ନୂଆଦିଲ୍ଲୀ: ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ର ସହ ଜଡ଼ିତ ହସ୍ପିଟାଲ ଏବଂ ଡାକ୍ତରମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଆଶ୍ୱସ୍ତିକର ଖବର ଆଣିଛନ୍ତି। କେନ୍ଦ୍ର ସରକାର 'କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୨୦୧୦'ରେ ଏକ ପ୍ରମୁଖ ସଂଶୋଧନ କରିଛନ୍ତି। 'ଜନ ବିଶ୍ୱାସ ଅଧିନିୟମ ଅଧୀନରେ କରାଯାଇଥିବା ଏହି ସଂସ୍କାର ଅନୁଯାୟୀ, ଏଣିକି ହସ୍ପିଟାଲ, ଡାକ୍ତର କିମ୍ବା ଛୋଟ କ୍ଲିନିକଗୁଡ଼ିକ ଦ୍ୱାରା ହେଉଥିବା ସାଧାରଣ ଭୁଲ ବା କାଗଜପତ୍ର ସମ୍ବନ୍ଧୀୟ ତ୍ରୁଟି ପାଇଁ ଜେଲ୍ ଦଣ୍ଡ ହେବ ନାହିଁ। ଏଭଳି ଛୋଟ ମୋଟ ଭୁଲ୍ ପାଇଁ କେବଳ ପ୍ରଶାସନିକ ସ୍ତରରେ ଆର୍ଥିକ ଜରିମାନା ଲାଗୁ କରାଯିବ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ, ୨୦୧୦ ର ୫ଟି ପ୍ରାବଧାନକୁ ଅଧିକ ସରଳ ଓ ଯୁକ୍ତିଯୁକ୍ତ କରାଯାଇଛି । ଆକ୍ଟର ଧାରା ୪୦, ୪୩ ଏବଂ ୪୬  ଅଧୀନରେ ପୂର୍ବରୁ ବ୍ୟବହାର କରାଯାଉଥିବା ଶବ୍ଦ “Fine” (ଜରିମାନା) କୁ ବଦଳାଇ ପ୍ରଶାସନିକ ଶବ୍ଦ “Penalty” (ଅର୍ଥଦଣ୍ଡ) ରେ ପରିଣତ କରାଯାଇଛି। ଏହାଦ୍ୱାରା ଏହି ମାମଲାଗୁଡ଼ିକ ଅପରାଧିକ ମାମଲା ଭାବେ ଗଣ୍ୟ ନହୋଇ ପ୍ରଶାସନିକ ସ୍ତରରେ ସମାଧାନ ହୋଇପାରିବ।

ଧାରା ୪୪ ରେ ସଂଶୋଧନ କରାଯାଇ ବିଭିନ୍ନ କମ୍ପାନୀ କିମ୍ବା କ୍ଲିନିକାଲ୍ ସଂସ୍ଥାଗୁଡ଼ିକ ଦ୍ୱାରା ହେଉଥିବା ନିୟମ ଉଲ୍ଲଂଘନର ଗୁରୁତ୍ୱ ଓ ପ୍ରକୃତିକୁ ଦେଖି ଆନୁପାତିକ ଭାବେ ଅର୍ଥଦଣ୍ଡ ସ୍ଥିର କରାଯିବାର ବ୍ୟବସ୍ଥା ହୋଇଛି।  ଧାରା ୪୧ ଅଧୀନରେ ଥିବା ସଂସ୍ଥାର କ୍ଷମତାକୁ ଅଧିକ ମଜଭୁତ କରାଯାଇଛି। ଏବେ ଏହା ଧାରା ୪୦, ୪୩ ଏବଂ ୪୪ ଅଧୀନରେ ହେଉଥିବା ମାମଲାର ମଧ୍ୟ ତଦନ୍ତ କରି ସ୍ୱଚ୍ଛ ଓ ଦାୟିତ୍ୱବାନ ଭାବେ ନିଷ୍ପତ୍ତି ନେଇପାରିବେ। ସଂଶୋଧିତ ନିୟମ ଅନୁଯାୟୀ, କୌଣସି ସଂସ୍ଥା ଉପରେ ଅର୍ଥଦଣ୍ଡ ଲଗାଇବା ପୂର୍ବରୁ ସେମାନଙ୍କୁ ନିଜର ପକ୍ଷ ରଖିବା ପାଇଁ ଶୁଣାଣିର ସୁଯୋଗ ଦିଆଯିବ। ଏହାସହ ଯଦି କୌଣସି ପକ୍ଷ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୁଅନ୍ତି, ତେବେ ସେମାନଙ୍କ ପାଇଁ ଅପିଲ୍ କରିବାର ଆଇନଗତ ବ୍ୟବସ୍ଥା ମଧ୍ୟ ରହିଛି।

ଏହି ପଦକ୍ଷେପ ଦ୍ୱାରା କ୍ଲିନିକଗୁଡ଼ିକ ସ୍ୱତଃପ୍ରବୃତ୍ତ ଭାବେ ନିୟମ ମାନିବାକୁ ଆଗ୍ରହୀ ହେବେ ଏବଂ ଛୋଟ ଛୋଟ ଭୁଲ୍ ପାଇଁ କୋର୍ଟ କଚେରୀ ଦୌଡ଼ିବା ପ୍ରକ୍ରିୟା ହ୍ରାସ ପାଇବ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ଉପରୁ ଆଇନଗତ ଜଟିଳତାର ବୋଝ କମିବ, ଯାହାଦ୍ୱାରା ଦେଶରେ ଚିକିତ୍ସା ଭିତ୍ତିଭୂମିର ବିକାଶ ସହଜ ହେବ। ନିୟମ କୋହଳ କରାଯାଇଥିଲେ ମଧ୍ୟ ରୋଗୀମାନଙ୍କ ସେବା, ସୁରକ୍ଷା ଏବଂ ଚିକିତ୍ସାର ମାନଦଣ୍ଡ ଉପରେ ସରକାର ନିଜର କଡ଼ା ନଜର ରଖିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।