ଭୁବନେଶ୍ୱର ୩୦।୦୫ : ଭୁବନେଶ୍ୱର ଚନ୍ଦ୍ରଶେଖରପୁର 'ଥାର୍' ଦୁର୍ଘଟଣାରେ ନୂଆ ଟ୍ୱିଷ୍ଟ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଯାହାଫଳରେ ୫ ଜଣଙ୍କୁ  ଅଟକ ରଖି ଜେରା କରୁଛି କମିଶନରେଟ୍‌ ପୋଲିସ ।

ଖବର ଅନୁଯାୟୀ, ନୀଳାଦ୍ରି ବିହାର ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା 'ଥାର୍' ଦୁର୍ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ଏହା କେବଳ ଏକ ଦୁର୍ଘଟଣା ନୁହେଁ, ବରଂ ଏହା ଏକ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଏହି ମାମଲାରେ ଥାର ଗାଡିକୁ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏକ ଲସି ଦୋକାନ ଗଣ୍ଡଗୋଳକୁ ନେଇ ଏପରି ଘଟିଥିବା କୁହାଯାଉଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଥାର୍ ଗାଡ଼ି ସାହାଯ୍ୟରେ ବାଇକ୍ ଆରୋହୀଙ୍କୁ ଚଢ଼ାଇ ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଯୁବକଙ୍କ ଘର ଖୋର୍ଦ୍ଦା ଜିଲ୍ଲା କାଇପଦର ଅଞ୍ଚଳରେ ବୋଲି ଜଣାପଡ଼ିଛି।

Also Read:-ଅପରେସନ ୨.୦ ହେଲେ ପୂରା ପ୍ରସ୍ତୁତ ୩ ସେନା, ପାକିସ୍ତାନକୁ ଚେତାବନୀ ଦେଲେ ସେନା ମୁଖ୍ୟ

ଶୁକ୍ରବାର ବିଳମ୍ବିତ ରାତିରେ ନୀଳାଦ୍ରି ବିହାର ଏଟିଏମ୍ ଛକ ନିକଟରେ ଏକ ବାଇକକୁ ଦ୍ରୁତଗାମୀ ଥାର୍ ଗାଡ଼ି ପଛପଟୁ ଶକ୍ତ ଧକ୍କା ଦେଇଥିଲା। ବାଇକରେ ୩ ଜଣ ଯୁବକ ଥିବା ବେଳେ ଧକ୍କା ଏତେ ଜୋରଦାର ଥିଲା ଯେ, ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ପରିବାର ଲୋକଙ୍କ ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଥାର୍ ଗାଡ଼ିକୁ ପୋଲିସ ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ୫ ଜଣ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।