ଚଣ୍ଡିଗଡ଼: ହରିୟାଣା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସଂଗଠନର ୫୦୪ କୋଟି ଟଙ୍କାର ଫଣ୍ଡ ଆତ୍ମସାତ୍ ମାମଲାରେ ତୃୃତୀୟ ଚାର୍ଜସିଟ୍ ଦାଖଲ । ସିବିଆଇ ବୁଧବାର ୧୯ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଚାର୍ଜସିଟରେ ହରିୟାଣା କ୍ୟାଡରର ୬ ଜଣ ଆଇଏଏସ୍ ଅଫିସରଙ୍କ ବ୍ୟତୀତ ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କର ୩ ଜଣ ଅଫିସର ଏବଂ ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ଜଣେ ଅଫିସର ସାମିଲ ଅଛନ୍ତି ।

ଅଭିଯୁକ୍ତଙ୍କ ତାଲିକାରେ ୬ ଆଇଏଏସ୍

ସିବିଆଇ ଏହି ମାମଲାରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରିଥିବା ତୃତୀୟ ଚାର୍ଜସିଟରେ ଆଇଏଏସ ରାମ କୁମାର ସିଂହ, ମହମ୍ମଦ ଶାହୀନ, ପ୍ରଦୀପ କୁମାର, ସାକେତ କୁମାର, ବିନୀତ ଗର୍ଗ ଏବଂ ପଙ୍କଜ ଅଗ୍ରୱାଲଙ୍କ ନାଁ ରହିଛି ।

ଚାର୍ଜସିଟ୍‌ରେ ବ୍ୟାଙ୍କର ୩ କର୍ମଚାରୀ ବି ସାମିଲ

ନିଜ ଚାର୍ଜସିଟ୍‌ରେ ସିବିଆଇ ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କର ୩ ଅଧିକାରୀ ଶମୀମ ଅହମ୍ମଦ ଡାର, ସୁଧା ଗୋୟଲ, କୁଲଦୀପ ସିଂହ ଏବଂ ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ଚରଣଜିତ୍ ସିଂହ ରନ୍ଧାୱାଙ୍କ ନାମ ମଧ୍ୟ ନେଇଛି । ଚାର୍ଜସିଟରେ ହରିୟାଣା ସରକାରଙ୍କ ଅନ୍ୟ ଅଧିକାରୀମାନଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି । ଏମାନଙ୍କ ମଧ୍ୟରେ ରାଜେଶ ଗୋୟଲ, ଦୀପ୍ତି କୌଶିକ, ସୌରଭ କୁମାର, ପ୍ରିନ୍ସ ଶର୍ମା, ପରବୀନ କୁମାର, ସୁରିନ୍ଦର କୌର, ଅମିତ କୁମାର, ସୁରେନ୍ଦ୍ର ଜୈନ ଏବଂ ଯୁଗଳ କିଶୋର ସାମିଲ ଅଛନ୍ତି ।

ହରିୟାଣାର ୮ଟି ବିଭାଗର ଟଙ୍କା ଆତ୍ମସାତ୍

ସିବିଆଇ ମୁଖପାତ୍ର କହିଛନ୍ତି, "ଅଭିଯୁକ୍ତ ସରକାରୀ କର୍ମଚାରୀମାନେ ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କ ଏବଂ AU ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ଅଭିଯୁକ୍ତ ବ୍ୟାଙ୍କରମାନଙ୍କ ସହ ମିଶି ଠକେଇର ଷଡ଼ଯନ୍ତ୍ର ରଚିଥିଲେ ଏବଂ ତାହାକୁ କାର୍ଯ୍ୟକାରୀ କରିଥିଲେ । ଷଡ଼ଯନ୍ତ୍ର ଅନୁଯାୟୀ, ହରିୟାଣା ସରକାରଙ୍କ ୮ଟି ବିଭାଗର ଫଣ୍ଡକୁ ଅଲଗା ଅଲଗା ଅନୁମୋଦିତ ବ୍ୟାଙ୍କଗୁଡ଼ିକରୁ ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କ ଏବଂ ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ସେହି ନିର୍ଦ୍ଦିଷ୍ଟ ଶାଖାଗୁଡ଼ିକୁ ଟ୍ରାନ୍ସଫର କରାଯାଇଥିଲା, ଯେଉଁଠାରେ ଅଭିଯୁକ୍ତମାନେ ବ୍ୟାଙ୍କ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଅର୍ଥରାଶି ଆତ୍ମସାତ୍ କରିବା ପାଇଁ ଏହି ବ୍ୟାଙ୍କ ଶାଖାଗୁଡ଼ିକରେ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲାଯାଇଥିଲା ।"

କେନ୍ଦ୍ରୀୟ ଏଜେନ୍ସି କହିଛି, "ରାଜ୍ୟ ସରକାରଙ୍କ ପଞ୍ଚାୟତ ବିଭାଗ, ପଞ୍ଚକୁଲା ଓ କାଲକା ପୌର ନିଗମ, ହରିୟାଣା ସ୍କୁଲ ଶିକ୍ଷା ପରିଯୋଜନା ପରିଷଦ, ହରିୟାଣା ଶ୍ରମ କଲ୍ୟାଣ ବୋର୍ଡ, ହରିୟାଣା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ହରିୟାଣା ରାଜ୍ୟ କୃଷି ବିପଣନ ବୋର୍ଡ ଏବଂ ହରିୟାଣା ପାୱାର ଜେନେରେସନ କୋର୍ପୋରେସନ ଲିମିଟେଡର କାର୍ଯ୍ୟକାରିତା ଉପରେ ଗଭୀର ପ୍ରଭାବ ପଡ଼ିଛି ।" ଏହି ଠକେଇର ମୋଟ ପରିମାଣ ୫୦୪ କୋଟି ଟଙ୍କା ।