ଭୁବନେଶ୍ୱର ୨୧।୦୭ : ପରିବା ମାର୍କେଟରେ ଲାଗିଛି ନିଆଁ । କିଛି ଦିନ ତଳେ ୫୦୦ ଟଙ୍କା ନେଇ ବଜାରକୁ ଗଲେ ବ୍ୟାଗ ଭର୍ତ୍ତି ହୋଇ ଆସୁଥିଲା । ହେଲେ ଏବେ ସେତିକି ଟଙ୍କାରେ ପଲିଥିନ୍‌ ଫୁଲ୍‌ ହେବା କଷ୍ଟକର ।

ଗାଁଠୁ ସହର ସବୁଠି ଏବେ ହାଣ୍ଡିଶାଳକୁ ଦାଉ ସାଜିଛି ପରିବାର ଦର ।   ବାଇଗଣରୁ କାଙ୍କଣ, ଭେଣ୍ଡିରୁ ଟମାଟୋ ଏବଂ ଝୁଡଙ୍ଗ ଆଦି ସବୁ ପରିବା ଦର ଏବେ ହାଇକ୍‌ । ଖାଉଟିଙ୍କ ବଜେଟ୍‌ ଫେଲ ହୋଇଯାଇଥିବା ବେଳେ ବ୍ୟବସାୟୀ ବି ଅସହାୟ । ଦିନକୁ ଦିନ ଦର ବଢ଼ିବା ନେଇ ଏବେ ହତାଶ ଗ୍ରାହକ ଓ ବ୍ୟବସାୟୀ।  ପରିବା ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ହୋଇଥିବାରୁ ଲୋକେ ଉଚ୍ଚା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଯେଉଁଠି ଲୋକେ କେଜି ଠାରୁ ଅଧିକ ନେଉଥିଲେ ଏବେ ୨୫୦ ଗ୍ରାମ ଓ ୫୦୦ ଗ୍ରାମ କିଣୁଛନ୍ତି। ପକେଟ୍ ଖାଲି ହେଉଛି ସତ , ହେଲେ ଗ୍ରାହକଙ୍କ ବ୍ୟାଗ୍ ପୁରୁନି।  ଯାହାକୁ ନେଇ ଗ୍ରାହକଙ୍କ ମନରେ ନାହିଁ ନଥିବା ଅସନ୍ତୋଷ ଦେଖାଦେଇଛି ।

Also Read:-Rath Yatra 2026 : ରଥ ଭାଙ୍ଗିଲେ ଆଭିମାନିନୀ ମାଆ ମହାଲକ୍ଷ୍ମୀ, ମଙ୍ଗଳବାର ଦକ୍ଷିଣମୋଡ଼ ହେବ ତିନି ରଥ

ତେବେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ଚାଷୀଙ୍କ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଛି। ଅନ୍ୟପଟେ ଆନ୍ଧ୍ର, ବେଙ୍ଗାଲୁରୁ ଓ ନାସିକ୍‌ ଭଳି ବାହାର ରାଜ୍ୟରୁ ଆସୁଥିବା ପରିବାର ଯୋଗାଣରେ ବାଧାପ୍ରାପ୍ତ ହୋଇଛି।  ଓଡ଼ିଶାର ଆଠଗଡ଼, ନିମାପଡ଼ା, ବାରବାଟୀ, ଢେଙ୍କାନାଳ ଆଦି ସ୍ଥାନରେ ଲଗାଣ ବର୍ଷା ପାଇଁ ଚାଷ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଆବଶ୍ୟକ ପରିମାଣର ପରିବା ଆସୁନାହିଁ।

ସେହିପରି ଗାଡ଼ି ଭଡ଼ା ବୃଦ୍ଧି ଏବଂ ହୋଲସେଲ୍ ମଣ୍ଡିରେ ଦର ବଢ଼ିଥିବାରୁ ଖୁଚୁରା ବଜାରରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି। ଗ୍ରାହକ କମ୍ କିଣୁଥିବାରୁ ବ୍ୟବସାୟୀଙ୍କ ରୋଜଗାର ବି ହ୍ରାସ ପାଇଛି। ଆଗାମୀ ଦିନରେ ଆହୁରି ଅଧିକ ଦର ବୃଦ୍ଧି ହେବା ନେଇ ଆକଳନ କରିଛନ୍ତି ବ୍ୟବସାୟୀ । ସାମଗ୍ରୀର ଦାମ୍‌ ବଢ଼ିଲେ ସବୁଠାରୁ ବେଶି ପ୍ରଭାବିତ ହୁଅନ୍ତି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର। ବର୍ଷା ଓ ଯୋଗାଣ ସମସ୍ୟା ହିଁ ଦରବୃଦ୍ଧିରେ ମୁଖ୍ୟ କାରଣ ସାଜିଛି। ଆଗକୁ ଶ୍ରାବଣ ମାସ ଆସୁଥିବାରୁ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପାରେ ବୋଲି ଆକଳନ କରାଯାଉଛି।