ବ୍ରହ୍ମପୁର ୨୧।୦୭ : ଗୋପାଳପୁର ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ଅପହରଣ ଓ ହତ୍ୟା ମାମଲା । ୧୩ ଅଭିଯୁକ୍ତଙ୍କ ବିରୋଧରେ ୫୫୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ପୋଲିସ । ଜେଏମ୍ଏଫ୍ସି ରୁରାଲ କୋର୍ଟରେ ୫୫୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ଚାର୍ଜସିଟରେ ୬୮ ଜଣ ସାକ୍ଷୀଙ୍କ ବୟାନ ସହ ୧୩ ଜଣ ଅଭିଯୁକ୍ତଙ୍କ ନାମ ମଧ୍ୟ ସାମିଲ କରାଯାଇଛି ।

କାଳୁ ଚରଣ ପ୍ରଧାନଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଯାଇଛି । ସେହିପରି ପୋଲିସ ତଦନ୍ତରେ ମୃତକଙ୍କ ପୁତୁରା ତୁଷାର ପାତ୍ର, ଝିଆରୀ ନିବେଦିତା ପାତ୍ର, ତାଙ୍କ ପ୍ରେମିକ ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର, ସୂର୍ଯ୍ୟ ପ୍ରତାପ ସିଂ ଓରଫ ଗୋଲୁ ମୁକେଶ ସାହୁ, ସୁମିତ ସିଂ ,ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା, ଜିତେନ ପଳାଇ, ଶୁଭମ ଗୌଡ଼ ଓ ଶୁଭମ ନାୟକଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଅଭିଯୁକ୍ତମାନେ ସୁଧୀର ପାତ୍ରଙ୍କୁ ଅପହରଣ କରି ମୁଣ୍ଡରେ ବନ୍ଧୁକ ଲଗାଇ ୨କୋଟି ଟଙ୍କା ମୁକ୍ତିପଣ ଦାବି କରିଥିଲେ। ଶେଷରେ ଦାବି ପୂରଣ ନହେବାରୁ ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଥିବା ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଛି।

Also Read:-Price Hike : ପରିବା ମାର୍କେଟରେ ଦରବୃଦ୍ଧି ‘ନିଆଁ’, ୫୦୦ ଟଙ୍କାରେ ବି ହେଉନି ବ୍ୟାଗ୍ ଫୁଲ୍...

ତେବେ ଅଭିଯୁକ୍ତମାନଙ୍କ ବିରୋଧରେ ଅପହରଣ, ଷଡ଼ଯନ୍ତ୍ର, ହତ୍ୟା, ପ୍ରମାଣ ନଷ୍ଟ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଏହି ମାମଲାର ତଦନ୍ତକାରୀ ଅଧିକାରୀ ତଥା ସଦର ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ପରିଡ଼ା ଜେଏମଏଫ୍ସି (ରୁରାଲ) କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଆବଶ୍ୟକ ହେଲେ ପରବର୍ତ୍ତୀ ତଦନ୍ତ ମଧ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧୫ ତାରିଖରେ ସୁଧୀର ପାତ୍ର ଭବାନୀପୁରରୁ ଭଲିବଲ ଖେଳି ଘରକୁ ଫେରୁଥିଲେ । ଏହି ସମୟରେ ତାଙ୍କୁ ଗୋପାଳପୁର ଥାନା ଅଞ୍ଚଳରୁ ଅପହରଣ ହୋଇଥିଲେ। ପରେ ପୁଲିସ ପ୍ରଥମେ ୯ ଜଣ ଏବଂ ପରବର୍ତ୍ତୀ ସମୟରେ ରାଜସ୍ଥାନରୁ ଅନ୍ୟ ୪ ଜଣଙ୍କୁ ଗିରଫ କରିଥିଲା। ଟ୍ରାନଜିଟ୍ ରିମାଣ୍ଡରେ ଆଣୁଥିବା ବେଳେ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ପୋଲିସ ହେପାଜତରୁ ଖସିଯିବାକୁ ଉଦ୍ୟମ କରିବାରୁ ପୁଲିସ ଏନକାଉଣ୍ଟରରେ ଉଭୟ ଆହତ ହୋଇଥିଲେ। ପରେ ଜୁନ ୧୬ରେ ମୁକେଶ ସାହୁ ଓ ସୁମିତ ସିଂଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।