆଉଟେଜ୍ ଟ୍ରାକିଂ ୱେବସାଇଟ୍ ଡାଉନଡିଟେକ୍ଟର (Downdetector)ର ତଥ୍ୟ ଅନୁସାରେ, ଭାରତରେ ରାତି ପ୍ରାୟ ୮ଟା ୩୦ ସୁଦ୍ଧା ଚାଟଜିପିଟିକୁ ନେଇ ୨,୮୦୦ରୁ ଅଧିକ ସମସ୍ୟା ରିପୋର୍ଟ ମିଳିଥିଲା। ସେହିପରି କ୍ଲଡ ସମ୍ପର୍କରେ ପ୍ରାୟ ୧୭୦ଟି ଏବଂ ଗ୍ରକକୁ ନେଇ ୭୦ରୁ ଅଧିକ ରିପୋର୍ଟ ରେକର୍ଡ ହୋଇଥିଲା।

ଆମେରିକାରେ ଆହୁରି ଅଧିକ ଅଭିଯୋଗ

ଏହି ସମସ୍ୟା କେବଳ ଭାରତରେ ସୀମିତ ରହିନଥିଲା। ଆମେରିକାରେ ମଧ୍ୟ ବହୁ ସଂଖ୍ୟକ ୟୁଜର୍ ଏଆଇ ସେବାରେ ସମସ୍ୟା ନେଇ ଅଭିଯୋଗ କରିଥିଲେ। ଡାଉନଡିଟେକ୍ଟର ଅନୁସାରେ, ଆମେରିକାରେ ସମାନ ସମୟରେ ChatGPT ଡାଉନ ଥିବା ୩୫,୦୦୦ରୁ ଅଧିକ ଅଭିଯୋଗ ଆସିଥିଲା।

କ୍ଲଡକୁ ନେଇ ୧,୪୦୦ରୁ ଅଧିକ ଏବଂ ଗ୍ରୋକକୁ ନେଇ ୧,୨୦୦ରୁ ଅଧିକ ରିପୋର୍ଟ ରେକର୍ଡ ହୋଇଥିଲା। ୟୁଜର୍ମାନେ ଏଆଇ ପ୍ଲାଟଫର୍ମଗୁଡ଼ିକରେ ଏରର୍ ମେସେଜ୍, ରେସ୍ପନ୍ସ ନ ମିଳିବା ଏବଂ ସେବା ଆକ୍ସେସ୍ କରିବାରେ ସମସ୍ୟା ହେଉଥିବା କହିଥିଲେ। ଡାଉନଡିକ୍ଟର ୟୁଜର୍ମାନଙ୍କ ରିପୋର୍ଟ ଆଧାରରେ ବାଧିତ ସେବାକୁ ଟ୍ରାକ୍ କରେ। ଅଭିଯୋଗ ସଂଖ୍ୟା ହଠାତ୍ ବଢ଼ିଲେ ଏହା ସମ୍ଭାବ୍ୟ ଆଉଟେଜ୍ କିମ୍ବା ବୈଷୟିକ ସମସ୍ୟାର ସଙ୍କେତ ଦେଇଥାଏ।

ChatGPTରେ ୱର୍କ ମୋଡ୍ ସମସ୍ୟା

OpenAIର ଅଫିସିଆଲ୍ ଷ୍ଟାଟସ୍ ପେଜ୍ରେ ମଧ୍ୟ ଗୁରୁବାର ଚାଟଜିପିଟି ୱାର୍କ ମୋଡ ସମ୍ପର୍କିତ ଏକ ଘଟଣା ଲକ୍ଷ୍ୟ କରାଯାଇଥିଲା। କମ୍ପାନୀ ପ୍ରଥମେ ଏହି ସେବାରେ ଅଧିକ ହାରରେ ଏରର୍ ଦେଖାଯାଉଥିବା ସୂଚନା ଦେଇଥିଲା। ପରେ ସମସ୍ୟାର ସମାଧାନ ହୋଇଥିବା ଦର୍ଶାଯାଇଥିଲା।

କ୍ଲଡର କିଛି ମଡେଲ୍‌ରେ ଏରର୍

ଆନ୍ଥ୍ରୋପିକର ଷ୍ଟାଟସ୍ ପେଜ୍‌ରେ ମଧ୍ୟ ଗୁରୁବାର କ୍ଲଡର କିଛି ମଡେଲ୍ରେ ଅଧିକ ଏରର୍ ଦେଖାଯାଉଥିବା ସୂଚନା ଦିଆଯାଇଥିଲା। କମ୍ପାନୀ କହିଥିଲା ଯେ Claude Mythos 5.1, Claude Fable 5.1 ଏବଂ Claude Opus 5 ସହ ଜଡ଼ିତ ଅଧିକ ଏରର୍ର ଚିହ୍ନଟ କରାଯାଇଛି ଏବଂ ସମସ୍ୟାର ସମାଧାନ ପାଇଁ କାମ ଚାଲିଛି। ପରବର୍ତ୍ତୀ ଅପଡେଟ୍ରେ ଆନ୍ଥ୍ର୍ରୋପିକ୍ କହିଥିଲା ଯେ Claude Opus 4.8 ଏବଂ Claude Opus 5 ବ୍ୟତୀତ ଅନ୍ୟ ମଡେଲ୍ଗୁଡ଼ିକର ଏରର୍ ହାର ସାଧାରଣ ସ୍ତରକୁ ଫେରିଆସିଛି।

Grok ମଧ୍ୟ ସ୍ୱୀକାର କଲା ସମସ୍ୟା

ଇଲନ ମସ୍କଙ୍କ ମାଲିକାନାରେ ଥିବା xAIର ଏଆଇ ଚାଟବଟ୍ ଗ୍ରକ୍ ମଧ୍ୟ ସେବାରେ ସମସ୍ୟା ଥିବା ସ୍ୱୀକାର କରିଥିଲା। ଗ୍ରକ୍ ପକ୍ଷରୁ କୁହାଯାଇଥିଲା ଯେ ସେବାକୁ ଯଥାଶୀଘ୍ର ପୁନଃ ସ୍ୱାଭାବିକ କରିବା ପାଇଁ କାମ ଚାଲିଛି। ତେବେ ସମସ୍ୟାର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ସେତେବେଳେ କୌଣସି ବିସ୍ତୃତ ସୂଚନା ଦିଆଯାଇନଥିଲା।

ଏକାସାଙ୍ଗରେ ଏକାଧିକ ବଡ଼ ଏଆଇ ପ୍ଲାଟଫର୍ମରେ ସମସ୍ୟା ଦେଖାଦେବା ଫଳରେ ବିଶ୍ୱର ଅନେକ ୟୁଜର୍ ପ୍ରଭାବିତ ହୋଇଥିଲେ। ତେବେ ଏହି ବିଘ୍ନର ପଛରେ କୌଣସି ସାଧାରଣ କାରଣ ଥିଲା କି ନାହିଁ, ସେ ସମ୍ପର୍କରେ କମ୍ପାନୀଗୁଡ଼ିକ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।